ରେଡ୍‌କ୍ରସ ନାଁ ହଟିଲା : ସରକାରୀ ହେଲା ରକ୍ତଭଣ୍ଡାର

31

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୫୫ଟି ସରକାରୀ ଡାକ୍ତରଖାନା ପରିସରରେ ଥିବା ରେଡ୍‌କ୍ରସ ରକ୍ତଭଣ୍ଡାରଗୁଡ଼ିକରୁ ଏଣିକି ରେଡ୍‌କ୍ରସ ନାମ ହଟିବ। ଏଗୁଡ଼ିକୁ ଓଡ଼ିଶା ରକ୍ତ ଭଣ୍ଡାର ନାମରେ ନାମିତ କରାଯିବ। ଏ ସଂକ୍ରାନ୍ତରେ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଏବେ ରାଜ୍ୟରେ ୮୩ଟି ରକ୍ତଭଣ୍ଡାର କାମ କରୁଛି। ସେଥିମଧ୍ୟରୁ କେତେକ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ଥିବା ବେଳେ ୫୬ଟିକୁ ରେଡ୍‌କ୍ରସ ରକ୍ତଭଣ୍ଡାର ଭାବେ କୁହାଯାଉଥିଲା। ତେବେ ଏଗୁଡ଼ିକ ମଧ୍ୟରୁ କେବଳ କଟକ ମଙ୍ଗଳାବାଗ ଅଞ୍ଚଳରେ ଥିବା କେନ୍ଦ୍ରୀୟ ରେଡ୍‌କ୍ରସ ରକ୍ତଭଣ୍ଡାର ରେଡ୍‌କ୍ରସ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଅନ୍ୟ ୫୫ଟି ରକ୍ତଭଣ୍ଡାର ସରକାରୀ ମେଡ଼ିକାଲ କଲେଜ ଓ ଡାକ୍ତରଖାନା ପରିସରରେ ଚାଲୁଥିଲେ ମଧ୍ୟ ଏଗୁଡ଼ିକୁ ରେଡ୍‌କ୍ରସ ରକ୍ତଭଣ୍ଡାର ଭାବେ ନାମିତ କରାଯାଇଥିଲା।

ଗୋଟିଏ ପଟେ ରାଜ୍ୟ ରେଡ୍‌କ୍ରସ ଏହି ୫୫ଟି ରକ୍ତଭଣ୍ଡାର ତାହାର ନୁହେଁ ବୋଲି କହୁଥିବା ବେଳେ ଅନ୍ୟ ପଟେ ସରକାର ମଧ୍ୟ ଏଗୁଡ଼ିକୁ ସରକାରୀ ରକ୍ତଭଣ୍ଡାର ଭାବେ ମାନିବାକୁ ପ୍ରସ୍ତୁତ ନ ଥିଲେ। ଫଳରେ ଏହି ୫୫ଟି ରକ୍ତଭଣ୍ଡାରର ପରିଚାଳନା କ୍ଷେତ୍ରରେ ବିଭ୍ରାଟ ଲାଗି ରହିବା ସହିତ ଏଥିରେ କାମ କରୁଥିବା କର୍ମଚାରୀମାନେ ରେଡ୍‌କ୍ରସ କିମ୍ବା ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ନଥିଲେ। ଏ ପରିପ୍ରେକ୍ଷୀରେ ଏହି ରକ୍ତଭଣ୍ଡାରଗୁଡ଼ିକର କର୍ମଚାରୀମାନେ ଓଡ଼ିଶା ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘ ଗଠନ କରି ସେମାନଙ୍କୁ ସରକାରୀ କର୍ମଚାରୀ ଭାବେ ଗ୍ରହଣ କରିବାକୁ ନିବେଦନ କରିଆସୁଥିଲେ। ରେଡ୍‌କ୍ରସର ବହୁ ଆଜୀବନ ସଭ୍ୟ ଏବଂ ନିୟମିତ ରକ୍ତଦାତାମାନେ ମଧ୍ୟ ଏହି ରେଡ୍‌କ୍ରସ ରକ୍ତଭଣ୍ଡାରଗୁଡ଼ିକୁ ସରକାର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରଖିବାକୁ ଦାବି କରୁଥିଲେ।

କଟକ, ବୁର୍ଲା ଓ ବ୍ରହ୍ମପୁର ମେଡ଼ିକାଲ କଲେଜ ପରିସରରେ ତିନୋଟି ରକ୍ତଭଣ୍ଡାର ରହିଛି। ଏହାଛଡ଼ା ୨୮ଟି ଜିଲ୍ଲା ମହକୁମା, ୧୯ଟି ସବ୍‌ଡିଭିଜନ୍‌ ମହକୁମା, ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ବିଏମ୍‌ସି ହସ୍ପିଟାଲ, ରାଉରକେଲାର ଆର୍‌ଜିଏଚ୍‌ ଆଦି ପରିସରରେ ମଧ୍ୟ ବ୍ଲଡ୍‌ବ୍ୟାଙ୍କମାନ କାମ କରୁଛି। ଏହି ବ୍ଲଡ୍‌ବ୍ୟାଙ୍କଗୁଡ଼ିକ ଏଣିକି ରେଡ୍‌କ୍ରସ ବ୍ଲଡ୍‌ ବ୍ୟାଙ୍କ ପରିବର୍ତ୍ତେ ଓଡ଼ିଶା ବ୍ଲଡ୍‌ ବ୍ୟାଙ୍କ ନାମରେ ନାମିତ ହେବେ।

ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସରକାରୀ ଡାକ୍ତରଖାନା ପରିସରରେ ଚାଲୁଥିବା ରକ୍ତଭଣ୍ଡାରଗୁଡ଼ିକର କର୍ମଚାରୀମାନେ ଖୁସି ବ୍ୟକ୍ତ କରିବା ସହିତ ଖୁବ୍‌ ଶୀଘ୍ର ସରକାର ସେମାନଙ୍କୁ ନିୟମିତ ସରକାରୀ କର୍ମଚାରୀ ଭାବେ ଗ୍ରହଣ କରିବେ ବୋଲି ଆଶା ରଖିଛନ୍ତି। ଓଡ଼ିଶା ରକ୍ତ ଭଣ୍ଡାର କର୍ମଚାରୀ ସଂଘର ସଭାପତି ଅନିଲ ମହାନ୍ତି, ସମ୍ପାଦକ ରମଣିରଞ୍ଜନ ଗଡ଼ନାୟକ ପ୍ରମୁଖ ସରକାରୀ ନିଷ୍ପତ୍ତିକୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ବିଳମ୍ବରେ ହେଲେ ମଧ୍ୟ ରକ୍ତ ସଂଗ୍ରହ, ବିତରଣ ଓ ସଞ୍ଚରଣକୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାର ଅଂଶ ଭାବେ ଗ୍ରହଣ କରିଥିବାରୁ ଏହି ରକ୍ତଭଣ୍ଡାର କର୍ମଚାରୀମାନଙ୍କୁ ତୁରନ୍ତ ସରକାରୀ କର୍ମଚାରୀ ଭାବେ ଘୋଷଣା କରିବାକୁ ନିବେଦନ କରିଛନ୍ତି।