ସରକାରଙ୍କ ସର୍ବଶିକ୍ଷା ଅଭିଯାନର ସଫଳତାକୁ ସମ୍ମାନ : ରାସଗୋବିନ୍ଦପୁରରେ ‘ସ୍ୱଶିକ୍ଷଣ’ କାର୍ଯ୍ୟକ୍ରମରେ ପାଠପଢାଙ୍କୁ ବିଦେଶରେ ମିଳିଲା ସମ୍ମାନ

46

କନକ ବ୍ୟୁରୋ : ଯୋଜନାକୁ ସମ୍ମାନ । ସରକାରଙ୍କ ସର୍ବଶିକ୍ଷା ଅଭିଯାନରେ ମୟୂରଭଂଜରେ କରାଯାଇଥିବା ଅଭିନବ କାର୍ଯ୍ୟକ୍ରମ ‘ସ୍ୱଶିକ୍ଷଣ’କୁ ଅନ୍ତର୍ଜାତୀୟ ସ୍ତରରେ ମିଳିଲା ସମ୍ମାନ । ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ସର୍ବଶିକ୍ଷା ଅଭିଯାନ ଯୋଜନାରେ ‘ସ୍ୱଶିକ୍ଷଣ’ ପ୍ରକଳ୍ପ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ତେଣୁ ବ୍ଲକ୍ ଶିକ୍ଷା ଅଧିକାରୀ ରାଜେଶ କୁମାର ପ୍ରଧାନଙ୍କୁ ୨୦୧୮ ମସିହା ପାଇଁ ସମ୍ମାନଜନକ ଆନ୍ତର୍ଡାତୀୟ କମନୱେଲଥ ପୁରସ୍କାର ପ୍ରଦାନ କରାଯାଇଛି ।

ବିଦ୍ୟାଳୟରେ ନିଆରା ଢ଼ଙ୍ଗରେ ପାଠପଢ଼ା ହୁଏ । ରଙ୍ଗ ବେରଙ୍ଗ ଓ ଚିତ୍ର ବିଚିତ୍ରରେ ପରିପ୍ରୂ୍ଣ୍ଣ ଆକର୍ଷଣୀୟ ଘର କୌଣସି ମନୋରଞ୍ଜନ ସ୍ଥଳୀ କିମ୍ବା ମନ୍ଦିର ଭଳି ଜଣାପଡେ । ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା, ସ୍କୁଲ ପରିବେଶରେ ସେମାନଙ୍କୁ ବାନ୍ଧି ରଖିବା ପାଇଁ ସର୍ବଶିକ୍ଷା ଅଭିଯାନର ଏହା ଏକ ନିଆରା ପ୍ରୟାସ ।

କାନ୍ଥ ଓ ଚଟାଣରେ ଅଙ୍କା ଯାଇଥିବା ଚିତ୍ରକୁ ଦେଖି ଛାତ୍ରଛାତ୍ରୀ ସହଜରେ ସବୁ ଜାଣିପାରୁଛନ୍ତି । ଏହାସହ କାଗଜ ଓ ପିଚବୋର୍ଡକୁ ବ୍ୟବହାର କରି ତିଆରି କରାଯାଇଥିବା ବିଭିନ୍ନ ଉପକରଣ ମଧ୍ୟ ବେଶ ଆକର୍ଷଣୀୟ ହୋଇଛି । ଯାହା ପିଲାଙ୍କ ମନକୁ ସ୍କୁଲରେ ବାନ୍ଧି ରଖିଛ । ଏମିତି କି ପିଲାମାନେ ସ୍କୁଲ ଛୁଟି ପରେ ବି ଘରକୁ ଯିବାକୁ ଚାହୁଁନଥିବା କହିଛନ୍ତି ଶିକ୍ଷକ ଓ ଅଭିଭାବକ ।

୨୦୧୫ରେ ତତ୍କାଳୀନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ୍ ଜିଲ୍ଲାରୁ ଏକ ଟିମକୁ ମହାରାଷ୍ଟ୍ର ସାତରାକୁ ପଠାଇଥିଲେ । ସେହି ଟିମରେ ଥିବା ରାସଗୋବିନ୍ଦପୁର ବ୍ଲକ୍ ଶିକ୍ଷା ଅଧିକାରୀ ରାଜେଶ କୁମାର ପ୍ରଧାନ ସାତରାର ପାଠପଢା ଶୈଳୀରେ ପ୍ରଭାବିତ ହୋଇ ନିଜ ଅଂଚଳରେ ‘ସ୍ୱଶିକ୍ଷଣ’ ଯୋଜନାରେ ପାଠପଢା ଆରମ୍ଭ କରିଥିଲେ । ଯାହା ଆଜି ସଫଳତାର ପାହାଚ ଚଢ଼ି, ଫିଜି ଦ୍ୱୀପପୂଞ୍ଜର ନାଦିଠାରେ ଆୟୋଜିତ ୨୦ତମ ‘କମନୱେଲଥ୍’ ଶିକ୍ଷା ସମ୍ମିଳନୀରେ ଅନ୍ତର୍ଜାତୀୟ ଶିକ୍ଷାକ୍ଷେତ୍ର ମାନ୍ୟତା ପାଇଛି । ଏହାସହ ଶିକ୍ଷା ଅଧିକାରୀ ରାଜେଶ କୁମାରଙ୍କୁ ଏଜୁକେସନ୍ ଗୁଡ୍ ପ୍ରାକ୍ଟିସ୍ ଆୱାର୍ଡ ୨୦୧୮ରେ ସମ୍ମାନିତ କରାଯାଇଛି ।

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକରେ ପ୍ରଥମ କରି ଆରମ୍ଭ ହୋଇଥିବା ଏହି ଟି.ଏଲ.ଏମ. ମାଧ୍ୟମରେ ଏବେ ୫୦ରୁ ଅଧିକ ସ୍କୁଲରେ ପାଠପଢ଼ା ଚାଲିଛି । ତେବେ ଏହି ଅଭିନବ ପ୍ରକ୍ରିୟାକୁ ଅନ୍ୟ ଜିଲ୍ଲା ଓ ରାଜ୍ୟମାନଙ୍କରେ ଅନୁସରଣ କଲେ ପିଲାମାନେ ସ୍କୁଲ ପ୍ରତି ଆକୃଷ୍ଟ ହେବେ ।