ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିପୁଳ ବିଜୟ ପରେ ବିଜେପିର ଓଡିଶା ପ୍ଲାନ୍ । ମନମୋହନଙ୍କ ସମେତ ଦଳୀୟ ବିଧାୟକଙ୍କୁ ଦିଲ୍ଲୀ ଡାକରା

151

କନକ ବ୍ୟୁରୋ : ସାଧାରଣ ନିର୍ବାଚନକୁ ଆଉ ପ୍ରାୟ ୩ ମାସ ରହିଛି । ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଦମଦାର ପ୍ରଦର୍ଶନ କରିବା ପରେ ଓଡ଼ିଶାର ବିଜେପି କି ଆଭିମୁଖ୍ୟ ଗ୍ରହଣ କରିବ, ଶାସକ ବିଜେଡି ବିରୋଧରେ କିପରି ଲଢିବ ଦଳ, ଏନେଇ ଦିଲ୍ଲୀରେ ହେବାକୁ ଯାଉଛି ମାନସ ମନ୍ଥନ । ଓଡିଶା ବିଜେପି ଟିମକୁ କେନ୍ଦ୍ରୀୟ ନେତୃତ୍ୱର ଡାକରା ପରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ କିଛି ବିଧାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଚର୍ଚ୍ଚା ହେଉଛି, ଓଡିଶା ଦଖଲ ପ୍ଲାନ ନେଇ ଦଳର ଚାଣକ୍ୟ ଅମିତ ଶାହା, ଅଧ୍ୟକ୍ଷ ଜେପି ନିଡ୍ଡାଙ୍କ ସହ ଆଲୋଚନା ହେବା ସମ୍ଭାବନା ରହିଛି । ବିଜେପି ମହଲରେ ଏପରି ମଧ୍ୟ ଚର୍ଚ୍ଚା ହେଉଛି ଡିସେମ୍ବର ମାସରେ ଓଡିଶା ଗସ୍ତରେ ଆସିପାରନ୍ତି ଅମିତ ଶାହା । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡିଶା ଆସିପାରନ୍ତି ।

ବିଜେପି-ବିଜେଡି ମଧ୍ୟରେ ଭିତିରିଆ ସଂପର୍କ ଥିବା ନେଇ ବାରମ୍ବାର ଅଭିଯୋଗ କରିଆସୁଛି କଂଗ୍ରେସ । ଅନ୍ୟପଟେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ନବୀନ ପଟ୍ଟନାୟକଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ଅସ୍ପଷ୍ଟ ରହିଛି । ବିଜେପି କର୍ମୀ ଓ ନେତା ମଧ୍ୟ ଦ୍ୱନ୍ଦରେ । କାରଣ ବିଜେପିର ଶୀର୍ଷ ନେତୃତ୍ୱ ନବୀନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିନାହାନ୍ତି ।

ତିନିଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଜେପିର ବଡ ବିଜୟ ପରେ ସାଧାରଣ ନିର୍ବାଚନ ପୂର୍ବରୁ ସ୍ଥିତି ବଦଳିଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ଶିବିର ଉତ୍ସାହିତ ଅଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁ ଦମ ଓ ରଣନୀତିରେ ବିଜେପି ସେହିସବୁ ରାଜ୍ୟରେ ଲଢି ସଫଳତା ପାଇଛି । ସେହି ଆଭିମୁଖ୍ୟ ରଖି ଓଡିଶାରେ ଦଳ ନିର୍ବାଚନ ଲଢିବ ତ?

ସେପଟେ ବିଜେଡି କହିଛି, ଯେଉଁ ରଣନୀତି ହେଲେ ବି ଓଡିଶାରେ କୌଣସି ପ୍ରଭାବ ପଡିବନି ।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି, ସଂସଦର ଶୀତ ଅଧିବେଶନ ସରିବା ପରେ ଓଡିଶା ସଂପର୍କରେ ନିଷ୍ପତି ନେବ ବିଜେପି କେନ୍ଦ୍ରୀୟ ନେତୃତ୍ୱ । ରାଜ୍ୟରେ କ୍ଷମତା ଦଖଲ ପାଇଁ ଦଳ କେଉଁ ରଣନୀତି ଆପଣାଇବ, ସେନେଇ ସ୍ପଷ୍ଟ ସଂକେତ ମିଳିବ ।