ଭୁବନେଶ୍ୱର ସାଂସଦଙ୍କୁ ଅଣ୍ଡାମାଡ ଘଟଣା । ନିନ୍ଦା କଲା ବିଜେପି, କହିଲା ରାଜ୍ୟରେ ମହିଳାଙ୍କ ପ୍ରତି ହେଉଛି ବୀଭତ୍ସ ନିର୍ଯାତନା

118

କନକ ବ୍ୟୁରୋ : ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟକ୍ରମ ବେଳେ ଖଣ୍ଡଯୁଦ୍ଧକୁ ଘଟଣାକୁ ନେଇ ପ୍ରେସମିଟ କରି ନିନ୍ଦା କରିଛି ବିଜେପି । ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି କହିଛନ୍ତି, ଗତକାଲିର ଘଟଣା ପ୍ରମାଣିତ କରୁଛି ରାଜ୍ୟରେ କେତେ ଅସୁରକ୍ଷି ମହିଳା । ଗତକାଲି ଆଚାର୍ଯ୍ୟ ବିହାରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଂସଦ ଅପରାଜିତା ଷଡଙ୍ଗୀ ଯାଇଥିବାବେଳେ ଖଣ୍ଡ ଯୁଦ୍ଧ ହୋଇଥିଲା । ମୁହାଁମୁହିଁ ହୋଇଥିଲେ ବିଜେଡି-ବିଜେପି କର୍ମୀ । ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟକ୍ରମକୁ ନେଇ ଉଭୟ ପକ୍ଷ ପରସ୍ପର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆଚାର୍ଯ୍ୟ ବିହାରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ ସାଂସଦ ।

ଆଚାର୍ଯ୍ୟ ବିହାର ବିକାଶ ପରିଷଦ ପକ୍ଷରୁ ଅପରାଜିତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ସମୟରେ ତାଙ୍କ ଉପରକୁ ଢେଲା, ଅଣ୍ଡା ଓ ଟୋମାଟୋ ମାଡ ହୋଇଥିବା ଅଭିଯୋଗ ହୋଇଛି । ବିଜେପି-ବିଜେଡି ଟକରା ଟକରି ମଧ୍ୟରେ ବଳି ପଡ଼ିଲା ପୋଲିସ । ଟେକା ପଥର ମାଡରେ ୪ ଜଣ ପୋଲିସ ଅଧିକାରୀ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଛି । ପାଖାପାଖି ୩ ଘଂଟା ଉତେଜନା ଲାଗି ରହିଥିଲା । ତେବେ ଡିସିପି ଘଟଣାସ୍ଥଳରେ ପହଂଚବା ପରେ ସାଂସଦଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ବିଶୃଙ୍ଖଳାକାରୀଙ୍କ ବିରୋଧରେ ୨୪ ଘଂଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅପରାଜିତା । ଗୋଟିଏ ଦିନରେ ଭୁବନେଶ୍ୱର ସାଂସଦଙ୍କୁ ଦୁଇ ଥର ଅଣ୍ଡାମାଡ଼ ହୋଇଛି । ଗତକାଲି ସକାଳେ ଅପରାଜିତାଙ୍କୁ ବାଲିପାଟଣାରେ ମଧ୍ୟ ଅଣ୍ଡା ମାଡ ହୋଇଥିଲା । ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।