କନକ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜୟ ପରେ ରାଜ୍ୟ ବିଜେପି ଏବେ ଜୋଶରେ ଅଛି । ଆଉ ରାଜ୍ୟରେ ୨୦୨୪ରେ ମଧ୍ୟପ୍ରଦେଶ ଫର୍ମୁଲା ଆପଣେଇବ ବିଜେପି । ଦଳ ଅଧିକାଂଶ ନିର୍ବାଚନମଣ୍ଡଳୀରେ ଆଗୁଆ ଟିକେଟ ଦେବାକୁ ଯୋଜନା କରୁଛି । ବିଶେଷକରି କଡା ଟକ୍କର ହୋଇଥିବା ୪୦ଟି ସିଟରେ ଏମପି ଫର୍ମୁଲାରେ ଆଗୁଆ ଟିକେଟ୍ ଘୋଷଣା କରିପାରେ ବିଜେପି ।

Advertisment
  • ରାଜ୍ୟରେ ବିଜେପି ଦେବ ଆଗୁଆ ଟିକେଟ!
  • ମଧ୍ୟପ୍ରଦେଶ ଫର୍ମୁଲା ଆପଣାଇବ ରାଜ୍ୟ ବିଜେପି ?

ମଧ୍ୟପ୍ରଦେଶରେ ୨୦୧୮ରେ ବିଜେପି ହାରିଥିବା ୩୪ଟି ଆସନରେ ୨୦୨୩ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଥିଲା । ଆଉ ପଲଟି ଯାଇଥିଲା ଫଳାଫଳ । ୩୪ଟିରୁ ୨୪ଟି ବାଜି ମାରିଛି ଭାରତୀୟ ଜନତା ପାର୍ଟି ।

  • ଆଗୁଆ ପ୍ରାର୍ଥୀ ଘୋଷଣାର ଫାଇଦା
  • ଆଗୁଆ ପ୍ରାର୍ଥୀ ଘୋଷଣା କରି ଦଳ ଭିତରେ ଅସନ୍ତୋଷକୁ ନିୟନ୍ତ୍ରଣ କରାଯାଇପାରିଲା
  • ଦଳର ପ୍ରାର୍ଥୀଙ୍କୁ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ମିଳିଲା
  • ଯେତେବେଳେ କି ଅନ୍ୟ ଦଳର ପ୍ରାର୍ଥୀମାନେ ଟିକେଟ୍ ପାଇବାକୁ କସରତ କରୁଥିଲେ

ଓଡିଶାରେ ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ ବିଜେପି ୫ ହଜାର ଭୋଟ୍ ବ୍ୟବଧାନରେ ୧୦ଟି ସିଟରେ ହାରିଥିବାବେଳେ ୫ ହଜାରରୁ ୧୦ ହଜାର ଭିତରେ ୩୦ଟି ସିଟରେ ହାରିଥିଲା । ତେଣୁ ଏହି ୪୦ଟି ସିଟରେ ଏମପି ଫର୍ମୁଲାରେ ଆଗୁଆ ଟିକେଟ୍ ଘୋଷଣା କରି ଆସନ ହାତେଇବାକୁ ଯୋଜନା କରିପାରେ ଦଳ ।

  • ଦିଲ୍ଲୀରେ ବିଜେପି ନେତାଙ୍କ ଡେରା
  • ୨୪ ଲାଗି ପ୍ରସ୍ତୁତ ହେବ କି ରଣନୀତି ?

୨୦୨୪ ନିର୍ବାଚନରେ ବିଜେଡି ବିପକ୍ଷରେ ଲଢେଇ କରିବାକୁ କେନ୍ଦ୍ରିୟ ନେତୃତ୍ୱଙ୍କଠାରୁ ଗୁରୁମନ୍ତ୍ର ପାଇଁ ଦିଲ୍ଲୀରେ ଡେରା ପକାଇଛନ୍ତି ବିଜେପି ବିଧାୟକ । ଏହି ଗସ୍ତ ସମୟରେ ବିଜେପି ବିଧାୟକମାନେ ରାଜ୍ୟ ସଭାପତିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟି ରାଜ୍ୟ ରାଜନୀତି ବିଷୟରେ ଆଲୋଚନା କରିବେ । ୨୨ ତାରିଖରେ ବିଜେପି ରାଷ୍ଟ୍ରୀୟ ପଦାଧୀକାରୀ ବୈଠକ, ଏହାପରେ ତୁଙ୍ଗ ନେତୃତ୍ୱଙ୍କ ସହ ଆଲୋଚନା ନେଇ ସମୟ ଧାର୍ଯ୍ୟ ହୋଇଛି । ସେପଟେ ବିଜେଡି କହିଛି ଓଡିଶାବାସୀ ବିଜେଡି ସହିତ ଅଛନ୍ତି, ବିରୋଧୀଙ୍କ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ।

ଚର୍ଚ୍ଚା ହେଉଛି ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ହୋଇଥିବା ସେମିଫାଇନାଲ ଲଢେଇ ୩-୨ରେ ଜିତିନେଇଛି ଭାରତୀୟ ଜନତା ପାର୍ଟି । ହିନ୍ଦି ହାର୍ଟଲ୍ୟାଣ୍ଡରେ ବିଜୟ ପରେ ରାଜ୍ୟ ବିଜେପିରେ ବି ନୂଆ ଉତ୍ସାହ ଭରି ରହିଛି । ଆଉ କେନ୍ଦ୍ରୀୟ ନେତୃତ୍ୱଙ୍କଠୁ ଗୁରୁମନ୍ତ୍ର ପାଇବା ପରେ ୨୦୨୪ ପାଇଁ କିଛି ସ୍ୱତନ୍ତ୍ର ରଣନୀତି କରିବ ରାଜ୍ୟ ୟୁନିଟ୍ ।