କନକ ବ୍ୟୁରୋ: ବନ୍ଧାହେଲେ ବାରିପଦା ବିଧାୟକ ପ୍ରକାଶ ସରେନ୍ । ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ ଘଟଣାରେ ବାରିପଦା ବିଧାୟକ ପ୍ରକାଶ ସରେନ୍ ଗିରଫ । ବିଧାୟକଙ୍କ ସହଯୋଗୀ ପ୍ରଶାନ୍ତ ବେହେରାଙ୍କୁ ମଧ୍ୟ ବାନ୍ଧିଛି ପୁଲିସ୍ । ସୂଚନା ଅନୁସାରେ, ବାରିପଦା ବିଧାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଥିଲା । ସମର୍ଥକଙ୍କୁ କାମ ନଦେବାରୁ ପିଏ ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବିଧାୟକ ପ୍ରକାଶ ସୋରେନ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ବିଧାୟକ ପ୍ରକାଶ ସୋରେନ ଓ ତାଙ୍କର ୩ଜଣ ସମର୍ଥକ ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ ମାରିଥିବା ନେଇ ଥାନାରେ ମାମଲା ହୋଇଥିଲା ।
ତେବେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଗୁରୁବାର ଦିନ ବିଧାୟକଙ୍କ ଫୋନ ପରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସର୍କିଟ ହାଉସକୁ ତାଙ୍କୁ ଦେଖା କରିବା ପାଇଁ ଯାଇଥିଲେ । ତେବେ କାହିଁକି ବିଧାୟକଙ୍କ ସମର୍ଥକଙ୍କୁ କାମ ମିଳୁନାହିଁ ବୋଲି ବିଧାୟକ ପ୍ରଶ୍ନ ପଚାରିବା ସହ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । କାକୁତି ମୀନତି ହେବା ପରେ ମଧ୍ୟ ବିଧାୟକ ଓ ତାଙ୍କ ସମର୍ଥକ ମାନେ ତାଙ୍କୁ ମାଡ ମାରିଚାଲିଥିଲେ । ରାତି ସାଢେ ୮ଟା ବେଳେ ସେ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିବା ପରେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ସେ ଗୋଡ ଏବଂ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରୁଥିବା କହିଛନ୍ତି । ଏହି ଘଟଣାରେ ଆଜି ବିଧାୟକଙ୍କ ହାତରେ ହାତକଡି ପକାଇଛି ପୋଲିସ ।