କନକ ବ୍ୟୁରୋ : ବିଜେପିର କ୍ଷେତ୍ରୀ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ଓଡିଶାକୁ ଘନ ଘନ ଗସ୍ତ କରିବା ଓ ରାଜ୍ୟ ନେତୃତ୍ୱଙ୍କ ସହ ମାରାଥନ ବୈଠକ କରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, ମଧ୍ୟପ୍ରଦେଶ, ଛତିିଶଗଡ ଓ ରାଜସ୍ତାନରେ ଆଗୁଆ ପ୍ରାର୍ଥୀ ଘୋଷଣା କରି ସଫଳତା ପାଇବା ପରେ ଓଡିଶାରେ ବି ସମାନ ଫର୍ମୁଲା ଆପଣାଇ, ଜାନୁଆରୀରେ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଭାରତୀୟ ଜନତା ପାର୍ଟି । ଏପରିକି ଜାନୁଆରୀ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବୋଲି ଆଲୋଚନା ହେଉଛି । ତେବେ ଆଗୁଆ ପ୍ରାର୍ଥୀ ଘୋଷଣା ସମ୍ଭବନା ଥିବା କହି ଚର୍ଚ୍ଚର୍ାକୁ ଖୋରାକ ଯୋଗାଇଛନ୍ତି, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।
ବର୍ଷ ୨୦୨୩ ସରିଆସୁଥିବାବେଳେ ୨୦୨୪ ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତି କରୁଛି ବିଜେପି । ଏଥିପାଇଁ ରାଜ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଚଳଚଂଚଳ ତୃଣମୂଳ ସ୍ତରରେ ଥିବା କାର୍ଯ୍ୟାଳୟ । ଆଉ ଏହାରି ଭିତରେ ଶୁକ୍ରବାର ରାଜ୍ୟ ବିଜେପିର ସମନ୍ୱୟ ବେଠକ ବସିଛି । ଶନିବାର ପଦାଧିକାରୀ ,ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ନେଇ ବେଠକ ହେବ । ସେହିପରି ରବିବାର ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ହେଇଥିବା ନିଷ୍ପତ୍ତି ଗ୍ରାଉଣ୍ଡରେ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ କରିବ ଭାରତୀୟ ଜନତା ପାର୍ଟି । ତେବେ କିପରି ୫୦ ପ୍ରତିଶତ ଭୋଟ ପ୍ରତି ବ୍ଲକରୁ ଆସିବ ତାକୁ ନେଇ ମାନସ ମନ୍ଥନ କରିବ ଦଳ ।
ତେବେ ବିଜେପି କେବେ ପ୍ରାର୍ଥୀ ଘୋଷଣା କରିବ ସେ ନେଇ ଦଳ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ବିଜେପି ଯଦି ଆଗୁଆ ପ୍ରାର୍ଥୀ ଘୋଷଣା କରେ, ତାହେଲେ, ଆଗାମି ଦିନରେ ରାଜ୍ୟ ରାଜନୀତି ଆହୁରି ଉଷ୍ଣ ହେବ ଏଥିରେ ଦ୍ୱିମତ ନାହିଁ ।