ମାହାଙ୍ଗା ବିଜେପି ନେତା ଓ ସହଯୋଗୀଙ୍କ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଅଟକ ରଖି ପଚରାଉଚରା

ସେପଟେ ଡବଲ ମର୍ଡର ଘଟଣାରେ ଆନ୍ଦୋଳନକୁ ଜୋରଦାର କରିବେ ବିଜେପି ଓ କଂଗ୍ରେସ

265

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୁଲିସ । ଏମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଥିବା କୁହାଯାଉଛି । ଏମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଛି । ଶନିବାର ରାତିରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ବି ୪୮ ଘଂଟା ମଧ୍ୟରେ ଅପରାଧୀଙ୍କୁ ନ ଧରିଲେ ଚରମ ଆନ୍ଦୋଳନର ନିଷ୍ପତି ନେଇଛି । ଗତକାଲି କଟକର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଥିଲା । ଆଜି ବି ବିରୋଧୀ ବିଜେପି ଓ କଂଗ୍ରେସ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।

କଟକ ଜିଲ୍ଲା ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ପ୍ରତିବାଦରେ ଆନ୍ଦୋଳନକୁ ଜୋରଦାର କରିବ ରାଜ୍ୟ ବିଜେପି । ଅଭିଯୁକ୍ତଙ୍କ ଗିରଫଦାରି ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିବ ଦଳ । ଏପରିକି ବିଜେପି ନେତାଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ୪୮ ଘଂଟାର ଡେଡଲାଇନ ଦେଇଛି ବିଜେପି । ଯଦି ୪୮ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସରକାର ବିଫଳ ହୁଅନ୍ତି, ତେବେ ବିଜେପି ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ କରିବ ।

ସେହିପରି କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ । ରାଜନୈତିକ ହିଂସାକାଣ୍ଡ ପ୍ରତିବାଦରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବସଭବନ ଘେରାଉ କରିବ ଛାତ୍ର କଂଗ୍ରେସ । ସେପଟେ ଯୁବ କଂଗ୍ରେସ ପକ୍ଷରୁ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ରହିଛି ।