ଦ୍ୱନ୍ଦ୍ୱରେ ଓଡ଼ିଶା ବିଜେପି। ମୋଦୀଙ୍କ ବିକାଶର ବାର୍ତ୍ତ ନେଇ ଲୋକଙ୍କ ପାଖକୁ ଯିବ? ନା’ ନବୀନ ସରକାରଙ୍କ ବିଫଳତା କଥା କହିବ?

441

କନକ ବ୍ୟୁରୋ: ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସି ନବୀନ ସରକାରଙ୍କୁ ପ୍ରଶଂସା କରିବାର କିଛି ଦିନ ପରେ କେନ୍ଦ୍ରର ମୋଦୀ ସରକାରଙ୍କୁ ପ୍ରଶଂସାରେ ପୋତିଦେଇଛନ୍ତି ବିଜେଡି ସାଂସଦ ପିକାନୀ ମିଶ୍ର । ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ବେଳେ ସଂଘୀୟ ଗଣତନ୍ତ୍ରର କଥା କହି, ମୋଦୀ ସରକାରଙ୍କ ଏକ ପ୍ରକାର ଗୁଣଗାନ କରିଛନ୍ତି । ଏମିତି କି ଅନାସ୍ଥା ଆଣିବାରେ ପ୍ରମୁଖ ଭୂମିକା ନେଇଥିବା କଂଗ୍ରେସକୁ ଅପଦସ୍ଥ କରିବାକୁ ଭୁଲିନାହାଁନ୍ତି । ଏଭଳି ସ୍ଥିତିରେ ସବୁଠୁ ଅଧିକ ଦ୍ୱନ୍ଦ୍ୱରେ ରହିଛି ଓଡ଼ିଶା ବିଜେପି ନେତା । କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କର୍ମୀ ପ୍ରଶ୍ନ କରୁଥିବା କହିଛନ୍ତି ।

ବିଜେଡି-ବିଜେପି ଅଘୋଷିତ ଡିଲ୍ ନେଇ ଚର୍ଚ୍ଚା ପରେ ଲୋକସଭା ପାଇଁ ଅଧିକ ବଳ କଷାକଷି ହେବ ନା’ ରାଜ୍ୟରୁ ଦୁଇ ନମ୍ବର ଦଳର ଟ୍ୟାଗ୍ ହଟାଇ କ୍ଷମତାରେ ବସିବା ପାଇଁ ଲଢ଼େଇ କରିବ? ତାକୁ ନେଇ ନେଇ ରାଜ୍ୟ ବିଜେପି ୟୁନିଟରେ ଦ୍ୱନ୍ଦ । ସବୁ ଗୋଲକ ଧନ୍ଦାର ମୂଳ, ଶାହା-ନବୀନ ଭେଟ । ଗୋଟିଏ ପଟେ ଅମିତ ଶାହା, କେନ୍ଦ୍ରରେ ସମର୍ଥନ ପାଇଁ ବିଜେଡିକୁ ମନାଇ ନେଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ, ଦୁର୍ନୀତିକୁ ପ୍ରସଙ୍ଗ କରି ତୃଣମୂଳସ୍ତରରେ ଆନ୍ଦୋଳନ କରିବାକୁ ନେତା ଓ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ବିଜେପି ନେତାଙ୍କ ଭିତରେ ସଂସୟ ବଢ଼ିିଥିବା ଜଳ ଜଳ ଦେଖାଯାଉଛି ବୋଲି କହିଛନ୍ତି ବରିଷ୍ଠ ରାଜନେତା ଦାମ ରାଉତ ।

କୁହାଯାଉଛି- ଦ୍ୱନ୍ଦ୍ୱ କେବଳ ବିଜେପି ନେତାଙ୍କ ଭିତରେ ସୀମିତ ନାହିଁ । ଅନାସ୍ଥା ପ୍ରସ୍ତାବ ବିରୋଧରେ ଯିବା ଏବଂ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିବା ବିଜେଡି କ୍ୟାଡରଙ୍କୁ ବି ଆଶଙ୍କା ଭିତରକୁ ଠେଲି ଦେଇଛି । ଏବେ ଆଉ କେନ୍ଦ୍ରୀୟ ଅବହେଳା କଥା କହିହେବ ନାହିଁ । ତେଣୁ କେବଳ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ଆଧାର କରି ଭୋଟ୍ ମାଗିବାକୁ ବିଜେଡି ଲୋକଙ୍କ ପାଖକୁ ଯିବ ବୋଲି ଚର୍ଚ୍ଚା ହେଉଛି ।