ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯାଜପୁର ଜିଲ୍ଲା ବିଜେପିକୁ ଶକ୍ତ ଝଟକା । ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ବିଜେପି ପ୍ରାର୍ଥୀ ଭାସ୍କର ଜେନା, ବହିଷ୍କାର କଲା ଦଳ

307

କନକ ବ୍ୟୁରୋ : ପଞ୍ଚାୟତ ଭୋଟ୍ ପୂର୍ବରୁ ଯାଜପୁର ଜିଲ୍ଲା ବିଜେପିକୁ ଲାଗିଛି ଶକ୍ତ ଝଟକା । କାରଣ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୯ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେପି ପ୍ରାର୍ଥୀ ଭାସ୍କର ଚନ୍ଦ୍ର ଜେନା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଗତକାଲି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନରେ ଅପ୍ରତ୍ୟାଶିତ ଭାବେ ବିଜେପି ପ୍ରାର୍ଥୀ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ହେଲେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି । କାରଣ ଦଳର ଜଣେ ପୁରୁଖା ନେତା ହୋଇ ସେ କିଭଳି ଶେଷ ମୁହୂର୍ତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଲେ ତାକୁ ନେଇ ଦଳୀୟ ନେତା ହତବାକ ହୋଇଯାଇଛନ୍ତି । ତାଙ୍କର ଏଭଳି ପଦକ୍ଷେପ ପରେ ଦଳ ପକ୍ଷରୁ ବହିଷ୍କାର କରାଯାଇଛି । ଜିଲ୍ଲା ବିଜେପି ସଭାପତିଙ୍କ କହିବା ହେଲା, ଜନମତକୁ ଭୟ କରି ପ୍ରାର୍ଥୀଙ୍କ ପ୍ରଭାବିତ କଲାଭଲି ହୀନ ପ୍ରୟାସ କରାଯାଉଛି । ଅନ୍ୟପକ୍ଷରେ ବିଜେଡିର କହିବା ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଥିବା ଜନସମର୍ଥନରେ ପ୍ରଭାବିତ ହୋଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ଭାସ୍କର ଜେନା ।