ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ରାଜନୀତିରେ ତାତି । ବିଜେପି ଓ ବିଜେଡି ନେତାଙ୍କ ବୟାନକୁ ନେଇ ତେଜିଲା ରାଜନୀତି

167

କନକ ବ୍ୟୁରୋ : ବଜେଡି-ବିଜେପି ଦୁଇ ଦଳର ବରିଷ୍ଠ ନେତାଙ୍କ ଏଭଳି ବୟାନ ରାଜ୍ୟ ରାଜନୀତିର ତାତିକୁ ବଢ଼ାଇ ଦେଇଛି । ୨୦୨୪ ନିର୍ବାଚନ ପାଇଁ ବିଗୁଲ ବାଜିବାର ସଂକେତ ଦେଉଛି । ଦୁଇ ଦଳ ସେମାନଙ୍କ ରଣନୀତି ବଦଳାଉଥିବା ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗଇଛି ପୂର୍ବତନ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାୟକଙ୍କ ବୟାନ । କହିଛନ୍ତି, ବିଜେଡି ବିଜେପି ମଧ୍ୟରେ କୌଣସି ସମ୍ପର୍କ ନାହିଁ । ସବୁବେଳେ ଲଢ଼େଇ ହୋଇଥାଏ । ଏଥର ଆରପାରର ଲଢ଼େଇ ହେବ । ଜବାବରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଆରପାରର ଲଢ଼େଇ ହେବ କି ନାହିଁ ତାହା ଜନତା ନିଷ୍ପତି ନେବେ ।

ଅଚାନକ ଦୁଇ ଦଳର ବରିଷ୍ଠ ନେତାଙ୍କ ଏମିତି ଆଭିମୁଖ୍ୟ ଦେଖି ଭିନ୍ନ ମତ ରଖିଛନ୍ତି ରାଜନୀତି ସମୀକ୍ଷକ । ନିର୍ବାଚନ ଆସୁଥିବାରୁ ଏମିତି ପ୍ରତିକ୍ରିୟା ଦେଉଥିବା ଆକଳନ କରିଛନ୍ତି । ହେଲେ, ବିଜେପିର ଶୀର୍ଷ ନେତୃତ୍ୱଙ୍କ ଆଭିମୁଖ୍ୟ ଉପରେ ସବୁ ନିର୍ଭର କରୁଛି ବୋଲି ମତ ରଖିଛନ୍ତି ସମୀକ୍ଷକ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଯାହା ବିଜେଡ-ବିଜେପି ନେତା ଓ କର୍ମୀଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା । କିନ୍ତୁ ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇ ଯାଇଛି ବୟାନବାଜି । ହେଲେ, ଆଗକୁ ଏହା ଜାରି ରହିବ ନା ପୁଣି ସ୍ୱର ନରମି ଯିବ ତାହା ଆଗାମି ଦିନରେ ସ୍ପଷ୍ଟ ହେବ ।