ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ଼ ରଣନୀତି । ମହିଳା ଭୋଟ୍ ଉପରେ ବିଜେଡି ଆଖି, ମାଧ୍ୟମ ପାଲଟିବେ ଏସଏଚଜି ସଦସ୍ୟା ।

120

କନକ ବ୍ୟୁରୋ : ଗୋଟିଏ ପଟେ ମମିତା ମେହେର ହତ୍ୟା ମାମଲା, ମହିଳା ଭୋଟରଙ୍କ ଉପରେ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏପଟେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକ କ୍ରିୟାଶିଳ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ପାଖା ପାଖି ୪ହଜାର ପଂଚାୟତରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ‘ବ୍ୟାଙ୍କ ସଖି’ ଭାବେ ନିଯୁକ୍ତି ଦିଆଯିବ ଏବଂ ସେମାନେ ମାସିକିଆ ଦରମା ପାଇବେ । ଏହାଛଡା ୩ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ସବୁ ବିଭାଗ ମିଶନ ଶକ୍ତି ପାଇଁ ଖର୍ଚ୍ଚ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ରାଜନୈତିକ ସମୀକ୍ଷକମାନେ କହୁଛନ୍ତି, ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ଼ ରଣନୀତି । ବିଜୁ ଜନତା ଦଳକୁ ମିଳିବ ମହିଳାଙ୍କ ବଳ । ମହିଳାଙ୍କୁ ମନେଇ ପାରିଲେ ପୁରା ପରିବାରକୁ ନିୟନ୍ତ୍ରଣ କରିହେବ ବୋଲି ସାଧାରଣରେ ବିଚାର କରାଯାଏ । ଆଉ ସାଧାରଣରେ ଥିବା ଏହି ଧାରଣାଟିକୁ କିଭଳି ସତରେ ପରିଣତ କରିହୁଏ ଏବଂ ମହିଳାଙ୍କ ଭରସା ଜିତିହୁଏ ସେହି କଳା ବିଜେଡିକୁ ବେଶ ଜଣା । ସେଥିପାଇଁ ବର୍ଷ ବର୍ଷ ଧରି ରାଜ୍ୟରେ ମହିଳାଙ୍କ ଭୋଟର ଏକ ସିଂହଭାଗ ବିଜେଡି ଖାତାକୁ ଯାଉଛି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ପୁଣିଥରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନୂଆ ରଣନୀତି କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମହିଳା ଭୋଟ୍ ଉପରେ ବିଜେଡି ଆଖି । ମାଧ୍ୟମ ପାଲଟିବେ ଏସଏଚଜି ସଦସ୍ୟା । ମିଶନ ଶକ୍ତିର ସଦସ୍ୟାଙ୍କୁ ସରକାରୀ କାମ ଯୋଗାଇ ଦେଲେ ସେମାନଙ୍କ ହାତକୁ ଟଙ୍କା ଯିବ, ଯାହା ରାଜ୍ୟରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ବଡ ପଦକ୍ଷେପ । ପ୍ରାୟ ୨୦ଟି ବିଭାଗର ସମୀକ୍ଷା କରିବା ଅବସରରେ ଏହିକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହିକ୍ରମରେ ଆଗାମୀ ୩ ବର୍ଷ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି । ଆଉ ଜାଣିଲେ ଆଶ୍ଚର୍ଯ୍ୟ ହେବେ,

ମିଶନ ଶକ୍ତିର ମହିଳାଙ୍କୁ କାମ

– ୨୦୨୦-୨୧ ଆର୍ଥିକ ବର୍ଷରେ ୧ ହଜାର ୨୦୦ କୋଟି ଟଙ୍କାର କାମ ଯୋଗାଇ ଦିଆଯାଇଛି

– ୧ ଲକ୍ଷ ୪ ହଜାର ୭୧୨ଟି ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟାଙ୍କୁ ଏହି କାମ ଦିଆଯାଇଛି

– ପ୍ରାୟ ୧୩ଟି ବିଭାଗର କାମ କରି ୨୯୬ କୋଟି ଟଙ୍କା ଲାଭ କରିଛନ୍ତି ମିଶନ ଶକ୍ତି ଗୋଷ୍ଠୀ

ମହିଳା ଭୋଟକୁ ନେଇ ଗେମ ଚେଞ୍ଜର ହୋଇପାରେ ମିଶନ ଶକ୍ତି ଗୋଷ୍ଠୀଙ୍କୁ ନେଇ ସରକାରଙ୍କ ନୂଆ ରଣନୀତି । କାରଣ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତ ଗୁଡିକରେ ଏଣିକି ବ୍ୟାଙ୍କ କରେସପଣ୍ଡେଣ୍ଟ ଭାବେ କାମ କରିବେ ମିଶନ ଶକ୍ତିର ସଦସ୍ୟା ।

ବ୍ୟାଙ୍କ କରେସପଣ୍ଡେଣ୍ଟ ଭାବେ କାମ କରିବେ ମିଶନ ଶକ୍ତି ସଦସ୍ୟା

– ରାଜ୍ୟରେ ରହିଛି ମୋଟ୍ ୬ ହଜାର ୭୯୮ ଗ୍ରାମପଞ୍ଚାୟତ

– ମାତ୍ର ୨ ହଜାର ୧୪୯ ଗ୍ରାମପଞ୍ଚାୟତରେ ଅଛି ବ୍ୟାଙ୍କ

– ବାକି ୪ ହଜାର ୬୪୯ ଗ୍ରାମପଞ୍ଚାୟତରେ ନାହିଁ ବ୍ୟାଙ୍କ ଶାଖା

– ଏସବୁ ପଞ୍ଚାୟତରେ ମିଶନ ଶକ୍ତି ସଦସ୍ୟାଙ୍କୁ ଦିଆଯିବ ନିଯୁକ୍ତି

– ୧ ହଜାର ୨୬୨ ଗୋଷ୍ଠୀର ସଦସ୍ୟାଙ୍କୁ ମିଳିଛି ବ୍ୟାଙ୍କ କରେସପଣ୍ଡେଣ୍ଟ ନିଯୁକ୍ତି

– ବାକି ୩ ହଜାର ୫୦୮ଟି ଗୋଷ୍ଠୀର ସଦସ୍ୟାଙ୍କୁ ନିଯୁକ୍ତି ପାଇଁ ଚାଲିଛି ଚୟନ

ମିଶନ ଶକ୍ତି ସଦସ୍ୟାଙ୍କୁ ନେଇ ସରକାର ଆଗାମୀ ୩ ବର୍ଷର ଆକ୍ସନ ପ୍ଲାନ କରିଛନ୍ତି । ତେଣୁ କେବଳ ପଞ୍ଚାୟତ ନିର୍ବାଚନ କାହିଁକି ୨୦୨୪ ସାଧାରଣ ନିର୍ବାଚନକୁ ମଧ୍ୟ ଆଖିରେ ରଖି ଏହି ରଣନୀତି ସ୍ଥିର କରାଯାଇଥିବା ଅନୁମାନ କରାଯାଉଛି ।