କନକ ବ୍ୟୁରୋ: ବିଜେଡି- ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଥମୁନି ବୟାନବାଜି । ରାଜ୍ୟ ରାଜନୀତିରେ ମେଣ୍ଟ ଖବର ହଇଚଇ ଖେଳାଉଥିବାବେଳେ ‘ହାତ’ବି ଗରମ ଲୁହାରେ ହାତୁଡ଼ି ପାହାର ଦେଲାଭଳି ବୟାନ ରଖିଛି । କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ କହିଛନ୍ତି, ଉଭୟ ବିଜେଡି-ବିଜେପି ମଧ୍ୟରେ ରାଜ୍ୟରେ କେବେଠାରୁ ମେଣ୍ଟ ହୋଇସାରିଛି । ଯଦି ଘୋଷିତ ମେଣ୍ଟ ନ ହୁଏ ତେବେ ଅଘୋଷିତ ମେଣ୍ଟ ନେଇ ନିର୍ବାଚନ ଲଢ଼ିବେ ଉଭୟ ଦଳ । ଅଘୋଷିତ ମେଣ୍ଟ ହେଲେ ଉଭୟ ଦଳ ପରସ୍ପରକୁ ଭିତିରିଆ ସହଯୋଗ କରିବେ । ବିଭିନ୍ନ ଆସନରେ ପରସ୍ପର ବିରୋଧରେ ଦୁର୍ବଳ ପ୍ରାର୍ଥୀ ଦେବେ ଉଭୟ ଦଳ । ବିଜେପିକୁ ବିଜୟୀ କରାଇବାକୁ ପୁରୀରେ ଦୁର୍ବଳ ପ୍ରାର୍ଥୀ ଦେବେ ବିଜେଡି,ସେହିଭଳି ଭୁବନେଶ୍ୱରରେ ବିଜେଡିକୁ ଜିତେଇବାକୁ ଦୁର୍ବଳ ପ୍ରାର୍ଥୀ ଦେବ ବିଜେପି । ମେଣ୍ଟର ପ୍ରଥମ ପ୍ଲାନ କାମ ନକଲେ ଦ୍ୱିତୀୟ ପ୍ଲାନରେ ଲଢ଼ିବେ ଉଭୟ ଦଳ । ଯେହେତୁ ବିଜେପି ଏବଂ ବିଜେଡିର ତୃଣମୂଳ ସ୍ତରର କର୍ମୀ ମେଣ୍ଟକୁ ନେଇ ଶୀର୍ଷ ନେତୃତ୍ୱଙ୍କୁ ବିରୋଧ କଲେ ସେଥିପାଇଁ ମେଣ୍ଟରେ କିଛି ପରିବର୍ତନ ହୋଇଥାଇପାରେ ବୋଲି କହିଛନ୍ତି ଅଜୟ କୁମାର ।

Advertisment

ମେଣ୍ଟ ଚର୍ଚ୍ଚା ଭିତରେ ବଡ ବୟାନ ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦଳ ଏକାକୀ ଲଢିବା ବୟାନ ବିଜେପି କର୍ମକର୍ତ୍ତାଙ୍କ ମନରେ ଖୁସିରେ ଲହରୀ ଖେଳାଇ ଦେଇଥିବା କହିଛନ୍ତି ଅପରାଜିତା । ଏହି ବୟାନ ଆସିବା ପରେ କେବଳ ବିଜେପି କର୍ମୀ ନୁହନ୍ତି ବରଂ ଓଡ଼ିଶାବାସୀ ମଧ୍ୟ ଆନନ୍ଦିତ ଥିବା କହିଛନ୍ତି ଅପରାଜିତା । ବିଜେପି ରାଜ୍ୟରେ ଏକାକୀ ଲଢିବ ଏବଂ କୌଣସି ଦଳ ସହ ମେଣ୍ଟ କରିବନି ବୋଲି ମନମୋହନ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ସେଲିବ୍ରେସନ କରିବା କଥା ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ । ଅପରାଜିତାଙ୍କ ଏହି ବୟାନ ଏବେ ମେଣ୍ଟକୁ ନେଇ ସସପେନ୍ସ ବଢାଇଛି ।

ସେହିପରି ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଉଭୟ ଦଳକୁ ଟାର୍ଗେଟ କରିଛି କଂଗ୍ରେସ । ବିଜେପି ଓ ବିଜେଡି ଏକାଠି ଥିବା ରାଜ୍ୟବାସୀ ଜାଣି ସାରିଥିବା କହିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଉଭୟ ସରକାର ମହିଳା ବିରୋଧୀ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ଉଭୟ ଦଳର ମିଛ ପ୍ରତିଶ୍ରୁତିକୁ ଲୋକେ ବିଶ୍ୱାସ କରିବେନି ବୋଲି କହଛନ୍ତି ବିଜୟ ।

ସେପଟେ ମେଣ୍ଟକୁ ନେଇ ପ୍ରତିକ୍ରିୟା ରଖି ବରିଷ୍ଠ ସାମ୍ବାଦିକ ତଥା ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିଛି, କିନ୍ତୁ ଶେଷ ହୋଇନାହିଁ । ରାଜ୍ୟ ବିଜେପି ନେତା ୩ ଦିନ ଧରି ଦିଲ୍ଲୀରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିଜେଡି-ବିଜେପି ମେଣ୍ଟରେ ବିଧାନସଭା ଆସନକୁ ନେଇ ଅଙ୍କ ଛିଣ୍ଡିଲା ନାହିଁ । ବିଜେଡି ଦେଇଥିବା ପ୍ରସ୍ତାବକୁ ରାଜ୍ୟ ବିଜେପି ନେତା ଗ୍ରହଣ କଲେ ନାହିଁ ତେଣୁ, ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିଛି, କିନ୍ତୁ ସେଥିରେ ପୂର୍ଣ୍ଣଚ୍ଛେଦ ପଡିନାହି ବୋଲି କହିଛନ୍ତି ରବି ଦାସ ।