ପୂର୍ବତଟ ରେଳବାଇ ବିଭାଜନକୁ ବିରୋଧ କରି ବିଜେଡିର ପ୍ରତିବାଦ: ଜବାବ ରଖିଲେ ରେଳ ରାଷ୍ଟ୍ରମନ୍ତ୍ରୀ, କହିଲେ ଇଂଚେ ବି କମିବନି ଓଡିଶାର ଭାଗ

ସେପଟେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ

160

କନକ ବ୍ୟୁରୋ: ପୂର୍ବତଟ ରେଳବାଇ ଡିଭିଜନ ବିଭାଜନକୁ ନେଇ ଆଜି ପୁଣି ବିରୋଧ ପ୍ରଦର୍ଶନ କରିଛି ବିଜେଡି । ପ୍ରତିବାଦରେ ଚନ୍ଦ୍ରଶେଖରପୁର ସ୍ଥିତ କାର୍ଯ୍ୟାଳୟ ସମୁଖରେ ବିଜେଡି ପକ୍ଷରୁଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କେନ୍ଦ୍ର ସରକାର ଜାଣିଶୁଣି ରାଜନୈତିକ ସ୍ୱାର୍ଥସାଧନ ପାଇଁ ପୂର୍ବତଟ ରେଳବାଇକୁ ଦୁଇଭାଗ କରିଦେଇଥିବା ଅଭିଯୋଗ କରିଛି ବିଜେଡି । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନ ପାଇଁ ଓଡିଶାର ସ୍ୱାର୍ଥକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛି ବିଜେଡି ।

କେନ୍ଦ୍ର ସରକାର ଚକ୍ରାନ୍ତ କରି ଏହାର ୱାଲଟିୟର ଡିଭିଜନକୁ ଅଲଗା କରି ଦେଇଛି । ନୂଆ କରି ଦକ୍ଷିଣତଟ ରେଳବାଇ ଗଠନ କରି ବିଶାଖାପାଟଣାଠାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଖୋଲିଛି ଓ ୱାଲଟିୟରର ପ୍ରମୁଖ ଅଂଶକୁ ସ୍ଥାନାନ୍ତର ପାଇଁ ନିଷ୍ପତି ନେଇଛି । ୱାଲଟିୟର ଡିଭିଜନର ପ୍ରମୁଖ ଅଂଶ ନବଗଠିତ ଦକ୍ଷିଣତଟ ରେଳବାଇ ସହ ମିଶାଇ ଓଡିଶାରେ ପୂର୍ବତଟ ରେଳବାଇର ରେଳ ସେବାକୁ ଦୁର୍ବଳ କରିଦେବାକୁ ଚକ୍ରାନ୍ତି କରିଛି ବୋଲି ବିଜେଡି ଅଭିଯୋଗ ଆଣି ପ୍ରତିବାଦ କରୁଛି ।

 

ସେପଟେ,ଓଡିଶାରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା । ଭୁବନେଶ୍ୱର ରେଳବାଇ ପ୍ରେକ୍ଷାଳୟରୁ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ରେଳ ସଂପ୍ରସାରଣ ଓ ରହଣୀ ନେଇ ଘୋଷଣା କରିଛନ୍ତି ମନୋଜ ସିହ୍ନା । ଏହି ଅବସରରେ ପୂର୍ବତନ ରେଳବାଇ ବିଭାଜନ ପ୍ରସଙ୍ଗରେ ସେ ମତ ରଖିଛନ୍ତି । ସିହ୍ନା କହିଛନ୍ତି କି, ନୂତନ ୱାଲଟିୟର ଜୋନ ଗଠନ ହେଲେ ମଧ୍ୟ ଇଷ୍ଟକୋଷ୍ଟ ଅନ୍ତର୍ଗତ ଗୋଟେ ଇଂଚ ରେଳ ଲାଇନ ଓଡିଶା ଭାଗକୁ ଯିବନି । ଏହି ଜୋନରେ ଥିବା ୫୫୦ କିଲୋମିଟର ରେଳ ଲାଇନ ସହ ଆଉ ୩୬୩ କିଲୋମିଟର ଅଧିକ ଯୋଡାଯାଇ ରାୟଗଡା ଜୋନ ଗଠନ କରାଯାଇଛି । ଏହାଫଳରେ ପଛୁଆ ଅଂଚଳର ବିକାଶ ହୋଇପାରିବ । ଗତ ବର୍ଷରେ କେନ୍ଦ୍ର ପୂର୍ବତଟ ରେଳବାଇ ବିକଶ ପାଇଁ ୨୭ ହଜାର କୋଟି ଟଙ୍କା ଦେଇଛନ୍ତି । ରାଜ୍ୟ ସରକାର ତୁରନ୍ତ ଜମି ଅଧିଗ୍ରହଣ କରନ୍ତୁ ଫଳରେ ଉନ୍ନତିମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ।

ବିଜେଡି ବିରୋଧ ପ୍ରସଙ୍ଗରେ ରେଳ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି କି, ଯେତେବେଳେ ସଂସଦରେ ୱାଲଟିୟର ଡିଭିଜନ ଗଠନ ପାଇଁ ବିଲ ପାସ୍ ହେଲା ସେତେବେଳେ ବିଜେଡିର ବନ୍ଧୁମାନେ ଚୁପ ବସିଥିଲେ କାହିଁକି । ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିରୋଧ ଆଳରେ ବିକାଶକୁ ବାଧା ଦିଆନ ଯାଉ ବୋଲି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କରିଛନ୍ତି ।