ଆଜିଠୁ ଶିମିଳିପାଳରେ ବନ୍ୟପ୍ରାଣୀଙ୍କ ଗଣନା : ବାଘ ସମେତ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓ ପକ୍ଷୀଙ୍କର ହେବ ଗଣନା; ଲାଗିଛି ୪୫୦ରୁ ଅଧିକ ଟ୍ରାପ କ୍ୟାମେରା

ଆଜିଠୁ ଶିମିଳିପାଳରେ ବନ୍ୟପ୍ରାଣୀଙ୍କ ଗଣନା : ବାଘ ସମେତ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓ ପକ୍ଷୀଙ୍କର ହେବ ଗଣନା; ଲାଗିଛି ୪୫୦ରୁ ଅଧିକ ଟ୍ରାପ କ୍ୟାମେରା

କନକ ବ୍ୟୁରୋ : ଆଜିଠୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଆରମ୍ଭ ହୋଇଛି ବାଘ ଗଣନା । ଏନେଇ ଶିମିଳିପାଳ କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ୪ ଶହରୁ ୫ ଶହ ଟ୍ରାପ୍ କ୍ୟାମେରା ବାଘମାନଙ୍କର ଗତିବିଧି ଉପରେ ନଜର ରଖିଥିବା ବେଳେ ୫୦୦ରୁ ଅଧିକ ତାଲିମପ୍ରାପ୍ତ ବନ କର୍ମଚାରୀ ଓ ଅଭିଜ୍ଞ ଅଧିକାରୀଙ୍କୁ ନେଇ ଆରମ୍ଭ ହୋଇଛି ବାଘ ଗଣନା ।

ମହାବଳ ବାଘ ପାଇଁ ଶିମିଳିପାଳ ଅଭୟାରଣ୍ୟ ପ୍ରସିଦ୍ଧି ଲାଭ କରିଥିବା ବେଳେ ଶିମିଳିପାଳରେ ପ୍ରକୃତ ବାଘସଂଖ୍ୟା ଜାଣିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱରା ଆରମ୍ଭ ହୋଇଛି ଏହି ବାଘ ଗଣନା ପ୍ରକ୍ରିୟା । ଏଥିରେ ତାଲିମପ୍ରାପ୍ତ ଅଧିକାରୀଙ୍କ ସହିତ ବିଭିନ୍ନ ରେଞ୍ଜର କର୍ମଚାରୀ ସାମିଲ ହୋଇଛନ୍ତି । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୧୬ଟି ରେଞ୍ଜରେ ଥିବା ୧୭୩ଟି ବିଟ୍ ସମେତ ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ବନଖଣ୍ଡ ଅଂଚଳରେ ଆରମ୍ଭ ହୋଇଥିବା ବାଘ ଗଣନା ପ୍ରକ୍ରିୟା ୨୦୨୪ ଜାନୁଆରୀ ୧୮ ତାରିଖ ଯାଏଁ ଚାଲୁ ରହିବ । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ସାଇନ ସର୍ଭେ ପ୍ରକ୍ରିୟା ଚାଲିବାକୁ ଥିବାବେଳେ ଅକ୍ଟୋବର ୨୫ ରୁ ୨୮ ଯାଏଁ ଲାଇନ ଟ୍ରାଞ୍ଜେକ୍ଟ, ୨୯ ତାରିଖରେ ଶାଗୁଣା ଓ ଅନ୍ୟାନ୍ୟ ପକ୍ଷୀମାନଙ୍କର ସର୍ବେକ୍ଷଣ କରାଯିବ ।

ପରେ ନଭେମ୍ବର ୧ ତାରିଖରୁ ୨୦୨୪ ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ତିନିଟି ପର୍ଯ୍ୟାୟରେ କ୍ୟାମେରା ଟ୍ରାପ୍ ମାଧ୍ୟମରେ ଚିହ୍ନଟ କରାଯିବ । ୨୦୨୧ରେ ପ୍ରକାଶ ପାଇଥିବା ଏନ.ଟି.ସି.ଏର ତଥ୍ୟ ଅନୁସାରେ ଶିମିଳିପାଳରେ ୨୦ଟି ମହାବଳ ବାଘ ରହିଥିଲେ । ଏବେ ଶିମିଳିପାଳରେ ପ୍ରକୃତରେ କେତେ ସଂଖ୍ୟାରେ ବାଘ ରହିଛନ୍ତି ତାହା ଜାଣିବା ପାଇଁ ରାଜ୍ୟ ସରକାର ନିଜେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଶିମିଳିପାଳରେ ବାଘ ସଂଖ୍ୟାକୁ ନେଇ ବହୁବର୍ଷ ହେଲା ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ ଏହି ଗଣନା ପରେ ଏହାର ବାସ୍ତବ ଚିତ୍ର ସମ୍ନାକୁ ଆସିବ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe