କରୋନା ଛଡେଇ ନେଲା ଶିକ୍ଷୟିତ୍ରୀ ଚାକିରି । କଷ୍ଟ ସମୟରେ ହାରି ନଯାଇ ବିକଳ୍ପ ରୋଜଗାର ବାଛିନେଲେ ମହିଳା, ଏବେ ବିଏମସିର ସଫେଇ ଗାଡି ଚଳାଇ ପରିବାର ପୋଷୁଛନ୍ତି ସ୍ମୃତିରେଖା ।

199

କନକ ବ୍ୟୁରୋ : ମହାମାରୀ କରୋନା ଅନେକଙ୍କ ରୋଜଗାର ଛଡାଇ ନେଇଛି । ଆର୍ଥିକ ଅନଟନ ଭିତରେ ପରିବାର ପୋଷିବା କଷ୍ଟକର ହୋଇପଡୁଥିବାବେଳେ ଅଧିକାଂଶ ଲୋକ ସଂଘର୍ଷ ଜାରି ରଖିଛନ୍ତି । ବିକଳ୍ପ ରୋଜଗାର ବାଛି କଷ୍ଟେମଷ୍ଟେ ଚଳିଯାଉଛନ୍ତି ।

ଭୁବନେଶ୍ୱରର ସ୍ମୃତିରେଖା ବେହେରା । କରୋନା କାଳରେ ସ୍ମୃତିରେଖା ଜୀବନ ଯୁଦ୍ଧରେ ହାରି ଯାଇନାହାନ୍ତି । ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଅଳିଆ ଉଠା ଗାଡି ଧରି ବାହାରି ଯାଉଛନ୍ତି ।

ସ୍ମୃତିରେଖା ଏକ ଘରୋଇ ସ୍କୁଲରେ ପ୍ଲେ-ଗ୍ରୁପ ଓ ନର୍ସରି ପିଲାଙ୍କୁ ପାଠ ପଢାଉଥିଲେ । ଶାଶୂଘରେ ସ୍ୱାମୀ ଓ ଦୁଇ ପିଲାଙ୍କ ସହ ରହୁଥିବାବେଳେ କରୋନା ମହାମାରୀ ଯୋଗୁଁ ଚାକିରି ହରାଇବାକୁ ପଡିଲା । କରୋନା ଯୋଗୁଁ ଟ୍ୟୁସନ କରି ପରିବାର ପୋଷିବା ମଧ୍ୟ ସମ୍ଭବ ହେଲାନାହିଁ । କୌଣସି ଉପାୟ ନପାଇ ବିଏମସିର ଅଳିଆ ଉଠା ଗାଡି ଚଳାଇବାକୁ ସେ ବାଧ୍ୟ ହେଲେ ।

ଏବେ ପ୍ରତିଦିନ ବିଏମସିର ‘ମୁଁ ସଫେଇ ବାଲା’ ଗାଡି ଧରି ବାହାରି ଯାଉଛନ୍ତି ସ୍ମୃତିରେଖା । ସକାଳ ୫ଟାରୁ ଦିନ ଗୋଟାଏ ଭିତରେ ଅଳିଆ ନେଇ ଡମ୍ପିଂୟାର୍ଡରେ ପକାଉଛନ୍ତି । ସ୍ୱାମୀ ଏକ ଘରୋଇ ସଂସ୍ଥାରେ କାମ କରୁଥିବାବେଳେ କରୋନା ଯୋଗୁଁ ଠିକରେ ପଇସା ମିଳୁନାହିଁ । ଦୁଇ ଝିଅଙ୍କ ମୁହଁରେ ହସ ଫୁଟାଇବାକୁ ସେ ଏହି ସଫେଇବାଲାର ଭୂୂମିକାକୁ ଓହ୍ଲାଇ ଆସିଛନ୍ତି ଓ ପରିବାରର ବୋଝକୁ ତୁଲାଇପାରିଛନ୍ତି ।