ଜେରା ହେବେ ଆଜେକ୍ସଙ୍କ ପ୍ରେମିକା : ତ୍ରିକୋଣୀୟ ପ୍ରେମରୁ ହତ୍ୟା ସନ୍ଦେହ; ଚାଲିଛି ମୋବାଇଲ କଲ ରେକର୍ଡ ଯାଞ୍ଚ

130

କନକ ବ୍ୟୁରୋ :ଓଡ଼ିଆ ଡ଼ିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ ଘଟଣାକୁ ନେଇ ବଢ଼ୁଛି ସନ୍ଦେହ । ଘଟଣାରେ ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତକଙ୍କ ପ୍ରେମିକା ଓ ପ୍ରେମିକାଙ୍କ ସାଙ୍ଗ ନାଁରେ ମାମଲା ରୁଜୁ ହୋଇଛି । ଆଇପିସିରି ଧାରା ୩୦୬, ୩୪୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ପ୍ରେମିକା ଏବଂ ତାଙ୍କ ସାଙ୍ଗକୁ ଡାକି ପୋଲିସ ବୟାନ ରେକର୍ଡ କରିବ ବୋଲି ସୂଚନା ରହିଛି ।

ଅନ୍ୟପଟେ ଏହି ଘଟଣାରେ ରହସ୍ୟ ଖୋଲିବ ସିଡିଆର । ଏହି ଲୋକପ୍ରିୟ ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ ତରଫରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇ ଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ୁଥିବାବେଳେ ଏହାର ପ୍ରକୃତ କାରଣ କଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେହିପରି ମୃତକଙ୍କ ମୋବାଇଲରେ ଯୁବତୀଙ୍କ ସହ ଚାଟ କରିଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ଗତ ଶନିବାର ସନ୍ଧ୍ୟାରେ ସେ ତାଙ୍କ ଖାରବେଳନଗରସ୍ଥିତ ଘରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିବା ପରଠାରୁ ଏହା ପଛରେ ଥିବା କାରଣକୁ ନେଇ ପରିବାର ଲୋକେ ଓ ତାଙ୍କ ଦୁଇ ସାଙ୍ଗ ପୁଲିସକୁ ବହୁ ତଥ୍ୟ ଦେଇସାରିଛନ୍ତି । ଆଜେକ୍ସଙ୍କ ଡାକ୍ତରୀ ଛାତ୍ରୀ ପ୍ରେମିକା ତାଙ୍କୁ ଧୋକ୍କା ଦେବା ସହ ବିଭିନ୍ନ ବାଟରେ ନିର୍ଯାତନା ଦେଉଥିବାରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇ ଆସୁଛି । ଏମିତିକି ଶୁକ୍ରବାର ରାତିରେ ଆଜେକ୍ସ ସାକ୍ଷାତ କରିବା ସମୟରେ ପ୍ରେମିକା ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିବା ଏବଂ ତାଙ୍କ ଗୁଣ୍ଡା ବାପା ଜରିଆରେ ଗୋଡ଼ ଭାଙ୍ଗିଦେବା ଭଳି ଧମକ ଦେଇଥିବା ଅଭିଯୋଗ ହୋଇଛି ।

ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ମହାରଣାଙ୍କ କହିବା କଥା ଡାକ୍ତରୀ ଛାତ୍ରୀ ଓ ତାଙ୍କ ପୁଅ ପରସ୍ପରକୁ ଭଲ ପାଉଥିଲେ । ସେମାନେ ବିବାହ କରି‌ବେ ବୋଲି ନିଷ୍ପତ୍ତି ନେଇ ସାରିଥିଲେ । ଗତବର୍ଷ ସେମାନେ ଏକାଠି କଟକ ବାଲିଯାତ୍ରା ବୁଲିବା ଅବସରରେ ସେ ଉକ୍ତ ଡାକ୍ତରୀ ଛାତ୍ରୀଙ୍କ ସହ ବହୁ ଆଲୋଚନା କରିଥିଲେ । ଏମିତିକି ଏକା ଜାତିର ହୋଇଥିବାରୁ ବିବାହରେ କୌଣସି ପ୍ରତିବନ୍ଧକ ନଥିବାରୁ ସେ ରାଜି ଥିଲେ ବୋଲି କହିଛନ୍ତି । ଡାକ୍ତରୀ ଛାତ୍ରୀ ମଧ୍ୟ ତାଙ୍କ ବାପାମା’ଙ୍କୁ ବୁଝାଇ ରାଜି କରାଇବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ତେବେ କିଛି ମାସ ପରେ ତାଙ୍କ ଝିଅର ବାହାଘର ଥିଲା ଏବଂ ତାହା ସରିବା ପରେ ସେମାନଙ୍କ ବାହାଘର କଥା ପଡ଼ିବ ବୋଲି ସ୍ଥିର ହୋଇଥିଲା ।

ଏକଦା ପରୀକ୍ଷା ପାଇଁ ୧୫ ହଜାର ଟଙ୍କା ଦେଇଥିଲା ବୋଲି ତାଙ୍କୁ କହିଥିଲା । ଫୋନ୍‌ ପେ’ ଜରିଆରେ ଯୁବତୀଙ୍କୁ ଟଙ୍କା ପଠାଇବାର ପ୍ରମାଣ ରହିଛି । ଏଥିସହିତ ସେମାନେ ଅନେକ ସମୟରେ ବଡ଼ ବଡ଼ ହୋଟେଲ୍‌ରେ ପାର୍ଟି କରୁଥିଲେ । ଏତେ ସତ୍ତ୍ବେ ଯୁବତୀ ଆଜେକ୍ସକୁ ଧୋକ୍କା ଦେଲା । ଏଭଳି ଝିଅ ପାଇଁ ମୋ ପୁଅ ତ ଗଲା, ଆଉ କୌଣସି ମା’ର ପୁଅ ତା’ ଫାସରେ ପଡ଼ି ନ ମରୁ ବୋଲି ଶ୍ରୀମତୀ ମହାରଣା କାନ୍ଦି କାନ୍ଦି କହିଛନ୍ତି । ତେଣୁ ପୁଲିସ ଉପଯୁକ୍ତ ତଦନ୍ତ କରି ଯୁବତୀ ଓ ତା’ ନୂଆ ପ୍ରେମିକକୁ ଜେଲ୍‌ ପଠାଉ ବୋଲି ସେ ଦାବି କରିଛନ୍ତି ।