କନକ ବ୍ୟୁରୋ : ବାଂଲାଦେଶରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜମାତ-ଉଲ୍-ମୁଜାହିଦ୍ଦିନ ଜେଏମବିର ସଦସ୍ୟ ଏବେ ଓଡ଼ିଶାରେ ଲୁଚିଛନ୍ତି । ଏହି ସଂଗଠନର ୩ଜଣ ସଦସ୍ୟ ଗଲା ରବିବାର ଦିନ କୋଲକାତା ପୁଲିସର ଏସଟିଏଫ ଦ୍ୱାରା ଗିରଫ ହେବା ପରେ ସେମାନଙ୍କ ସହଯୋଗୀ ଓଡ଼ିଶାକୁ ଆସିଥିବା ସୂଚନା ମିଳିଛି । ଏହାକୁ ନେଇ କୋଲକାତା ପୁଲିସ ଓଡ଼ିଶା ପୁଲିସ ସହ ଯୋଗାଯୋଗରେ ଥିବା ବେଳେ ପୁଲିସ ପକ୍ଷରୁ ଏବେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି ।

Advertisment

ସୂଚନା ଅନୁଯାୟୀ, କୋଲକାତାରେ ଗିରଫ ହୋଇଥିବା ୩ଜଣ ଆତଙ୍କବାଦୀଙ୍କୁ ମିଶାଇ ମୋଟ ୧୫ଜଣ ସଦସ୍ୟ ବାଂଲାଦେଶରୁ ଭାରତକୁ ଚଳିତ ବର୍ଷ ଆସିଥିଲେ । ସେମାନଙ୍କ ମଧ୍ୟରୁ ୫ଜଣ ପଶ୍ଚିମବଙ୍ଗରେ ଥିଲେ । ଅନ୍ୟ ୧୦ଜଣ ଓଡ଼ିଶା ସମେତ ବିହାର ଓ ଜାମ୍ମୁ କାଶ୍ମୀର ଯାଇଥିବା ସୂଚନା ମିଳିଛି । ଏହି ଗୋଷ୍ଠୀ ୨୦୧୦ରେ ପୁଣେରେ ଏକ ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଥିବା କୁହାଯାଉଛି । ଅତୀତରେ ଅନେକ ଆତଙ୍କବାଦୀ ଓଡ଼ିଶାରେ ଆସି ଲୁଚି ଥିବାବେଳେ ଧରାପଡ଼ିଛନ୍ତି ।

କ୍ରାଇମବ୍ରାଂଚ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଓଡ଼ିଶାର ଏସଟିଏଫ ଏହି ଘଟଣାରେ କୋଲକାତାର ଏସଟିଏଫ ସହିତ ଯୋଗାଯୋଗରେ ରହିଛି । ଗିରଫ ଆତଙ୍କବାଦୀଙ୍କ ବୟାନ ଆଧାରରେ ଓଡ଼ିଶାର କେଉଁ ସ୍ଥାନରେ ଅନ୍ୟ ସଦସ୍ୟ ଲୁଚିଛନ୍ତି ସେନେଇ ଅନୁଧ୍ୟାନ କରିଛନ୍ତି ।