ମମିତାଙ୍କୁ ନ୍ୟାୟ ଦାବି : କଂଗ୍ରେସର ଓଡିଶା ବନ୍ଦ

ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ, ସେପଟେ ହରତାଳ କରିବାକୁ ହାଇକୋର୍ଟ କହିବା ପରେ ତତ୍ପର ପୁଲିସ ପ୍ରଶାସନ; ରାସ୍ତାରୋକ, ଜବରଦସ୍ତ ଦୋକାନ ବଜାର ବନ୍ଦ କଲେ କାର୍ଯ୍ୟାନୁଷ୍ଠାନ 

183

କନକ ବ୍ୟୁରୋ : ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ କଂଗ୍ରେସର ୬ ଘଂଟିଆ ହରତାଳ । ସକାଳ ୬ଟାରୁ କଂଗ୍ରେସର ବନ୍ଦ ପାଳନ ଦିନ ୧୨ଟା ଯାଏଁ ଚାଲିବ । ଏହି ଶାନ୍ତିପୂର୍ଣ୍ଣ ୬ ଘଂଟିଆ ଓଡ଼ିଶା ବନ୍ଦ ସଫଳ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛି କଂଗ୍ରେସ । ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବିକା ସଂକଟରେ ପଡିଥିବାରୁ ୬ଘଂଟିଆ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଦଳ । ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ପାଇଁ, ୧୧ତାରିଖ ଯାଏଁ କଂଟ ଦେଇଥିଲା କଂଗ୍ରେସ । ଦାବି ପୂରଣ ନହେବାରୁ ଦଳ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ତେବେ ବନ୍ଦ ଡାକରା ନେଇ ହାଇକୋର୍ଟଙ୍କ ରାୟ ପରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ବନ୍ଦ ନୁହେଁ ହରତାଳ କରିବାକୁ ହାଇକୋର୍ଟ ରାୟ ଦେବା ପରେ ପୂର୍ବ ନିର୍ଦ୍ଧାରିତ ବନ୍ଦ ପାଳନରୁ ଓହରିଛି ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି । ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି କହିଛନ୍ତି, ବନ୍ଦ ପାଳନ ବଦଳରେ  ଆଜି ସକାଳ ୧୦ଟା ୩୦ରେ ମମିତାଙ୍କୁ ନ୍ୟାୟ ପାଇଁ ୩ ଦଫା ଦାବି ନେଇ ଶୋଭାଯାତ୍ରା ବାହାରିବ । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତୀକାତ୍ମକ ବିକ୍ଷୋଭ ଓ ହରତାଳ ପ୍ରଦର୍ଶନ କରାଯିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଭିଡିଓ ବାର୍ତାରେ କହିଛନ୍ତି ଯେ ରାଜ୍ୟରେ ମା’ ଓ ଭଉଣୀଙ୍କ ଉପରେ ହେଉଥିବା ନିର୍ଯାତନାର ପ୍ରତିବାଦରେ କଂଗ୍ରେସ ଦଳ ବନ୍ଦ ଡାକରା ଦେଇଛି । ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି । ମାତ୍ର ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ହାଇକୋର୍ଟ ଗୁରୁବାର ଏକ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇ କଂଗ୍ରେସ ପକ୍ଷରୁ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବ । ଯଦି କେହି ଜୋର ଜବରଦସ୍ତ ବନ୍ଦ ପାଳନ କରନ୍ତି ତାହାଲେ କଂ‌ଗ୍ରେସ ଦଳ ଏଥିରେ ଭାଗୀଦାର ନୁହେଁ । ତେବେ ରାଜ୍ୟବାସୀ ଏହି ବନ୍ଦରେ ସାମିଲ ହେବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ କରିଛନ୍ତି ।

ଅପରପକ୍ଷରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଦେଶ କଂଗ୍ରେସ ଉପ-ସଭାପତି ଦେବାଶିଷ ପଟ୍ଟନାୟକ ଓ ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଲେ ମା’କୁ ସମ୍ମାନ ଦେବା ନାଁରେ ସରକାରକୁ ଆସିଥିବା ବିଜେଡି ରାଜ୍ୟର ଅଗଣିତ ମା’ ଭଉଣୀମାନଙ୍କୁ ଉପହାସ କରି ଚାଲିଛି । ବିଗତ ୨୨ବର୍ଷ ଭିତରେ ବେବିନା, ଇତିଶ୍ରୀ, ମାଧବୀଲତା ଓ ମମିତାଙ୍କ ଭଳି ବହୁ ଦୁଷ୍କର୍ମ ଓ ହତ୍ୟାରେ ବିଜେଡି ଦଳର ନେତା, ମନ୍ତ୍ରୀ ଜଡ଼ିତ ଥିବା ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ରଙ୍କ ଭଳି ସେମାନଙ୍କୁ ସମର୍ଥନ ଦେଉଛନ୍ତି । ମମିତା ଘଟଣା ଗତ ୨୨ବର୍ଷର ସବୁ ଘଟଣାକୁ ଟପିଯାଇଛି । ଏହି ହତ୍ୟା ମାମଲାରେ ଗୃହ ରାଜ୍ୟ ମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ଉଠୁଥିବା ବେଳେ ମୁଖ୍ୟମନ୍ତ୍ରୀ ଦୁଇଦିନ ତଳେ ତାଙ୍କୁ ସଭାମଞ୍ଚରେ ବସାଇବା ଅତ୍ୟନ୍ତ ଲଜ୍ଜାଜନକ ।

ମନ୍ତ୍ରୀଙ୍କୁ ବହିଷ୍କାର କରିବା ଲାଗି ରାଜ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ ଦେଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରିବା ତ ଦୂରର କଥା ବରଂ ମନ୍ତ୍ରୀଙ୍କୁ ତାଳିମାରି ଉତ୍ସାହିତ କରିବାକୁ ପଛାଇ ନାହାନ୍ତି । ତେଣୁ ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସଫଳ କରିବା ଲାଗି ରାଜ୍ୟବାସୀ ଓ ସମଭାବାପନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନମାନେ ସମର୍ଥନ ଦେବା ଲାଗି କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି। ସାଧାରଣ, ମଧ୍ୟବିତ୍ତ ପରିବାର ଓ ଛୋଟ ବ୍ୟବସାୟୀଙ୍କ ହିତ ଦୃଷ୍ଟିରୁ ବନ୍ଦକୁ ୬ଘଣ୍ଟାରେ ସୀମିତ ରଖିବାକୁ ନିଷ୍ପତ୍ତି ହୋଇଛି । ବନ୍ଦ ସମୟରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ। ବସ୍, ଟ୍ରକ ମାଲିକ ସଂଘ, ଅଟୋ ଚାଳକ ସଂଘ ଓ ବ୍ୟବସାୟୀ ସଂଘକୁ ଏହି ବନ୍ଦରେ ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି ।

ସେପଟେ, ରାଜ୍ୟ କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ନଜରରେ ରଖି ଲୋକସେବା ଭବନ, ଖାରବେଳ ଭବନରେ କଡ଼ାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । କଡ଼ା ସୁରକ୍ଷା ପାଇଁ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ନିର୍ଦେଶ ଦେଇଛନ୍ତି । ଏହାସହ ଲୋକସେବା ଭବନ, ରାଜୀବ ଭବନ ଓ ଅନ୍ୟ ବିଭାଗୀୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା କାର୍ଯ୍ୟାଳୟ ପହଞ୍ଚିବା ପାଇଁ ପରାମର୍ଶ ଦିଆଯାଇଛି । କର୍ମଚାରୀଙ୍କ ପରିଚୟ ପତ୍ର ଓ ପାସ୍ ଚେକିଂକୁ କଡ଼ାକଡ଼ି କରିବାକୁ କୁହାଯାଇଛି ।