ବାମ ଦଳର ୬ ଘଂଟିଆ ଓଡ଼ିଶା ବନ୍ଦ ପାଳନ : ତେଲ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦଳବୃଦ୍ଧି ପ୍ରତିବାଦରେ ଦିନ ୧୨ଟା ଯାଏଁ ଆନ୍ଦୋଳନ

276

କନକ ବ୍ୟୁରୋ : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହି ପ୍ରତିବାଦରେ ଆଜି ୬ ଘଂଟିଆ ଓଡିଶା ବନ୍ଦ ଡାକରା ଦେଇଛି ବାମ ଦଳ । ସକାଳ ୬ଟାରୁ ଆରମ୍ଭ ହୋଇଥିବା ବନ୍ଦପାଳନ ଦିନ ୧୨ଟା ଯାଏଁ ଚାଲିବ । ବିଭିନ୍ନ ଜିଲ୍ଲାରେ ଜାରି ରହିଛି ଆନ୍ଦୋଳନ ।

ସେପଟେ,ବାମପନ୍ଥୀ ଦଳର ଡାକରାରେ ଆଜିର ୬ ଘଂଟିଆ ବନ୍ଦ ପାଳନର ଆଂଶିକ ପ୍ରଭାବ ରାଉରକେଲାରେ ଦେଖିବାକୁ ମିଳିଛି । କେବଳ ପେଟ୍ରୋଲ ପମ୍ପ, ବଡ଼ବଡ଼ ବ୍ୟବସାୟିକ ସଂସ୍ଥା, ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଛି । ଦୁଇ ଚକିଆ ଯାନ ଓ ଅଟୋ ଚଳାଚଳ ସ୍ୱାଭାବିକ ରହିଛି । ଆଇନଶୃଙ୍ଖଳା ରକ୍ଷା ପାଇଁ ସହରରେ ୬ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି । ବାମଦଳର କର୍ମୀ ଏକାଠି ହେବାରେ ଲାଗିଛନ୍ତି ଏବଂ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ପିକେଟିଂ ଜାରି ରଖିଛନ୍ତି ।

ରାଉରକେଲା ସମେତ ସୁନ୍ଦରଗଡ଼, ବଣାଇ, ରାଜାମୁଣ୍ଡା, ବେଦବ୍ୟାସ ଆଦି ସ୍ଥାନରେ ବନ୍ଦ ପାଳନକୁ ଜୋରଦାର କରାଯାଇଛି । ରାଉରକେଲାରେ ସିଟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମିହାନ୍ତି, ବିମାନ ମାଇତି, ଜାହାଙ୍ଗୀର ଅଲି, କଂଗ୍ରେସ ଜିଲ୍ଲା ସଭାପତି ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା ପିକେଟିଂ କରି ଦୋକାନ ବଜାର ବନ୍ଦ କରୁଛନ୍ତି । ବସ ଚଳାଚଳ, ପେଟ୍ରୋଲ ପମ୍ପ, ବ୍ୟବସାୟ ଅନୁଷ୍ଠାନ, ସରକାରୀ ଅଫିସ ଆଦି ବନ୍ଦ ରହିଛି ।