କନକ ବ୍ୟୁରୋ : ଶହେ ବର୍ଷରୁ ଅଧିକ ସମୟର ସଂଗ୍ରାମ, ସଂଘର୍ଷ ଓ ଦାବି ଭିତରେ ଶେଷରେ ଓଡିଆ ଜାତିର ଅସ୍ମିତା ଓ ସ୍ୱାଭିମାନର ସଙ୍ଗୀତକୁ ମିଳିଛି ରାଜ୍ୟ ସଙ୍ଗୀତର ମାନ୍ୟତା । ଉନବିଂଶ ଶତାବ୍ଦୀର ପ୍ରଥମରୁ ଯେତେବେଳେ ଓଡିଆ ମାନଙ୍କୁ ସଂଗଠିତ କରିବା ପାଇଁ ଜାତୀୟତାବୋଧର ଆବଶ୍ୟକତା ଅନୁଭୂତ ହୋଇଥିଲା ଏବଂ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଓଡିଆ ଜାତି ସଂଗ୍ରାମ ଆରମ୍ଭ କରୁଥିଲା ସେତେବେଳେ ଏହି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଓଡିଆ ମାନଙ୍କ ମଧ୍ୟରେ ସ୍ୱାଭିମାନ ଓ ଜାତୀୟତାବୋଧ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନେଇଥିଲା ।
କରୋନା ଯୋଦ୍ଧାଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇ କୋଟି କୋଟି ଓଡିଆ ଗାଇଥିବା ଉତ୍କଳ ଜନନୀର ବନ୍ଦନା, ବନ୍ଦେ ଉତ୍କଳ ଜନନୀ, ରାଜ୍ୟ ସଂଗୀତର ମାନ୍ୟତା ପାଇଛି । ମେ ୩୦ ତାରିଖର ଐତିହାସିକ ମୁହୂର୍ତ୍ତକୁ ସ୍ମରଣୀୟ କରିବା ସହ ସାଢେ ୪ କୋଟି ଓଡିଆଙ୍କ ଭାବାବେଗକୁ ସମ୍ମାନ ଜଣାଇଛନ୍ତି ସରକାର । କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ଅନବଦ୍ୟ ସୃଷ୍ଟି ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ଭାବରେ ସରକାରୀ ମାନ୍ୟତା ଦେଇଛି ରାଜ୍ୟ କ୍ୟାବିନେଟ୍ ।
ରାଜ୍ୟ ସଂଗୀତ ମାନ୍ୟତା ପାଇବା ସହ ଏହାକୁ ଗାନ କରିବାର ବିଧି ଓ ମାନ୍ୟକ୍ରମ ଦର୍ଶାଯାଇଛି ।
- ସଙ୍ଗୀତ ଗାୟନର ଅନୁମୋଦିତ ସ୍ୱର, ଶୈଳୀ ତଥା ରେକର୍ଡିଂ ଓଡିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯିବ
- ଏହାର ଗାନ ଅବଧି, ସ୍ୱର ତଥା ଶୈଳୀ ରେକର୍ଡିଂ କରାଯିବ
- ସରକାରୀ କାର୍ଯ୍ୟକ୍ରମ, ବିଧାନସଭାର ଅଧିବେଶନ ଓ ଅନ୍ୟ ସ୍ୱତନ୍ତ୍ର ଆୟୋଜିତ କାର୍ଯ୍ୟକ୍ରମରେ ଏହି ସଙ୍ଗୀତ ଗାନ କରାଯିବ
- ବିନା ବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ ଗାନ କରାଯିବ
- ବିଦ୍ୟାଳୟ, ମହାବିଦ୍ୟାଳୟ , ଅନ୍ୟାନ୍ୟ ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଙ୍ଗୀତ ବା ବାଦ୍ୟ ଯନ୍ତ୍ର ସହିତ ଏହାକୁ ଗାନ କରାଯିବ
- ଉଦଘାଟନୀ, ଉଦଯାପନୀ ଓ ଉଦବୋଧନୀ ସଙ୍ଗୀତ ଭାବରେ ଏହା ଗାନ କରାଯିବ
- ଏହି ସମୟରେ ରାଜ୍ୟ ସଙ୍ଗୀତ ପ୍ରତି ସମ୍ମାନ ଜଣାଇ ଉପସ୍ଥିତ ସମସ୍ତେ ସଙ୍ଗୀତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଣ୍ଡାୟମାନ ରହିବେ
- ମାତ୍ର ବୟସ୍କ, ଅସୁସ୍ଥ, ଭିନ୍ନକ୍ଷମ, ଶିଶୁ, ଗର୍ଭବତୀ ମହିଳା ନିଜ ସ୍ଥାନରେ ନମ୍ର ଭାବରେ ବସି ରହି ଏଥିପ୍ରତି ସମ୍ମାନ ପ୍ରଦର୍ଶନ କରିବେ
- ଏହି ସଙ୍ଗୀତକୁ ପୋଲିସବ୍ୟାଣ୍ଡ, ବଂଶୀ, ସୀତାର ଭଳି ବିଭିନ୍ନ ବାଦ୍ୟ ଯନ୍ତ୍ର ମାଧ୍ୟମରେ ପରିବେଷଣ କରାଯିବ
- ସଙ୍ଗୀତର ପ୍ରଚାର, ପ୍ରସାର, ତଥା ଅଭିବୃଦ୍ଧି ନିମନ୍ତେ ଏହାର ସୃଜନାତ୍ମକ ପରିବେଷଣ ଉପରେ କୌଣସି କଟକଣା ରହିବନାହିଁ
- ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହି ସଙ୍ଗୀତକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ
୧୯୧୨ ମସିହାରେ ଉତ୍କଳ ସମ୍ମିଳନୀର ବାଲେଶ୍ୱର ଅଧିବେଶନରେ ପ୍ରଥମ କରି ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ୧୯୩୬ ଏପ୍ରିଲ ୧ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେବା ସମୟରୁ ଏହି ସଙ୍ଗୀତ ପ୍ରତିଟି ଓଡିଆର ଭାବନା ସହ ଜଡିତ ରହିଛି । ୧୯୯୪ ମସିହା ନଭେମ୍ବର ୭ ତାରିଖରୁ ବିଧାନସଭାର ପ୍ରତିଟି ଅଧିବେଶନର ଶେଷ ଦିନରେ ଏହାକୁ ଗାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/11-6.jpg)