ବଲାଙ୍ଗୀରରେ ସରପଞ୍ଚ ପଦ ପାଇଁ ନିଲାମ ଅଭିଯୋଗ ଘଟଣା । ଆଜି ସଂଧ୍ୟା ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ବିଲେଇସର୍ଡ଼ା ଗାଁରେ ମନ୍ଦିର ନିର୍ମାଣ ନାଁରେ ବୈଠକ କରି ଆଶାୟୀଙ୍କୁ ମୁଲଚାଲ କରାଯାଉଥିବା ଅଭିଯୋଗ

118

ବଲାଙ୍ଗୀରରେ ସରପଞ୍ଚ ପଦ ପାଇଁ ନିଲାମ ଅଭିଯୋଗ ଘଟଣାରେ ଆଜି ତଦନ୍ତ ରିପୋର୍ଟ ଦେବେ ଜିଲ୍ଲାପାଳ । ଏପରି ଅଭିଯୋଗ ଆସିବା ପରେ ରାଜ୍ୟ ନିର୍ବାଚନ କମିଶନ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନୋଟିସ୍ କରିଛନ୍ତି । ଘଟଣାର ବିଧିବଦ୍ଧ ତଦନ୍ତ କରି ଆଜି ସଂଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ବିଲେଇସର୍ଡା ଗାଁରେ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ନାଁରେ ସରପଞ୍ଚ ପଦର ଖୋଲାଖୋଲି ନିଲାମ ହୋଇଥିବା ଅଭିଯୋଗ ହୋଇଥିଲା । ଗାଁ ପାଠାଗାର ସମ୍ମୁଖରେ ବିଲେଇସର୍ଡା ପଂଚାୟତର ତିନିଟି ଗାଁ ଲୋକଙ୍କ ଉପସ୍ଥିତିରେ ମୂଲଚାଲ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ୨୦୨୨ ପଂଚାୟତ ନିର୍ବାଚନ ସମୟରେ କରୋନା ସମସ୍ତଙ୍କୁ ଡରାଇଛି । ଏଣୁ ଏଥର ମନୋନୟନ ଭିତ୍ତିରେ ସରପଞ୍ଚ ବାଛିବାକୁ ବୈଠକ ହୋଇଥିଲା। ଏଥିରେ ବିଲେଇସର୍ଡା ପଂଚାୟତର ବିଲେଇସର୍ଡା, ବନ୍ଦନାକଟା, କସୁରପାଲି ଗାଁର ବରିଷ୍ଠ ଲୋକଙ୍କୁ ଡକାଯାଇଥିଲା । ଏହାସହ ଯେଉଁମାନେ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ ସେମାନଙ୍କୁ ବି ଡକାଯାଇଥିଲା । ୪ ଜଣ ପ୍ରତିଦ୍ୱନ୍ଦ୍ବୀ ରହିଥିଲେ। ବୈଠକରେ ସୁଶାନ୍ତଙ୍କୁ ଲୋକେ ମନୋନୀତ କରିଥିଲେ । ବୈଠକରେ ସେ ଯାହା ନିର୍ବାଚନରେ ଖର୍ଚ୍ଚ କରିବେ ତାହା ଜଗନ୍ନାଥ ମନ୍ଦିରକୁ ଦେବାକୁ ନେଇ ଆଲୋଚନା ହୋଇଥିଲା ଏବଂ ସୁଶାନ୍ତ ନିଜେ ଗରିବ ଶ୍ରେଣୀର ହୋଇଥିବାରୁ ୪୪ ହଜାର ଟଙ୍କା ଦେବେ ବୋଲି କହିଥିଲେ ।

ଏଭଳି ଭାବେ ଗାଁରେ ବସିଥିବା ପଂଚ ତଥା ବୈଠକରେ ସରପଞ୍ଚ କିଏ ହେବ ମନୋନୟନ ହୋଇଛି। ସମସ୍ତେ ସୁଶାନ୍ତଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି କହିଛନ୍ତି । କିନ୍ତୁ ବୈଠକ ନିଷ୍ପତ୍ତିକୁ ନମାନି ଯଦି କେହି ନାମାଙ୍କନ ଦାଖଲ କଲେ ଆଉ କଣ କରାଯାଇପାରିବ ବୋଲି ପଂଚାୟତବାସୀ କହିଛନ୍ତି। କିନ୍ତୁ କରୋନା କାଳରେ ସଂକ୍ରମଣର ଭୟାବହତାକୁ ଦେଖି ଏଭଳି ବୈଠକ କରାଯାଇ ସରପଞ୍ଚ କିଏ ହେବ ଚୟନ କରାଯାଇଥିବା ସମସ୍ତେ କହିଛନ୍ତି । ଏଭଳି ଭାବରେ ସରପଂଚ ଚୟନକୁ ନେଇ ଅନେକ ପ୍ରଶ୍ନ ଏବେ ଉଠିଛି । ଏହା ଗଣତନ୍ତ୍ରର ବିଡ଼ମ୍ବନା ନା ସହମତିରେ ସରପଞ୍ଚ ବୋଲି ପ୍ରଶ୍ନ ଉଠିଲାଣି । ଏଥର ନିର୍ବାଚନ ନାମାଙ୍କନ ଦାଖଲ ସମୟରେ ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।