ଚାଷୀ ପ୍ରସଙ୍ଗରେ କମ୍ପିବ ବିଧାନସଭା ! ଆଜିଠାରୁ ଆରମ୍ଭ ହେଉଥିବା ଶୀତ ଅଧିବେସନରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ରଣନୀତି

27

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେସନ । ୨୬ଟି କାର୍ଯ୍ୟଦିବସ ଥିବା ଏହି ଲମ୍ବା ଅଧିବେସନ ଚଳାଇବା ସରକାରୀ ଦଳ ଓ ବାଚସ୍ପତିଙ୍କ ପାଇଁ ସହଜ ହେବନାହିଁ । କାରଣ ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲୁସ୍ତୁଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଗୃହ ଭିତରେ ଓ ବାହାରେ ଘେରିବ ବିଜେପି । ଫସଲ କ୍ଷତି ଜନିତ ଇନପୁଟ ସବସିଡି ପ୍ରଦାନରେ ଉପଯୁକ୍ତ ହିତାଧିକାରୀ ଚୟନ ଓ ଚକଡା ପୋକ ମୁକାବିଲାରେ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିପାରେ ଭାରତୀୟ ଜନତା ଦଳ ।

କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ସାର୍ବଜନିନ କରିବାକୁ ଦାବି କରିବ ବିଜେପି । ପ୍ରତି ଜିଲ୍ଲାପାଳ, ତହସିଲ ଓ ଆରଆଇ ଅଫିସ ଆଗରେ ଧାରଣା ଦେବେ ବିଜେପି ନେତା ଓ କର୍ମୀ । ତରବରିଆ ଭାବେ ସରକାର କ୍ଷୟକ୍ଷତି ରିପୋର୍ଟ ଆଣିଛନ୍ତି ଏବଂ ରାସନ କାର୍ଡ ଭଳି କେବଳ ବିଜେଡି ଚାଷୀଙ୍କୁ କ୍ଷତିପୂରଣ ନମିଳୁ ବୋଲି ଦଳ ଦାବି କରିବ । ବିରୋଧୀଙ୍କୁ କାଉଂଟର କରିବା ପାଇଁ ବିଜେଡିର କେନ୍ଦ୍ର ବିରୋଧୀ ରଣନୀତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ଅସ୍ତ୍ର କରିବ ଶାସକ ବିଜେଡି ଦଳ । ସେହିପରି ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ର ବିରୋଧୀ ସ୍ୱର ଉଠାଇ ବିଜେପିକୁ ଗୃହରେ ଚୁପ କରିବ । ବିଧାନସଭାରେ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ବିରୋଧୀଙ୍କ ପାଖରେ ଲମ୍ବା ତାଲିକା । ଚାଷ ଓ ଚାଷୀ ପ୍ରସଙ୍ଗ ସହ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ରାଜନୀତିରେ ଅପରାଧିକରଣ, ସାର ଓ କୀଟନାସକ ଯୋଗାଣରେ ହେରଫେର ଏବଂ ଅଣ୍ଡା ଓ ପିଆଜ ଦର ବୃଦ୍ଧି ଭଳି ପ୍ରସଙ୍ଗରେ ଶାସକ ଦଳକୁ ଘେରିପାରନ୍ତି ବିରୋଧୀ ।

ନଭେମ୍ବର ୩୦ ତାରିଖରେ ବିଧାନସଭାରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବ । ଶୀତ ଅଧିବେସନରେ ୧୬ଟି ସରକାରୀ ଓ ୫ଟି ବେସରକାରୀ କାର୍ଯ୍ୟଦିବସ ରହିଛି । ତେବେ ଚଳିତ ଅଧିବେସନ ଲମ୍ବା ସମୟ ଧରି ଚାଲୁଥିବାରୁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପାସ କରିବାକୁ ଯୋଜନା ରଖିଛନ୍ତି । ଡିସେମ୍ବର ୧୨ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପରିତ ହେବ । ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ ଓ ଏଥିରେ ମୋଟ ୨୬ଟି କାର୍ଯ୍ୟଦିବସ ରହିଛି। ଏ ମଧ୍ୟରେ ୧୬ଟି ସରକାରୀ, ପାଞ୍ଚଟି ବେସରକାରୀ ଓ ବାକି ପାଞ୍ଚ ଦିନ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ତେବେ ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଅଧିବେଶନରେ ନିର୍ଦିଷ୍ଟ କେଉଁ ସରକାରୀ ବିଲ୍ ଆସିବ, ତାହା ଜଣାପଡିନାହିଁ ।

ବିଜ୍ଞପ୍ତି ଅନୁସାରେ,ପ୍ରଥମ ଦୁଇଦିନ ସରକାରୀ କାର୍ଯ୍ୟଦିବସ ରହିଛି । ୩୦ ତାରିଖରେ ପ୍ରଥମ ଅତିରିକ୍ତ ବଜେଟ୍ (୨୦୧୭-୧୮) ଆଗତ ହେବ। ରବିବାର ବ୍ୟତୀତ ଡିସେମ୍ବର ୨ ତାରିଖ ମହମ୍ମଦଙ୍କ ଜୟନ୍ତୀ, ଡିସେମ୍ବର ୯ ତାରିଖ ଦ୍ୱିତୀୟ ଶନିବାର ଓ ଡିସେମ୍ବର ୨୫ ତାରିଖରେ ବଡ଼ଦିନ ଅବସରରେ ବିଧାନସଭା ବୈଠକ ବସିବ ନାହିଁ । ନଭେମ୍ବର ୭, ୮ ଓ ୧୧ ତାରିଖରେ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ଓ ୧୨ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ଲାଗି ପ୍ରସ୍ତାବ ଆସିବ । ବିଧାନସଭା କାର୍ଯ୍ୟବିଧି ପରିଚାଳନା ନିୟମ ଅନୁସାରେ, ବର୍ଷକୁ ସର୍ବନିମ୍ନ ୬୦ ଦିନ ବୈଠକ ବସିବା କଥା । ଚଳିତବର୍ଷ ପ୍ରଥମ ଦୁଇଟି ଅଧିବେଶନରେ ୩୪ଟି ବୈଠକ ଅନୁଷ୍ଠିତ ହୋଇଥିଲା ।