ବିରୋଧୀ ଦଳ ବିଭାଜିତ, ଲାଭ କାହାର? ଅଧିକ ଆକ୍ରମଣାତ୍ମକ ପ୍ରଦର୍ଶନ କରୁଛି କଂଗ୍ରେସ, ସଙ୍କୁଚିତ ହେଉଛି ବିଜେପି

ବିଧାନସଭାରେ ବିରୋଧୀ ବନାମ ବିରୋଧୀ: କଂଗ୍ରେସ କହିବାକୁ ସୁଯୋଗ ଦେଉନଥିବା ଅଭିଯୋଗ ଆଣିଲା ବିଜେପି, ନିଜ ନିଜ ଆସନରେ ଛିଡା ହୋଇ ବିଧାୟକଙ୍କ ନାରାବାଜି

କନକ ବ୍ୟୁରୋ: ବିଧାନସଭାରେ ସରକାରଙ୍କ ପାଇଁ ଭାରି ପଡୁଛି କି କଂଗ୍ରେସ? ବିଜେପି ତୁଳନାରେ କଂଗ୍ରେସ ଅଧିକ ପ୍ରଚଣ୍ଡ ହେଉଛି କି? ବିଜେପି ଶୃଙ୍ଖଳିତ ଓ ଗଠନମୂଳକ ବିରୋଧୀ ଦଳ ଭୂମିକା ନିଭାଇବାକୁ ଚାହୁଁଛି? ନା କିଛି ବାଧ୍ୟ ବାଧ୍ୟକତା ଅଛି?

ବିଧାନସଭାରେ ଗତ କିଛି ଦିନ ଧରି କଂଗ୍ରେସ ଓ ବିଜେପି ବିଧାୟକମାନଙ୍କ ଆଚରଣ ଓ ଉଚ୍ଚାରଣ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଏମିତି ଏକ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ପାଟକୁରା ନିର୍ବାଚନ ପାଇଁ ବିଜେଡି ସଦସ୍ୟଙ୍କ ଉପସ୍ଥାନ ଗୃହରେ କମ ରହୁଥିଲେ ବି ମୁଖ୍ୟ ବିରୋଧୀ ଦଳ ବିଜେପି ଏଥିରୁ ଯେଭଳି ଲାଭ ଉଠାଇବା କଥା ଦେଖାଯାଉନାହିଁ। ଓଲଟା ବିଜେପି ତୁଳନାରେ କଂଗ୍ରେସ ଅଧିକ ଆକ୍ରମଣାତ୍ମକ ଥିବା ବାରି ହୋଇପଡୁଛି। କଂଗ୍ରେସ ସଂଖ୍ୟାରେ କମ୍ ଥିଲେ ବି ମୁଖ୍ୟ ବିରୋଧୀ ଦଳ ତୁଳନାରେ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଅଧିକ ବ୍ୟସ୍ତ ଓ ବିବ୍ରତ ଏକଥା ପ୍ରମାଣିତ କରିବା ଲାଗି କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ଅନ୍ୟପଟେ ଗୃହରେ କିଏ କେତେ ସକ୍ରିୟ ରହିବ, ସେ ନେଇ କଂଗ୍ରେସ-ବିଜେପି ବଳ କଷାକଷି କାରଣରୁ ସରକାର ମଧ୍ୟ ସେତିକି ଚାପରେ ନାହାନ୍ତି, ଯେତିକି ସେମାନେ ମିଳିତ ଭାବେ ଷଣ୍ଢୁଆସୀ ଆକ୍ରମଣ କରିଥିଲେ ରହିଥାନ୍ତେ। କୌତୂହଳର କଥା ହେଉଛି, ଏସବୁ ଭିତରେ ମୁଖ୍ୟ ବିରୋଧୀ ଦଳ ବିଜେପି ଫିକା ପଡ଼ିଯାଉଛି।

ବିଷ୍ଣୁ-ନରସିଂହ କଥା କଟାକଟି, ବିଜେଡିକୁ ସୁଯୋଗ

ସମ୍ଭବତଃ ଏମିତି ଆଶଙ୍କା କରି ଗତକାଲି ଶୂନ୍ୟକାଳରେ ବିଜେପି ଦଳ ଉପନେତା ବିଷ୍ଣୁ ସେଠୀ ଗୃହରେ ବଡ଼ ପାଟିରେ ଖୋଲା ଅସନ୍ତୋଷ ଝାଡ଼ିଥିଲେ। ଶୂନ୍ୟକାଳରେ ସମସ୍ତଙ୍କର ସମାନ ଅଧିକାର ଅଛି ବୋଲି ବାରମ୍ବାର ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କ୍ଷୋଭ ପ୍ରକାଶ କରି କହିଥିଲେ, ବିଜେଡି ଓ କଂଗ୍ରେସ ଯୋଜନାବଦ୍ଧ ଭାବେ ଏମିତି କାମ କରୁଛନ୍ତି। ସେମାନେ (କଂଗ୍ରେସ) ଲଗାତର ତିନି ଜଣ କହିସାରି ଗୃହରେ ପାଟିତୁଣ୍ଡ କଲେ। ବିଜେପିକୁ କହିବା ପାଇଁ ସୁଯୋଗ ମିଳୁନି। ଏସବୁ ଠିକ୍ ହେଉ ନାହିଁ। ଆମେ ଅଚଳାବସ୍ଥା ସୃଷ୍ଟି କଲେ କେହି ସମ୍ଭାଳି ପାରିବେନି ବୋଲି ବି ଧମକାଇଥିଲେ। ଏହା ପରେ ବିଜେପି ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ କଂଗ୍ରେସ ସଭ୍ୟଙ୍କ ଆଚରଣର ପ୍ରତିବାଦ କରିଥିଲେ। ବାଚସ୍ପତି ଗୃହକୁ ଠିକ୍ ଭାବେ ପରିଚାଳନା ନ କଲେ ସେମାନେ କକ୍ଷତ୍ୟାଗ କରିବେ ବୋଲି ଧମକ ଦେଇଥିଲେ। ହେଲେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ବରଂ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ କାରଣରୁ ଗୃହ ମୁଲତବୀ ହୋଇଥିଲା।

ଶ୍ରୀ ସେଠୀ ଗୃହ ଭିତରେ ରଖିଥିବା ଅସନ୍ତୋଷ ଓ ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ରଖିଥିବା ବିବୃତିର ପ୍ରତିଜବାବ ଦେଇ ଗୃହ ବାହାରେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଯାହା କହିଥିଲେ, ତାହା ବିଜେପି ପାଇଁ କଟା ଘା’ରେ ଚୂନ ସଦୃଶ। ଶ୍ରୀ ମିଶ୍ର କହିଥିଲେ, ବିଜେପି କାହିଁକି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ଦାବି ଉଠାଉନି? କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଥିଲା ବେଳେ ଶାସକ ଦଳକୁ ସୁରକ୍ଷା ଦେବା ପାଇଁ ବିଜେପି ଅନ୍ୟ ପ୍ରସଙ୍ଗ ଉଠାଉଛି। ମୁଖ୍ୟମନ୍ତ୍ରୀଙ୍କ ଦୟାରେ ବିଜେପି ଜଣଙ୍କୁ ରାଜ୍ୟସଭାକୁ ପଠାଇଛି। ତେଣୁ କିଏ କାହା ସହ ଫିକ୍ସିଂ କରିଛି, ତାହା ରାଜ୍ୟବାସୀଙ୍କୁ ଜଣା। ସ୍ମରଣ ଥାଉକି, ପୂର୍ବରୁ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ବିେରାଧୀ ଦଳ ନେତା ପଦବିକୁ େନଇ ଅସନ୍ତୋଷ ପ୍ରକାଶ କଲାବେଳେ ପରୋକ୍ଷରେ ରାଜ୍ୟସଭା ନିର୍ବାଚନ ଘା’କୁ ଉଖାରି ଦେଇଥିଲେ। ନିଜ ଦଳ ଭୂମିକା ସଂପର୍କରେ ଅପେକ୍ଷାକୃତ ନିରବ ରହିଥିଲେ ଜୟ ନାରାୟଣ। କିନ୍ତୁ ବିଜେଡି ଆଡ଼କୁ ଆଙ୍ଗୁଠି ଉଠାଇ ରାଜ୍ୟର କେଉଁ ସ୍ବାର୍ଥ ହାସଲ ପାଇଁ ସେମାନେ ସମର୍ଥନ ଦେଲେ, ସେ ନେଇ ପଚାରିବାକୁ ଗଣମାଧ୍ୟମକୁ ପ୍ରବର୍ତାଇଥିଲେ। ଏହାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ନରସିଂହଙ୍କ କଟାକ୍ଷ ପ୍ରସଙ୍ଗକୁ ପୁଣି ଆଲୋଚନା ଭିତରକୁ ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe