କନକ ବ୍ୟୁରୋ : ଆଦିବାସୀଙ୍କ ଜମି ବିକ୍ରି ନେଇ କ୍ୟାବିନେଟ ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଛନ୍ତି । କିନ୍ତୁ ଏହାକୁ ନେଇ ତାତି କମୁନାହିଁ । ବିଧାନସଭାରେ ସରକାରଙ୍କୁ ଆକ୍ରମଣ କରି ଗୃହକୁ ଚଲାଇଦେଇନାହାନ୍ତି ବିରୋଧୀ । ଫଳରେ ବିଧାନସଭା ଶୀତ ଅଧିବେଶର ଦ୍ୱିତୀୟ ଦିନ ଚାଲିପାରିନାହିଁ । ବିଜେପି ବୁଧବାରଦିନ ଆଦିବାସୀ ଜମି ହସ୍ତାନ୍ତର ନେଇ ମୁଲତବୀ ପ୍ରସ୍ତାବ ଆଣିଥିଲା । ଗୃହର ସମସ୍ତ କାର୍ଯ୍ୟକୁ ବନ୍ଦ କରି ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ପ୍ରଶ୍ନ କାଳ ଆରମ୍ଭ ହେବା ମାତ୍ରେ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ଓ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ପେସା ଆଇନ ଲାଗୁ କରିବାକୁ କଂଗ୍ରେସ ଦାବି କରିଥିଲା । ବିଜେପି ସଦସ୍ୟ ଆଦିବାସୀ କପଡାରେ ବୁଣାଯାଇଥିବା ଉତରୀୟ ପକାଇ ଗୃହକୁ ପ୍ରବେଶ କରିଥିଲେ । ହଟ୍ଟଗୋଳ ଯୋଗୁଁ ଗୃହକୁ ପ୍ରଥମେ ଦିନ ୧୨ଟା ଓ ପରେ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି ।
ବିିଧାନସଭାକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବର୍ଦଳୀୟ ବୈଠକ ଡାକିଥିଲେ । କିନ୍ତୁ ଏହା ବିଫଳ ହୋଇଛି । ଅପରାହ୍ନ ୪ଟା ପରେ ବି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକୁ ଗୁରୁବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ବିଜେପି ଅଭିଯୋଗ ଆଣିଛି, ଆଦିବାସୀଙ୍କ ଜମି ଅଣ ଆଦିବାସୀ କିଣିବା ନିଷ୍ପତିକୁ ସ୍ଥଗିତ ନୁହେଁ ପ୍ରତ୍ୟାହାର କରାଯାଉ । ଏହାପଛରେ ରାଜ୍ୟ ସରକାରଙ୍କ ବଡ ଚକ୍ରାନ୍ତ ଓ ଷଡଯନ୍ତ୍ର ରହିଛି । କଂଗ୍ରେସ କହିଛି, କ୍ୟାବିନେଟ ନିଷ୍ପତ୍ତିସଂପୂର୍ଣ୍ଣ ଆଦିବାସୀମାରଣ ନୀତି । ଆଦିବାସୀଙ୍କ ପ୍ରତି ଦରଦ ଥିଲେ ସରକାର ତୁରନ୍ତ ପେଶା ଆଇନ ଲାଗୁ କରନ୍ତୁ । ଜବାବରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ବିରୋଧୀ ଶସ୍ତା ରାଜନୀତି କରୁଛନ୍ତି । ଗୋଳିଆ କରି ଗୃହକୁ ବନ୍ଦ କରୁଛନ୍ତି ।
ଆଦିବାସୀ ଜମି ପ୍ରସଙ୍ଗରେ ଧୋଇହୋଇଯାଇଛି ବିଧାନସଭାର ଦ୍ୱିତୀୟ ଦିନର ଗୃହକାର୍ଯ୍ୟ । ଗୁରୁବାର ବିରୋଧୀ ଗୃହରେ କି ଆଭିମୁଖ୍ୟ ଦେଖାଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।