ଆଜି ବିଧାନସଭାର ଶୀତକାଳୀନ ଅଧିବେଶନ : ସନ୍ଧ୍ୟାରେ ଆଗତ ହେବ ଅତିରିକ୍ତ ବଜେଟ୍

ପ୍ରଥମ ଦିନରୁ ମମିତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ସଜବାଜ ;ଗ୍ୟାସ ଦର ବୃଦ୍ଧି ଓ କେନ୍ଦ୍ରୀୟ ଅବହେଳା ବିଜେଡି ପାଇଁ ସାଜିବ ଢାଲ

102

କନକ ବ୍ୟୁରୋ : ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶ ଆଜିଠାରୁ ଆରମ୍ଭ ହେଉଛି । ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଏହି ଅଧିବେଶନରେ ମୋଟ୍ ୨୬ଟି କାର୍ଯ୍ୟଦିବସ ରଖାଯାଇଛି। ସମ୍ପୂର୍ଣ୍ଣ କୋଭିଡ୍ କଟକଣାରେ ଗୃହ ପରିଚାଳିତ ହେବ ।

ଆଜି ଅପରାହ୍ନ ୫ଟାରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଗୃହରେ ଆଗତ ହେବ। ୧୦ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ଆଗତ ହୋଇ ଅତିରିକ୍ତ ବିଜେଟ୍ ଗୃହୀତ କରାଯିବ। ଡିସେମ୍ବର ୧୧ରୁ ୩୧ ତାରିଖ ଯାଏ ସରକାରୀ କାର୍ଯ୍ୟଦିବସ ରଖାଯାଇଛି। ତାହା ମଧ୍ୟରୁ ୧୭, ୨୪ ଓ ୨୯ ତାରିଖରେ ବେସରକାରୀ କାର୍ଯ୍ୟ ଦିବସ ରହିଛି । ଡିସେମ୍ବର ୫, ୧୨, ୧୯ ଓ ୨୬ ତାରିଖରେ ରବିବାର ଏବଂ ୨୫ ତାରିଖରେ ବଡ଼ ଦିନ ପାଇଁ ଗୃହ କାର୍ଯ୍ୟ ହେବ ନାହିଁ । ଡିସେମ୍ୱର ୧ ତାରିଖ ଦିନ ଗୃହର ପ୍ରାରମ୍ଭିକ ଅଧିବେଶନ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ । ଅନ୍ୟ ଦିନରେ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ମିନିଟ୍ ଏବଂ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗୃହରେ ନିୟମିତ ଭାବେ ଉଭୟ ତାରକା ଏବଂ ଅଣତାରକା ଚିହ୍ନିତ ପ୍ରଶ୍ନମାନଙ୍କର ଉତ୍ତର ରଖାଯିବ ।

ଠିକ୍ ସେହିଭଳି ଗୃହରେ ମୁଲତବୀ ପ୍ରସ୍ତାବ ମଧ୍ୟ ବିରୋଧୀଦଳ ତରଫରୁ ଆଗତ କରାଯାଇପାରିବ। ବିଧାନସଭା ଅଧିବେଶନ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଧାନସଭା ଅଧିବେଶନ ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ୬୦ ଦିନ ବସିବାର ନିୟମ ରହିଛି । ଚଳିତ ବର୍ଷ ବଜେଟ୍ ଓ ମୌସୁମୀ ଅଧିବେଶନ ମୋଟ୍ ୩୪ଟି କାର୍ଯ୍ୟଦିବସ ସରିଛି । ତେଣୁ ଶୀତ ଅଧିବେଶନରେ ଆଉ ୨୬ ଦିନ ଗୃହ ଚାଲିବା ପାଇଁ ବିଜ୍ଞପ୍ତି ଜାରି ହୋଇଛି । ତେବେ ୧୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେଲା ପରେ ଗୃହ ଅଧିବେଶନ ଶେଷ ପର୍ଯ୍ୟନ୍ତ ଚାଲିବ ନା ଅଧାରୁ ମୁଲତବୀ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଏଥର ବିଧାନସଭାରେ ଝଡ ଉଠିବାର ଅନେକ ସମ୍ଭାବନା ରହିଛି । ବିଧାୟକ ଦଳ ବୈଠକରେ ଉଭୟ ବିଜେପି ଓ କଂଗ୍ରେସ, ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିବାକୁ ନିଷ୍ପତି ନେଇଛନ୍ତି । ମମିତା ହତ୍ୟା ମାମଲାରେ ମନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ କରି ତାଙ୍କୁ ବିରୋଧ କରାଯିବ ବୋଲି କହିଛନ୍ତି । ସରକାରଙ୍କୁ ଘେରିବାରେ କିଏ ମାଇଲେଜ୍ ନେବ ତାହାକୁ ନେଇ ମଧ୍ୟ ଅଙ୍କ କଷିଛନ୍ତି ଦୁଇ ବିରୋଧୀ । ଏପଟେ ବିରୋଧୀଙ୍କ ରଣହୁଙ୍କାରର ଜବାବ ଦେବାକୁ ବିଜେଡି ମଧ୍ୟ ତିଆରି କରିଛି ଷ୍ଟ୍ରାଟେଜି । ବିରୋଧୀଙ୍କ ଆକ୍ରମଣର ଶାଣିତ ଉତର ରଖିବାକୁ ଗ୍ୟାସ ଦର ବୃଦ୍ଧି, ଉଷୁନା ଚାଉଳ ପ୍ରସଙ୍ଗ, ନରେଗା ଟଙ୍କା ଆଦିକୁ ଢାଲ କରିବାକୁ ପ୍ରସ୍ତୁତି ଚଳାଇଛି ଦଳ । ମମିତା ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ତାଙ୍କୁ ଗୃହରେ ପୁରାଇ ନଦେବାକୁ ଧମକ ଦେଇଛି କଂଗ୍ରେସ । ତେଣୁ ଏଥରର ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହେବା ସ୍ପଷ୍ଟ ହୋଇଛି ।

ଗୃହରେ ଆଜି ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ରାଜ୍ୟ ସରକାର । ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ । ୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯ ହଜାର ୩୮୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଚିଠା ଆଗତ ହେବ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅତିରିକ୍ତ ବଜେଟର ପରିମାଣ ବଢାଯାଇଛି । ବିଶେଷ କରି ପାନୀୟ ଜଳ ଯୋଗାଣ, ପଂଚାୟତିରାଜ, ରାସ୍ତା ବାବଦକୁ ଅଧିକ ବ୍ୟୟ ବରାଦ କରାଯାଇଥିବା ସୂଚନା ମିଳିଛି । ଆଗକୁ ପୌର ଓ ପଂଚାୟତ ନିର୍ବାଚନ ଥିବାରୁ ସରକାର କାମଚଳା ବଜେଟର ପରିମାଣ ବଢାଇଥିବା ଅନୁମାନ କରାଯାଉଛି ।