ବିଧାନସଭାରେ ଶୀତଅଧିବେଶନରେ ଆଜି ଦ୍ୱିତୀୟ ଦିନ : ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ଗୃହରେ ହୋଇପାରେ ହଙ୍ଗାମା

53

କନକ ବ୍ୟୁରୋ :  ବିଧାନସଭା ଶୀତ ଅଧିବେଶର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନ ଭଳି ଆଜି ମଧ୍ୟ ଅର୍ଚ୍ଚନା ନାଗ ହନିଟ୍ରାପ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହେବା ସମ୍ଭାବନା ରହିଛି । ଅର୍ଚ୍ଚନା ନାଗଫାଶକୁ ପ୍ରସଙ୍ଗ କରି ରାଜ୍ୟ ସରକାରକୁ ଘେରିବାକୁ ବିରୋଧୀ ରଣନୀତି କରିଛନ୍ତି । ପ୍ରଥମ ଦିନର ଗୃହକାର୍ଯ୍ୟ ଆରମ୍ଭରେ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସନ୍ଧ୍ୟା ୫ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା ।

ସନ୍ଧ୍ୟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ହଙ୍ଗାମା କରିଥିଲେ । ନାଗ ଦମ୍ପତି ବ୍ଲାକମେଲ ଓ ସେକ୍ସ ସ୍କାଣ୍ଡଲକୁ ନେଇ ଆଲୋଚନା ପାଇଁ ସମୟ ନିର୍ଦ୍ଧାରିତ ହୋଇନଥିଲେ ମଧ୍ୟ ବିରୋଧୀ ଦଳ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଡୁଆରେ ପକାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ତେଣୁ ଆଜି ମଧ୍ୟ ଅର୍ଚ୍ଚନା ପ୍ରସଙ୍ଗକୁ ନେଇ ବିଧାନସଭା ସରଗରମ ହେବା ସମ୍ଭାବନା ରହିଛି । ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ପୁଲିସ ଯାହାକୁ ଛାଡିଦେଇଥିଲା ଇଡି ବାନ୍ଧିଛି । ଏସଆଇଟି ରିପୋର୍ଟ ମାଗିଲାଣି । କିନ୍ତୁ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଶାସକ ଦଳର ଲୋକମାନେ ସଂପୃକ୍ତ ଥିବାରୁ ମୁଖ୍ୟମନ୍ତ୍ରୀ ନିରବ ରହୁଛନ୍ତି ।

ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ ନରସିଂହ ମିଶ୍ର । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଥିଲେ, ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ । ଏଥିରେ ମନ୍ତ୍ରୀ, ବିଧାୟକ, ଆଇଏଏସ, ଆଇପିଏସ ଅଧିକାରୀ ସଂପୃକ୍ତ ଅଛନ୍ତି । ଏହି ପ୍ରସଙ୍ଗକୁ ସରକାର ଯେପରି ଗ୍ରହଣ କରିବା କଥା ଗ୍ରହଣ କରିନାହାନ୍ତି । ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ନୀରବ ଅଛନ୍ତି ବୋଲି କହିଥିଲେ ମୋହନ ମାଝୀ । ଅର୍ଚ୍ଚନା ମାମଲାରେ ଇଡି ତଦନ୍ତ ଚାଲିଥିବାରୁ ଶୀତ ଅଧିବେଶନ ସାରା ଏହି ପ୍ରସଙ୍ଗକୁ ନେଇ ବିଧାନସଭା ଉଠିବ ପଡିବ ବୋଲି ଅନୁମାନ କରାଯାଉଛି ।