ଚାଷୀଙ୍କ ପାଇଁ ବିରୋଧୀ ଦୁଇଫାଳ: ବିଜେପିର ମୁଲତବୀ ଗ୍ରହଣ କରାନଯିବାରୁ ହଟ୍ଟଗୋଳ; ଆଲୋଚନାରେ ସାମିଲ ହେଲେନି, ଅଧାରୁ କକ୍ଷତ୍ୟାଗ…କଂଗ୍ରେସ-ବିଜେପି ମୁହାଁମୁହିଁ: କିଏ ବିଜେଡିର ନିକଟତର!

120

କନକ ବ୍ୟୁରୋ: କାହାର ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରାଯିବ? କାହିଁକି କଂଗ୍ରେସର ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରାଗଲା, ବିଜେପିର ନୁହେଁ? ଏଭଳି ଏକ ପ୍ରସଙ୍ଗକୁ ନେଇ ଗତକାଲି ବିଧାନସଭାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିଲେ। ଏପରିକି ବିଜେଡିର କିଏ ନିକଟତର, ସେ ନେଇ ପରସ୍ପରର ଦୋଷ ଖୋଜି ଗୃହରେ ଅବତାରଣା କରିବାକୁ ଭୁଲିନଥିଲେ। ଯେହେତୁ ବିଜେପିର ମୁଲତବୀକୁ ଗ୍ରହଣ କରାଗଲା ନାହିଁ, ଦଳର ବିଧାୟକମାନେ ଗତକାଲି କଂଗ୍ରେସ ଦ୍ବାରା ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିବା ସହିତ ବାଚସ୍ପତିଙ୍କ ବିରୋଧରେ ନାରାବାଜି କରି କକ୍ଷତ୍ୟାଗ କରିଥିଲେ। ଅନ୍ୟପକ୍ଷରେ କିଛି ସମୟ ପାଇଁ କଂଗ୍ରେସ ବିଧାୟକମାନେ ମଧ୍ୟ ବିଜେପି ବିରୋଧରେ ଗୃହକୁ ଆସି ନାରାବାଜି କରିବାକୁ ଭୁଲିନଥିଲେ।

ଗତକାଲି ବାଚସ୍ପତି କଂଗ୍ରେସର ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିଥିଲେ। କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ବ୍ୟାପକ ଚାଷୀ ଅସନ୍ତୋଷ ଶୀର୍ଷକରେ କଂଗ୍ରେସ ମୁଲତବୀ ପ୍ରସ୍ତାବ ଦେଇଥିଲା। ଏଣୁ ଶୂନ୍ୟକାଳ ପରେ ପରେ ଏହାର ପ୍ରତିବାଦ କରିଥିଲା ବିଜେପି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ମୁଖ୍ୟ ବିରୋଧୀ ଦଳ ଯେଉଁ ମୁଲତବୀ ପ୍ରସ୍ତାବ ଦେଇଥିଲେ, ତାକୁ କାହିଁକି ଗ୍ରହଣ କରାଯାଇନାହିଁ? ପିଏମ୍ କିଷାନ୍ ଯୋଜନାରେ ୧୭ଲକ୍ଷ ଚାଷୀ ବଞ୍ଚିତ ହୋଇଛନ୍ତି। ଏଭଳି ଏକ ଗୁରୁତର ପ୍ରସଙ୍ଗ ସଂପର୍କିତ ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରି ନ କରି କୃଷି ସଂପର୍କିତ କଂଗ୍ରେସର ମୁଲତବୀ ପ୍ରସ୍ତାବକୁ କାହିଁକି ଗ୍ରହଣ କରାଯାଇଛି? ଏଥିସହିତ ଦଳର ନେତାମାନେ ନିଜ ଆସନରେ ଠିଆ ହୋଇ ପାଟିତୁଣ୍ଡ କରିଥିଲେ।

ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର କହିଥିଲେ, ୨୫ ତାରିଖରେ ଅନୁଷ୍ଠିତ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ଅଧିବେଶନରେ ବିଜେପିର ୪ଟି କଂଗ୍ରେସର ୨ଟା ମୁଲତବୀ ଗ୍ରହଣ କରାଯିବ। ବିଜେପିର ୨ଟି ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଇଛି। ତେବେ ସେ ଯାହା ହେଉ, କଂଗ୍ରେସ ବି କୃଷି ସଂପର୍କିତ ମୁଲତବୀ ଆଣିଛି। ଏଣୁ କୃଷି ସଂପର୍କିତ ସବୁ ପ୍ରସଙ୍ଗ ଆସିବ। ହେଲେ ବିଜେପି ସଭ୍ୟମାନେ ଏହାକୁ ଗ୍ରହଣ କରିନଥିଲେ। ପରେ ବାଚସ୍ପତିଙ୍କ ନିର୍ଦେଶ ମତେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ମୁଲତବୀ ଆଲୋଚନା ପାଇଁ ସ୍ପଷ୍ଟ ନୀତି ଗ୍ରହଣ କରାଯାଇଛି। ବିଜେପି ୪ଟି ଓ ୨ଟି କଂଗ୍ରେସର। କଥା ଥିଲା, ଦୁଇଟି ମୁଖ୍ୟ ବିରୋଧୀ ଦଳର ସରିବା ପରେ କଂଗ୍ରେସର ଗୋଟିଏ ନିଆଯିବ। ସେହି ଅନୁସାରେ, କଂଗ୍ରେସର ପାଳି ପଡିଛି। ଏଥିରେ ସହମତି ହୋଇଛି। ପୂର୍ବରୁ ବିଜେପିର କୋଭିଡ୍ ଓ ଶକ୍ତି ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ବିଜେପିର ୪ଟି ଓ କଂଗ୍ରେସର ଦୁଇଟି ବିଷୟ ଆଲୋଚନା ସ୍ଥିର ହେବା ସହିତ ବିଜେପିର ୩ଜଣ ଓ କଂଗ୍ରେସର ଦୁଇଜଣ କହିବେ ବୋଲି ସ୍ଥିର ହୋଇଛି।

ହେଲେ ଏସବୁର କୌଣସି ପ୍ରଭାବ ବିଜେପି ବିଧାୟକଙ୍କ ଉପରେ ପଡିନଥିଲା। ବିଜେପି ସଭ୍ୟ ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ବାଚସ୍ପତି ହାଏ ହାଏ। ବାଚସ୍ପତିଙ୍କ ମନମୁଖୀ ଚାଲିବ ନାହିଁ ବୋଲି ସ୍ଲୋଗାନ ଦେଇଥିଲେ। ବିଜେପି ସଭ୍ୟମାନେ ହଟ୍ଟଗୋଳ କରିବା ଦେଖି କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ବିଧାୟକମାନେ ବିଜେପି ହାଏ ହାଏ, ବିଜେପିର ମନମୁଖୀ ହାଏ ହାଏ ଚଳିବ ନାହିଁ କହି ଗୃହ ମଧ୍ୟଭାଗକୁ ଆସିଥିଲେ।

ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ବାଚସ୍ପତି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରି କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଉତ୍ତର ପଢିବାକୁ ଡାକିଥିଲେ। ହଟ୍ଟଗୋଳ ଜାରି ରହିଥିବା ଦେଖି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ, ଓଡ଼ିଶା କୃଷି ପ୍ରଧାନ ରାଜ୍ୟ। ଗତକାଲି କୃଷି ପ୍ରସଙ୍ଗ ଆଲୋଚନା ହେଉଛି। ବିଜେପି ଏଥିରେ ତାର ସବୁ କଥା ଉଠାଇପାରିବ। ସେମାନଙ୍କୁ ନିଜ ଆସନକୁ ଫେରିବାକୁ ଅନୁରୋଧ କରିଥିଲେ। ବାଚସ୍ପତି ବି ଅନୁରୋଧ କରିଥିଲେ ହେଁ, ସେମାନେ ହଟ୍ଟଗୋଳ ଜାରି ରଖିଥିଲେ। ପରେ ବାଚସ୍ପତି କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଆଲୋଚନା ପାଇଁ ଡାକିଥିଲେ। ଆଲୋଚନା ଆରମ୍ଭ କରି ଶ୍ରୀ ମିଶ୍ର କହିଥିଲେ ଯେ କୃଷି ଓ କୃଷକ ସମସ୍ୟା ପ୍ରସଙ୍ଗ ଆଲୋଚନାକୁ ଆସିଛି। ବିଜେପି ବନ୍ଧୁମାନେ ଗୃହ ବାହାରେ ଚାଷୀ ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଆଲୋଚନା କରୁଛନ୍ତି। ମୁଲତବୀ ପ୍ରସ୍ତାବ ବେଳେ ରାଜ୍ୟ ସରକାଙ୍କୁ ସୁହାଇବା ଭଳି ଆଲୋଚନା ନ କରି ହଟ୍ଟଗୋଳ କରୁଛନ୍ତି। ଏଥିରୁ ତାଙ୍କର ଦରଦ କେତେ ବୁଝାପଡୁଛି।

ବିଜେପି ସଭ୍ୟମାନେ ଆଲୋଚନାରେ ଭାଗ ନେଇନଥିଲେ। ବରଂ ସରକାରୀ ଦଳ ପକ୍ଷରୁ କୁହାଯିବା ବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ବାଚସ୍ପତି ଆମ କଥା ଶୁଣିଲେନି। ପିଏମ୍ କିଷାନରେ ପ୍ରଥମେ ୩୭ଲକ୍ଷ ଚାଷୀଙ୍କର ତାଲିକା ରାଜ୍ୟ ସରକାର। ୬ଟି କିସ୍ତି ଦିଆଗଲାଣି। ଏବେ କିନ୍ତୁ ୨୦ଲକ୍ଷ ଚାଷୀଙ୍କ ତାଲିକା ଦିଆଯାଉଛି। ବାକି ୧୭ଲକ୍ଷ କୁଆଡେ ଗଲେ? ଆମେ କକ୍ଷତ୍ୟାଗ କରୁଛୁ ବୋଲି କହି ସଭ୍ୟମାନେ ଚାଲିଯିବା ପୂର୍ବରୁ ଶ୍ରୀ ନାଏକ ପୁଣି କହିଥିଲେ ଯେ ଏଥିରୁ ଜଣାପଡୁଛି ଯେ କଂଗ୍ରେସ ଓ ବିଜେଡି ମିଳିମିଶି ଗୃହ ପରିଚାଳନା କରୁଛନ୍ତି। ତୁରନ୍ତ ନରସିଂହ ମିଶ୍ର ପ୍ରତିବାଦ କହି କହିଥିଲେ, ବିରୋଧୀ ଦଳ ନେତାଙ୍କ ଅଭିଯୋଗ ଠିକ୍ ନୁହେଁ। ରାଜ୍ୟସଭା ନିର୍ବାଚନରେ ବିଜେଡି ଗୋଟିଏ ଆସନ ବିଜେପିକୁ ଛା଼ଡିଦେଲା। ସଂସଦରେ ସବୁ ବିଲକୁ ବିଜେଡି ଆଖିବୁଜା ସମର୍ଥନ କରୁଛି। ଏଠି ସେମାନେ ଆଉ ଏକାଠି ହେଲେନି? ମୁଲତବୀରେ କଂଗ୍ରେସ ଚାଷୀ ସ୍ବର ଉଠାଉଛି, ଏଠି ହେଇଗଲା?