କୋଟିଆ ଓ ସୀମାନ୍ତବର୍ତ୍ତୀ ଗ୍ରାମରେ ବିକାଶମୂଳକ କାମକୁ ନେଇ ମନ୍ତ୍ରୀଙ୍କ ଉତରରେ ଅସନ୍ତୁଷ୍ଟ ବିରୋଧୀ : ସୀମା ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର କମିଟି ଗଠନ ଦାବିରେ ହୋହାଲ୍ଲା

ଗୃହ ଅଚଳ, ବାଚସ୍ପତି ଡ଼ାକିଲେ ସର୍ବଦଳୀୟ ବୈଠକ

48

କନକ ବ୍ୟୁରୋ : ରାଜ୍ୟରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି । ସାମାଜିକ ସୁରକ୍ଷା ଯୋଜନାରେ କୋଟିଆ ଓ ସୀମାନ୍ତବର୍ତୀ ଅଂଚଳରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷକୁ ସହାୟତା ପ୍ରଦାନ କରାଯାଉଛି । ବିଶେଷକରି ଭିନ୍ନକ୍ଷମ, ବାର୍ଦ୍ଧକ୍ୟ, ଏଡସ ରୋଗୀ, କୃଷ୍ଠ ରୋଗୀ ଓ ଅବିବାହିତ ମହିଳାମାନଙ୍କୁ ଭତା ପ୍ରଦାନ କରାଯାଉଥିବା ବିଧାନସଭାରେ କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ଅଶୋକପଣ୍ଡା ।

ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାର ଉତର ରଖି ମନ୍ତ୍ରୀ କହିଛନ୍ତି ଜାତୀୟ ସାମାଜିକ ସୁରକ୍ଷା ଓ ମଧୁବାବୁ ପେନସନ ଯୋଜନାରେ ସମୁଦାୟ ୪୮ ଲକ୍ଷ ୫୬ ହଜାର ୬୬୦ ଜଣଙ୍କୁ ଭତା ଦିଆଯାଉଛି । ହିତାଧିକାରୀଙ୍କୁ ମାସିକ ୫ଶହ,୭ଶହ ଓ ୯ଶହ ଟଙ୍କାର ଭତା ପ୍ରଦାନ କରାଯାଉଛି । ବର୍ତମାନ ସୁଧା ଚଳିତ ବର୍ଷ ସାମାଜିକ ସୁରକ୍ଷା ନିମନ୍ତେ ବଜେଟରେ ୧୫ଶହ ୨୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଏହି ଯୋଜନାରେ ସମଲିଙ୍ଗୀଙ୍କୁ ସାମିଲ କରାଯାଇଛି । ସେପଟେ ମନ୍ତ୍ରୀଙ୍କ ଏହି ଉତରରେ ସନ୍ତୁଷ୍ଟ ନୁହଁନ୍ତି ବିରୋଧୀ । ତେଣୁ ସୀମା ବିବାଦର ସମାଧାନ ପାଇଁ କମିଟି ଗଠନ କରିବାକୁ ଦାବି କରି ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ । କଂଗ୍ରେସର ହୋହାଲ୍ଲା ଯୋଗୁ ଗୃହକୁ ମୁଲତବି କରିବା ସହ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।