କନକ ବ୍ୟୁରୋ : ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପିଛା ଛାଡୁନି ବିବାଦ । ଆଜି ଗୃହରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିବୃତି ଦେଲା ବେଳେ ଦିବ୍ୟଶଙ୍କରଙ୍କୁ ବିରୋଧ କରିଥିଲେ ବିରୋଧୀ । ଏହାକୁ ନେଇ କଂଗ୍ରେସ ବିଧାୟକ କକ୍ଷ ତ୍ୟାଗ କରି ଗାନ୍ଧୀ ମୂର୍ତି ତଳେ ଧାରଣା ଦେଇଥିଲେ । ସେହିପରି ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଧାନସଭାର ଶୂନ୍ୟକାଳ ସରଗରମ ହୋଇଛି ।

Advertisment

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପିଛା ଛାଡ଼ୁନି ବିବାଦ । ବିଧାନସଭା ଗୃହରେ ମନ୍ତ୍ରୀ ଉତର ରଖିବାକୁ ନେଇ ତାଙ୍କୁ ଘେରିଛି କଂଗ୍ରେସ ଓ ବିଜେପି । ବିଜେପି ପକ୍ଷରୁ ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଆଗତ ମୁଲତବି ପ୍ରସ୍ତାବ ଉପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଲିଖିତ ଉତର ରଖିଥିଲେ । ମନ୍ତ୍ରୀ କହିଥିଲେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି । ଲିଖିତ ଉତରରେ ମନ୍ତ୍ରୀ ମାନସ ଓ ଗଂଜାମ ହିଞ୍ଜିଳି ହତ୍ୟାକାଣ୍ଡ ସମ୍ପର୍କରେ ବିବୃତି ରଖିିଥିଲେ ।

ମନ୍ତ୍ରୀଙ୍କ ଉତ୍ତରରେ ଗୃହରେ ହଙ୍ଗାମା କରିଛନ୍ତି କଂଗ୍ରେସ ବିଧାୟକ । ମମିତା ମେହେର ମାମଲାରେ ମନ୍ତ୍ରୀଙ୍କ ନାଁ ଆସିଥିବା ବେଳେ ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗରେ ସେ କେମିତି ଉତ୍ତର ରଖିବେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଗୃହ ଭିତରେ ନାରାବାଜି କରିବା ସହ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତି ତଳେ ପ୍ରତିବାଦ କରିଛି କଂଗ୍ରେସ । ପରେ ସମସ୍ତ କଂଗ୍ରେସ ବିଧାୟକ ରାଜଭବନ ଯାଇ ରାଜ୍ୟପାଳଙ୍କୁୁ ଭେଟି ଫେରାଦ ହୋଇଛନ୍ତି ।

ଶୂନ୍ୟକାଳରେ ଉଠିଲା ଖଣି ଦୁର୍ନତି ପ୍ରସଙ୍ଗ । ଆପତ୍ତି ଉଠାଇଲା ବିଜେପି, ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍ । ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଧାନସଭାର ଶୂନ୍ୟକାଳ ସରଗରମ ହୋଇଛି । ଏହି ପ୍ରସଙ୍ଗରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଇନଥିବାରୁ ଆପତି ଉଠାଇଥିଲା ବିଜେପି । ବିରୋଧୀ ଦଳ ମୁଖ୍ୟ ସଚେତକ ଅଭିଯୋଗ କରିଥିଲେ ରାଜ୍ୟରେ ପ୍ରତିଦିନ ଖଣି ଦୁର୍ନୀତି ଚାଲିଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଥିଲେ, ଖଣି ମାଲିକଙ୍କ ଚାପରେ ଗୃହରେ ଖଣି ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା କରିବାକୁ ଦିଆଯାଉନି । ୫୦ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ । ଖଣି ମାଲିକ ସରକାରଙ୍କୁ ଚଳାଉଛନ୍ତି ।

ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡିଶା ୧ ନମ୍ବର । ବାଇଗଣ ଉତ୍ପାଦନରେ ୨ ନମ୍ବର । ଶୀତଳଭଣ୍ଡାର ସମ୍ପର୍କରେ ବିଧାନସଭାରେ ପ୍ରଶ୍ନକାଳରେ ଆଲୋଚନା ବେଳେ କୃଷିମନ୍ତ୍ରୀ ରୋଚକ ଉତ୍ତର ଦେଇଛନ୍ତି । କୃଷିମନ୍ତ୍ରୀ କହିଛନ୍ତି, ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡିଶା ୧ ନମ୍ବର ହୋଇଛି । ବାଇଗଣ ଉତ୍ପାଦନରେ ଦୁଇ ନମ୍ବରରେ ରହିଛି ରାଜ୍ୟ । ପ୍ରଶ୍ନକାଳରେ ଏନେଇ ସରଗରମ ଆଲୋଚନା ହେଇଛି ।