ଆସନ୍ତାକାଲି ବିଧାନସଭାରେ ହେବ ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗରେ ମୁଲତବି ଆଲୋଚନା

ଶିଶୁଙ୍କ ପ୍ରତି ବଢି ଚାଲିଥିବା ଅତ୍ୟାଚାରକୁ ଶାଣିତ ସ୍ୱରରେ ସରକାରଙ୍କ କାନରେ ପକାଇବେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି

89

କନକ ବ୍ୟୁରୋ: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ହୁଲସ୍ତୁଲ ବିଧାନସଭା । ବିରୋଧୀଙ୍କ ହୋହଲ୍ଲା, ନାରାବାଜିରେ କମ୍ପିଛି ଗୃହ । ରାଜ୍ୟରେ ବଢୁଥିବା ନାବାଳିକାଙ୍କୁ ଦୁଷ୍କର୍ମ ଓ ଶହ ଶହ ଶିଶୁ ନିଖୋଜ ହେବା ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ବିରୋଧୀ । ଆଉ ଉକ୍ତ ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରି ଦୁଇ ଦିନ ହେବ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଜି ଦିନତମାମ ଏହି ପ୍ରସଙ୍ଗକୁ ନେଇ ବିଧାନସଭା ଅଚଳାବସ୍ଥା ଜାରି ରହିଥିଲା । ଆରୋପ-ପ୍ରତ୍ୟାରୋପରେ ଗୃହ କମ୍ପିବା ସହ ବିଧାନସଭା ବାରମ୍ବାର ମୁଲତବି ହୋଇଥିଲା ।

ତେବେ ରାଜ୍ୟରେ କ୍ରମାଗତ ଭାବରେ ବଢ଼ି ଚାଲିଥିବା ଦୁର୍ଷ୍କମ ଏବଂ ଅପହରଣ ଭଳି ଘଟଣାକୁ ନେଇ ଉଠିଥିବା ଝଡରେ ଆଜି ସମ୍ପୂର୍ଣ୍ଣ ଧୋଇ ଯାଇଥିଲା ବିଧାନସଭା । ବିରୋଧୀଙ୍କ ଘନଘନ ପ୍ରତିବାଦ ଫଳରେ ବାଚସ୍ପତିଙ୍କୁ ବାରମ୍ବାର ଗୃହ ମୁଲତବୀ କରିବାକୁ ପଡ଼ିଥିଲା । କଂଗ୍ରେସ ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଦାବି କରିଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିବା ସହ ଇସ୍ତଫା ଦାବି କରିଥିଲା ।

ତେବେ ଅଚଳାବସ୍ଥା ପାଇଁ ଗୃହକୁ କାଲି ଯାଏଁ ମୁଲତବି ରଖିଥିଲେ ହେଁ ଆସନ୍ତାକାଲି ଉକ୍ତ ପ୍ରସଙ୍ଗରେ ବିଧାନସଭାରେ ମୁଲତବି ଆଲୋଚନା ହେବ । ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗରେ କାଲି ଗୃହରେ ମନ ଖୋଲି କହିବେ ବିରୋଧୀ । ଶିଶୁଙ୍କ ପ୍ରତି ବଢି ଚାଲିଥିବା ଅତ୍ୟାଚାରକୁ ଶାଣିତ ସ୍ୱରରେ ସରକାରଙ୍କ କାନରେ ପକାଇବେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି । ୨ ପ୍ରମୁଖ ବିରୋଧୀ ଏକ ହୋଇ ଯାଇଥିବାରୁ ପଞ୍ଚମ ପାଳିରେ ସରକାରଙ୍କୁ ପ୍ରତି କଥାରେ କ୍ଷତବିକ୍ଷତ କରୁଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଦାୟି କରି ଅଡୁଆରେ ପକାଉଛନ୍ତି ।

ଆଉ ଏହିପରି ସ୍ଥଳରେ ଗତ ଦୁଇ ଦିନ ହେବ ରାଜ୍ୟର ଏକ ସମ୍ବେଦନଶୀଳ ପ୍ରସଙ୍କ ନେଇ ସିଧା ଟାର୍ଗେଟ କରିବେ ବିରୋଧୀ । ନାବାଳିକା ଦୁଷ୍କର୍ମ ଓ ନିଖୋଜ ନେଇ କାଲି ଗୃହରେ ବିଗତ ଦିନର କ୍ଷତ ଆଉ ଉପସ୍ଥାପନା କରି ହେଉନଥିବା କ୍ଷୋଭକୁ ବଖାଣିବେ ବିରୋଧୀ । ନାବାଳିକା ପ୍ରସଙ୍ଗରେ ଗତକାଲି ମଧ୍ୟ ବିଧାନସଭାରେ ହଙ୍ଗାମା ଦେଖିବାକୁ ମିଳିଥିଲା । ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଉଭୟ ବିଜେପି ଓ କଂଗ୍ରେସ ଧାରଣା ଦେଇଥିଲେ । ଗୃହ ମଧ୍ୟରେ ବିଜେପି ବସିଥିବା ବେଳେ ଗୃହ ବାହାରେ ଅର୍ଥାତ ଗାନ୍ଧି ମୂର୍ତ୍ତି ତଳେ କଂଗ୍ରେସ ସଦସ୍ୟ ଧାରଣା ଦେଇଥିଲେ ଆଉ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ଅଡି ବସିଥିଲେ ।
ନଜର ପକାନ୍ତୁ କେତେ ଶିଶୁ ନିଖୋଜ ଅଛନ୍ତି ଆଉ କେତେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି …

– ଚଳିତ ବର୍ଷ ଅର୍ଥାତ ୨୦୧୯ ଜାନୁୟାରୀରୁ ମାର୍ଚ୍ଚ ତିନି ମାସ ଭିତରେ ୬୦୨ ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି
– ନିଖୋଜ ୧୦୦ ନାବାଳକଙ୍କ ମଧ୍ୟରୁ ମାତ୍ର ୩୧ ଜଣଙ୍କୁ ଉଦ୍ଧାର କରାଯାଇଛି
– ଏହି ତିନି ମାସ ଭିତରେ ୫୦୨ ଜଣ ନାବାଳିକା ନିଖୋଜ ହୋଇଛନ୍ତି
– ସେଥିରୁ ମାତ୍ର ୭୯ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୁଲିସ
– ସେହିପରି ଓଡ଼ିଶାରେ ପ୍ରତିଦିନ ଘଟୁଛି ୭ଟି ଦୁଷ୍କର୍ମ
– ୨୦୧୮ ମସିହାରେ ୨ ହଜାର ୫ଶହ ଦୁର୍ଷ୍କମ ମାମଲା ହୋଇଥିଲା
– ୨୦୧୨ରୁ ୨୦୧୬ ନାବାଳିକାଙ୍କ କ୍ଷେତ୍ରରେ ଦୁଷ୍କର୍ମ ୪ ଶହ ପ୍ରତିଶତ ବୃଦ୍ଧି ପାଇଛି