କନକ ବ୍ୟୁରୋ: ବିଧାନସଭାରେ କିଭଳି ରହିବ ବିଧାୟକଙ୍କ ଆଚରଣ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାୟକ ମାନଙ୍କୁ ଲେଖିଥିବା ଚିଠିକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହା ଉପରେ ଗୃହ ଭିତରେ ପ୍ରଶ୍ନ ଉଠାଇ କହିଥିଲେ, ବାଚସ୍ପତି ଲେଖିଥିବା ଚିଠି କିଭଳି ଗଣମାଧ୍ୟମ ହାତକୁ ଗଲା । ଏପରିକି ଏହାଦ୍ୱାରା ବିଧାୟକଙ୍କ ସମ୍ମାନ ହାନୀ ହୋଇଛି ବୋଲି କହିଥିଲେ କଂଗ୍ରେସ ବିଧାୟକ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମାନ କଥା ଉଠାଇ କହିଥିଲେ, ଶିକ୍ଷକ ଧମକ ଦେଲା ଭଳି ବାଚସ୍ପତି ସଦସ୍ୟଙ୍କୁ ଚିଠି ଲେଖୁଛନ୍ତି । ସ୍ୱାଧୀନତାର ୫୦ ବର୍ଷ ଅବସରରେ ସଂସଦରେ ଏହି ସମାନ କଥା ଉଠିଥିଲା । ସଂସଦରେ କଣ ଗୃହର ମଧ୍ୟଭାଗକୁ ଯିବା ବନ୍ଦ ହୋଇଛି କି?
ଆଉ ଏହାରି ଭିତରେ ଗୃହରେ ପ୍ରତିକ୍ରିୟା ରଖି ବାଚସ୍ପତି କହିଥିଲେ, ଗୃହ ମଧ୍ୟ ଭାଗକୁ ଆସିବା ଭବିଷ୍ୟତ ପୀଢି ଉପରେ ଖରାପ ପ୍ରଭାବ ପକାଇବ ବୋଲି ମୁଁ ଚିଠି ଲେଖିଛି । ସଂସଦରେ ବାଚସ୍ପତି ମଧ୍ୟ ସମାନ କଥା କହିଛନ୍ତି । ଆମେ କମିଟିରେ ଯେତେବେଳେ ହିମାଚଳ ପ୍ରଦେଶ ଯାଇଥିଲୁ ସେଠି ଦେଖିଥିଲୁ, କେହି ଗୃହ ମଧ୍ୟଭାଗକୁ ଆସନ୍ତି ନାହିଁ । କୈାଣସି ମନ୍ଦ ଉଦ୍ଦେଶ୍ୟ ରଖି ଏକଥା କହିନଥିଲି । ଏହି ବିବାଦ ଭିତରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ସମସ୍ତଙ୍କ ସହ ଆଲୋଚନା କରିଥିଲେ ।
ବିଧାନସଭାରେ ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ବା ନାରାବାଜି କଲେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏମିତି ଏକ ଆଶଙ୍କା ପ୍ରକାଶ ପାଉଛି । କାରଣ ଆଉ କେହି ନୁହେଁ, ଖୋଦ୍ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଭିନ୍ନ ବିଧାୟକ ଦଳର ନେତାଙ୍କୁ ଚିଠି ଲେଖି ଏ ସଂକ୍ରାନ୍ତରେ ଦୃଢ ଆପତ୍ତି ଜଣାଇଛନ୍ତି । କହିଛନ୍ତି ଯେ ଏପରି କାର୍ଯ୍ୟରୁ କ୍ଷାନ୍ତ ରହିବା ପାଇଁ ନିଜ ଦଳର ବିଧାୟକମାନଙ୍କୁ ନେତାମାନେ ପରାମର୍ଶ ଦେବା ଦରକାର।ଅଧିବେଶନକୁ କିଭଳି ଶୃଙ୍ଖଳିତ କରାଯିବ, ଗୃହ କିଭଳି ବିନା ବାଧାବିଘ୍ନରେ ଚାଲିବ, ସେ ନେଇ ଗତ ଅଧିବେଶନରେ ବାଚସ୍ପତି ପୂର୍ବଦିନ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ। ଏହା ସଂସଦୀୟ ଢାଞ୍ଚାରେ କରାଯାଇଥିଲା ଓ ଏକ ନୂଆ ପଦକ୍ଷେପ ଥିଲା। ଏହାର ବିଶେଷ ପ୍ରଭାବ ଅଧିବେଶନ ବେଳେ କିନ୍ତୁ ଅନୁଭୂତ ହୋଇନଥିଲା।
ଏଥର କିନ୍ତୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏକ ନୂଆ ପଦକ୍ଷେପ ନେଇଛନ୍ତି। ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ବିଧାୟକ ଦଳର ନେତାଙ୍କୁ ଏକ ଦୁଇ ପୃଷ୍ଠାର ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ ସମ୍ବିଧାନର ଗଣ୍ଡି ଓ ବିଧାୟକମାନଙ୍କ ପାଇଁ ଉଦ୍ଦିଷ୍ଟ ନିୟମାବଳୀ ଭିତରେ ରହି ପ୍ରତି ସଦସ୍ୟଙ୍କର ଗୃହରେ କହିବାର ପୂର୍ଣ୍ଣ ଅଧିକାର ରହିଛି। ଗୃହ କାର୍ଯ୍ୟକୁ ପରିଚାଳନା କରିବା ଲାଗି ଓଡ଼ିଶା ବିଧାନସଭା ପକ୍ଷରୁ କାର୍ଯ୍ୟବିଧି ପରିଚାଳନା ନିୟମ ଅନସୃତ ରହିଛି। ଏଣୁ ପ୍ରତି ସଦସ୍ୟଙ୍କୁ ଏହି ଅଧୀନସ୍ଥ ନିୟମ ଭିତରେ ରହି ତାଙ୍କ ଦାୟିତ୍ବ ତୁଲାଇବାକୁ ହେବ। ହେଲେ ଦେଖାଯାଉଛି ଯେ ଗୃହର କିଛି ସଦସ୍ୟ ଏହି ନିୟମକୁ ଏଡାଇ ଯାଇ ଗୃହର ମଧ୍ୟଭାଗକୁ ଆସୁଛନ୍ତି ଓ ସ୍ଲୋଗାନ ବାଜି କରୁଛନ୍ତି। ଏହାଦ୍ବାରା ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସଦସ୍ୟମାନଙ୍କ ଏଭଳି କାରନାମା ରାଜ୍ୟବାସୀଙ୍କ ଦୃଷ୍ଟିରେ ପବିତ୍ର ଗୃହର ମର୍ଯ୍ୟ।ଦା ହାନି ବା ବଦନାମ କରିବା ପାଇଁ ସୁଯୋଗ ସୃଷ୍ଟି କରୁଛି। ସଦସ୍ୟମାନଙ୍କର ଏଭଳି ଆଚରଣ ଭବିଷ୍ୟତ ପିଢ଼ିକୁ ବି ପ୍ରଭାବିତ କରିପାରେ।
ନିକଟରେ ହୋଇଥିବା ବାଚସ୍ପତି ସମ୍ମିଳନୀ ସଂପର୍କରେ ସୂଚାଇଛନ୍ତି ବାଚସ୍ପତି। କହିଛନ୍ତି ଯେ ଲୋକସଭା ବାଚସ୍ପତି ଓମ୍ ବିରଳାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଏ ସଂପର୍କରେ ଆଲୋଚନା ହୋଇଥିଲା। ସଂସଦୀୟ ବ୍ୟବସ୍ଥାର ଉଚ୍ଚ ପରମ୍ପରାକୁ ଦୃଷ୍ଟିରେ ରଖି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି କୌଣସି ପ୍ରସଙ୍ଗ ବା ପ୍ରଶ୍ନ ଉଠାଇବା ଭଳି କାର୍ଯ୍ୟରୁ ବିରତ ରହିବା ଦରକାର। ବରଂ ବିଧାୟକ ଓ ବିଧାୟିକାମାନେ ନିଜ ଆସନରେ ଛିଡା ହୋଇ ଗୃହର ଦୃଷ୍ଟି ଆକର୍ଷଣ କରିପାରିବେ କିମ୍ବା ପୂର୍ବରୁ ବାଚସ୍ପତି, ଉପବାଚସ୍ପତି ପ୍ରମୁଖଙ୍କୁ ଲିଖିତ ଭାବେ ଜଣାଇ ଏକଥା ଉଠାଇପାରିବେ। ଏହାକୁ କଡାକଡି ଭାବେ ସଦସ୍ୟମାନେ ପାଳନ କରିବା ଉପରେ ବାଚସ୍ପତି ଜୋର ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କ୍ବଚିତ୍ ଦିନ ଛାଡିଦେଲେ ବିଧାନସଭାରେ ହଟ୍ଟଗୋଳ ଏକ ନିୟମିତ ଧାରାରେ ପରିଣତ ହେଲାଣି। ଏହାକୁ ନେଇ ଗୃହ ଘଣ୍ଟା ଘଣ୍ଟା ଧରି ମୁଲତବୀ ରହୁଛି। ସ୍ଥଳ ବିଶେଷରେ ଦିନତମାମ ଗୃହ ଚାଲିପାରୁନାହିଁ। ଏପରିସ୍ଥଳେ ବାଚସ୍ପତିଙ୍କ ଏଭଳି ପଦକ୍ଷେପ ସମୟ ଉପଯୋଗୀ ବୋଲି କୁହାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/SURYA.jpg)