ନାକେଦମ କଲା ନାଉଗାଁ ପ୍ରସଙ୍ଗ: ବିରୋଧୀଙ୍କ ତୀବ୍ର ବିରୋଧ ପରେ ରୁଲିଂ ଦେଲେ ବାଚସ୍ପତି । ଗୃହରେ ବିବୃତି ରଖିବେ ସରକାର

313

କନକ ବ୍ୟୁରୋ: ନାଉଗାଁ ପ୍ରସଙ୍ଗରେ ନାକେଦମ କଲେ ବିରୋଧୀ । ବିଧାନସଭାରେ ନାଉଗାଁ ଦୁଷ୍କର୍ମ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଗୋଡେଇ ତୋଡେଇ ଘେରିଲେ ବିଜେପି-କଂଗ୍ରେସ । ଜଗତସିଂହପୁର ନାଉଗାଁ ବ୍ଲକ ଅଂଚଳରେ ଦଳିତ ଯୁବତୀଙ୍କୁ ବାପାମାଆଙ୍କ ଆଗରେ ଦୁଷ୍କର୍ମ କରିବା ଘଟଣା ନେଇ ଆଜି ଆରମ୍ଭରୁ ସରକାରଙ୍କୁ ଅକଳରେ ପକାଇଥିଲେ ବିରୋଧୀ । ଦୁଷ୍କର୍ମ ଘଟଣାରେ ରୁଲିଂ ଦାବି କରି ବିରୋଧୀ ଗୃହରେ ହଙ୍ଗାମା କରିଥିଲେ । ଫଳରେ ବାରମ୍ବାର ମୁଲତବି ହୋଇଥିଲା ଗୃହ ।

ତେବେ ବିରୋଧୀଙ୍କ ତୀବ୍ର ବିରୋଧ ପରେ ଶେଷରେ ଦାବି ଗ୍ରହଣ କରିଛନ୍ତି ବାଚସ୍ପତି । ହଟ୍ଟଗୋଳ ପାଇଁ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି ଆଉ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ସରକାରଙ୍କୁ ରୁଲିଂ ଦେଇଛନ୍ତି ବାଚସ୍ପତି । ନାଉଗାଁ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା ସଂପର୍କରେ ଗୃହରେ ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ବାଚସ୍ପତିଙ୍କ ରୁଲିଂ ପରେ ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ ।

ତେବେ ଅଭିଯୋଗ ଅନୁସାରେ, ନାଉଗାଁ ଅଂଚଳର ଦୀପକ ବେହେରା ନାମକ ଜଣେ ମାଂସ କଟାଳି ସଂପୃକ୍ତ ଯୁବତୀଙ୍କୁ ଭୟଭୀତ କରାଇ ବାରମ୍ବାର ଦୁଷ୍କର୍ମ କରିଥିଲେ । ପ୍ରତିବାଦ କଲେ ମାରିଦେବାକୁ ଧମକ ବି ଦେଇଥିଲେ । ଶେଷରେ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ଆଉ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଅଡି ବସିଥିଲେ ।