ବିଧାନସଭାରେ ‘କରୋନା’ ସଚେତନତା । ଭୟଙ୍କର ଭୂତାଣୁର ମୁକାବିଲା ପାଇଁ ବିଧାୟକଙ୍କୁ ଟିପ୍ସ ଦେଲେ ବାଚସ୍ପତି । କହିଲେ ସଚେତନ ରୁହନ୍ତୁ, ଅନ୍ୟକୁ ସତର୍କ କରାନ୍ତୁ…

232

କନକ ବ୍ୟୁରୋ: କରୋନା ଭାଇରସ ନେଇ ସାରା ବିଶ୍ୱରେ ଚହଳ ସୃଷ୍ଟି ହୋଇଥିବା ବେଳେ ସମସ୍ତ ଦେଶ ଓ ସମସ୍ତ ରାଜ୍ୟ ଆଗୁଆ ସତର୍କ ଓ ସଚେତନତା ମୂଳକ ପଦକ୍ଷେପ ନେଉଛନ୍ତି । ଆଜି କରୋନାକୁ ରାଜ୍ୟ ସରକାର ବଡ ବିପର୍ଯ୍ୟୟ ଘୋଷଣା କରିଥିବା ବେଳେ ସମସ୍ତ ବିଭାଗକୁ ସତର୍କ ରହିବାକୁ ଆଉ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ କରୋନାକୁ ଆଖି ଆଗରେ ରଖି ଆଜି ବିଧାନସଭାରେ ବିଧାୟକଙ୍କୁ ଟିପ୍ସ ଦେଇଛନ୍ତି ବାଚସ୍ପତି । ବିଧାନସଭା ସମ୍ମିଳନୀ କକ୍ଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକମାନଙ୍କୁ ଭାଇରସ ପାଇଁ ସତର୍କ ଓ ସଚେତନ କରାଇଛନ୍ତି । ବାରମ୍ବାର ଭଲ ଭାବେ ହାତ ଧୋଇବାକୁ ବାଚସ୍ପତି ବିଧାୟକଙ୍କୁ ଟିପ୍ସ ଦେଇଛନ୍ତି । ଏଥିସହ ନିଜେ ସଚେତନ ହୋଇ ନିଜ ନିର୍ବାଚନମଣ୍ଡଳୀର ସମସ୍ତଙ୍କୁ ଭୂତାଣୁର ଭୟାବହତା ସମ୍ପର୍କରେ ଅବଗତ କରାଇବା ସହ ଏହାର ମୁକାବିଲା ପାଇଁ ବିଧାୟକଙ୍କୁ କହିଛନ୍ତି ବାଚସ୍ପତି ।

ସେପଟେ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଡାକ୍ତରମାନେ ମଧ୍ୟ ଉପସ୍ଥିତ ସମସ୍ତ ନେତା, ମନ୍ତ୍ରୀ, ବିଧାୟକ ଏବଂ ଅନ୍ୟ ସମସ୍ତ କର୍ମୀଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । ଅଫିସରେ ଟେବୁଲ, କିବୋର୍ଡ, ମାଉସ ଆଦି ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ତେବେ କରୋନାକୁ କେମିତ ପ୍ରତିହତ କରିହେବ ସେନେଇ ସମସ୍ତେ ସାବୁନରେ ହାତ ଧୋଇ ସଚେତନ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ନେତା ମଧ୍ୟ ହାତ ଧୋଇ ସଚେତନତାର ବାର୍ତ୍ତା ଦେଇଛନ୍ତି ।