ଆଜି ବି ଚାଲିପାରିଲାନି ବିଧାନସଭା : ବିରୋଧୀଙ୍କ ହଟ୍ଟଗୋଳ ; ଗୃହ ବାହାରେ ଗଙ୍ଗାଜଳ, ଗୋବର ପାଣି ଛିଞ୍ଚି ପ୍ରତିବାଦ ଜଣାଇଲେ ବିଜେପି ବିଧାୟକ

 ସେପଟେ ବିଜେଡିର ଶୋଭାଯାତ୍ରା ବିକ୍ଷୋଭ   

77

କନକ ବ୍ୟୁରୋ : ଆଜି ତୃତୀୟ ଦିନରେ ବି ଚାଲି ପାରିଲାନି ଗୃହ । ଆରମ୍ଭରୁ ଗୃହରେ ମମିତା ମେହେର ଝଡ଼ । ମନ୍ତ୍ରୀ ଦିବ୍ୟଶଙ୍କର ବହିଷ୍କାର ଦାବି କଲେ ବିରୋଧୀ । ପ୍ଲାକାଡ଼ ଧରି ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ । ସାଢ଼େ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି । ମମିତା ମେହେର ମାମଲାକୁ ନେଇ ଆଜି ବିଧାନସଭାରେ ବିଜେପି ପ୍ରତିବାଦ କରିଛି । ପବିତ୍ର ଗୃହକୁ, ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରବେଶ କରିଥିବାରୁ ଗୃହ ଅପବିତ୍ର ହୋଇଯାଇଥିବା କହିଛି ବିଜେପି । ତେଣୁ ଗୃହକୁ ପବିତ୍ର କରିବା ପାଇଁ ବିଜେପି ବିଧାୟକମାନେ ବିଧାନସଭାପରେ ଗଙ୍ଗା ଜଳ ଏବଂ ଗୋବର ପାଣି ପକାଇ ପବିତ୍ର କରିଛନ୍ତି ।  ସେପଟେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି । ପାୱାର ହାଉସ ଛକରେ ବିଜେଡି ମହିଳା ମୋର୍ଚ୍ଚା ଆନ୍ଦୋଳନ କରୁଛି । ଶତାଧିକ ମହିଳା ବିକ୍ଷୋଭରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତିନି ଦିନ ଧରି ଗ୍ୟାସ ଓ ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବିକ୍ଷୋଭ କରୁଛି । ବିଗତ ଦୁଇ ଦିନ ଧରି ରାଜଭବନ ସମ୍ମୁଖରେ ବିଜେଡି ବିକ୍ଷୋଭ କରିଥିଲା ।

ସୂଚନାଯୋଗ୍ୟ, ଲଗାତାର ଦ୍ବିତୀୟ ଦିନ ପାଇଁ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନେଇ ଅଚଳାବସ୍ଥା ଜାରି ରହିଥିଲା। ଗୁରୁବାର ଦିନ ଗୃହରେ ବିରୋଧୀମାନେ ଏମିତି ହଙ୍ଗାମା କରିଥିଲେ ଯେ ଆଦୌ ଗୃହ କାର୍ଯ୍ୟ ସମ୍ଭବ ହୋଇ ନ ଥିଲା। ପ୍ରଥମାର୍ଦ୍ଧରେ ଗୋଟିଏ ମିନିଟ୍ ଗୃହ ଚାଲିଥିଲା ବେଳେ ଦ୍ବିତୀୟାର୍ଦ୍ଧରେ ୧୩ ମିନିଟ୍‌ ଭିତରେ ଗୃହ କାର୍ଯ୍ୟ ସୀମିତ ରହିଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଏପରି ଅଟଳ ଅଛନ୍ତି ଯେ ଦିନେ ଦୁଇ ଦିନ ଭିତରେ ଗୃହରେ ଅଚଳାବସ୍ଥା ହଟିବାର ସମ୍ଭାବନା କମ୍। ବିରୋଧୀଙ୍କୁ ମୁକାବିଲା କରିବାକୁ ବିଜେଡି ବିଧାୟକମାନେ ବି ଗୁରୁବାର ଦିନ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ।