ଆରମ୍ଭ ହେଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଗୃହରେ ନିଜ ଅଭିଭାଷଣରେ ପୁରୀ ପରିକ୍ରମା ପ୍ରକଳ୍ପକୁ ପ୍ରଂଶସା କଲେ ରାଜ୍ୟପାଳ ରଘୁବର ଦାସ ।

187

କନକ ବ୍ୟୁରୋ : ଆରମ୍ଭ ହେଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର । ବିଧାନସଭାର ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କଲେ ରାଜ୍ୟପାଳ ରଘୁବର ଦାସ । ଏହାପରେ ଗୃହରେ ନିଜର ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ । ସମସ୍ତ ସଦସ୍ୟଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ବିଧାନସଭାରେ ରଖିଛନ୍ତି ।

ରାଜ୍ୟପାଳ ରଘୁବର ଦାସ କହିଛନ୍ତି, ଗତ ୧୭ ଜାନୁଆରୀରେ ୮୦୦ କୋଟି ବ୍ୟୟରେ ହୋଇଥିବା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସରକାରଙ୍କୁ ଧନ୍ୟବାଦ । ପୁରୀ ପରିକ୍ରମା ପ୍ରକଳ୍ପ ଜରିଆରେ ଭକ୍ତଙ୍କୁ ଆଧ୍ୟାତ୍ମିକ ଅନୁଭବ ଦେବା ସହ ସେମାନଙ୍କ ପାଇଁ ଅନେକ ସୁବିଧା ଯୋଗାଇ ଦିଆଯାଇଛି । ଶ୍ରୀମନ୍ଦିର ଠାରୁ ୭୫ ମିଟର ଯାଏଁ ହୋଇଥିବା ପରିକ୍ରମା ପ୍ରକଳ୍ପ ଦ୍ୱାରା ଭକ୍ତମାନେ ଆଧ୍ୟାତ୍ମିକ ଅନୁଭୂତି ହାସଲ କରୁଛନ୍ତି । ଏହି ପ୍ରକଳ୍ପ ଭକ୍ତଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିବା ସହ ମନ୍ଦିରର ସୁରକ୍ଷା ଦିଗରେ ବଡ ଭୂମିକା ତୁଲାଇବ । ପୁରୀକୁ ଭକ୍ତଙ୍କ ଆଗମନ ପାଇଁ ରାଜ୍ୟ ସରକାର ପ୍ରତି ଜିଲ୍ଲାରୁ ଲକ୍ଷ୍ମୀ ଏକ୍ସପ୍ରେସ ବସ୍ ସେବା ଆରମ୍ଭ କରିଛନ୍ତି । ଦୂରଦୂରାନ୍ତରରୁ ଆସୁଥିବା ଭକ୍ତଙ୍କ ପାଇଁ ଯେପରି କୌଣସି ସମସ୍ୟା ଦେଖା ନଦେବ ସେଥିପାଇଁ ପରିକ୍ରମା ପ୍ରକଳ୍ପ ଭଳି ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଓଡ଼ିଆଙ୍କ ଆସ୍ଥାର ପ୍ରତୀକ ଶ୍ରୀମନ୍ଦିରର ଅଦ୍ଭୁତପୂର୍ବ ପରିବର୍ତ୍ତନ ସହ ଐତିହ୍ୟ ଓ ସଂସ୍କୃତିକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ପାଇଁ ରାଜ୍ୟର ଧର୍ମାନୁଷ୍ଠାନ ଗୁଡିକର ରୂପାନ୍ତରଣ କାମକୁ ପ୍ରାଥମିକତା ଦେଇଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ରାଜ୍ୟ ସରକାର ମା’ ସମଲେଇ ପ୍ରକଳ୍ପକୁ ମଧ୍ୟ ଲୋକାର୍ପିତ କରିଛନ୍ତି । ୨୦୦ କୋଟି ଟଙ୍କା ଖର୍ଚ୍ଚରେ ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ମନ୍ଦିର ମା’ ସମଲେଇ ମନ୍ଦିରର ନବକଳେବର କରିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସେହିଭଳି ୨୮୦ କୋଟି ଟଙ୍କା ଖର୍ଚ୍ଚରେ ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍ର ବିକାଶ କରିଛନ୍ତି । ବିଭିନ୍ନ ଐତିହ୍ୟସ୍ଥଳୀର ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଆମ ଓଡ଼ିଶା, ନବୀନ ଓଡ଼ିଶା ଏକ ଅନନ୍ୟ ପଦକ୍ଷେପ । ଗ୍ରାମୀଣ ଓଡ଼ିଶାର ଦ୍ରୁତ ବିକାଶ ଓ ଗ୍ରାମାଞ୍ଚଳର ଅଭିବୃଦ୍ଧି ପାଇଁ ବିକାଶମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଗ୍ରାମୀଣ ବିକାଶ ସହ ଇଣ୍ଟରନେଟ ସୁବିଧା, ଡିଜିଟାଲ ସୁବିଧା, ସଂସ୍କୃତିର ପ୍ରଚାର ପ୍ରସାର ଓ କ୍ରୀଡାକୁ ପୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର ।

ସେହିଭଳି ରାଜ୍ୟପାଳ କହିଛନ୍ତି, ନୂଆ-ଓ ଯୁବ ସମ୍ପୃକ୍ତିକରଣ ତଥା ସଶକ୍ତିକରଣ ଦିଗରେ ଏକ ଯୁଗାନ୍ତକାରୀ ଅଭିଯାନ । ବିଦେଶରେ ଓଡ଼ିଶା ଭାଷାକୁ ଅଧିକ ସୁଦୂର ପ୍ରସାରୀ କରିବାକୁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରିଛନ୍ତି । ଏହାଦ୍ୱାରା ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ବିଶ୍ୱବ୍ୟାପୀ ହୋଇପାରିବ । ଓଡ଼ିଆ ବିଶ୍ୱବିଦ୍ୟାଳୟ ଲୋକାର୍ପଣ କରି ଓଡ଼ିଆ ଭାଷା ସାହିତ୍ୟକୁ ଆହୁରି ରୁଦ୍ଧିମନ୍ତ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ବାସ୍ତବରେ ପ୍ରଂଶସନୀୟ । ୫-ଟି ଓ ମୋ ସରକାର ପ୍ରଶାସନିକ ଦିଗରେ ଏକ ନୂତନ ଯୁଗ ଆରମ୍ଭ କରିଛି । ଏହାଦ୍ୱାରା ସରକାର ଓ ଲୋକଙ୍କ ମଧ୍ୟରେ ଦୂରତା କମିଛି । ମହିଳା ସଶକ୍ତିକରଣ, ସ୍କୁଲ ରୂପାନ୍ତରଣ, ପୁଞ୍ଜି ନିବେଶ, ଖାଦ୍ୟ ସୁରକ୍ଷା, ଯୁବବର୍ଗଙ୍କୁ ଦକ୍ଷ କରିବା ଦିଗରେ ସରକାର କାର୍ଯ୍ୟ କରୁଛି । ଓଡ଼ିଶାର ଶାସନ ବ୍ୟବସ୍ଥା ପାରଦର୍ଶୀ ଓ ସୁଶାସନର ପ୍ରତୀକ ଭାବେ ଉଭା ହୋଇଛି ।

୨୦୨୨-୨୩ରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ୧୪୧.୩୬ ମେଟ୍ରିକ ଟନରେ ପହଞ୍ଚିଛି । ଯାହା ୨୦୦୦-୦୧ରେ ୫୫.୩୫ ଲକ୍ଷ ମେଟ୍ରିକ ଟନ୍ ଥିଲା । ଆଧୁନିକ କୃଷି ପଦ୍ଧତି ଦ୍ୱାରା କୃଷିକ୍ଷେତ୍ରକୁ ବିକଶିତ କରୁଛନ୍ତି ରାଜ୍ୟ ସରକାର । ପ୍ରାକୃତିକ ବିପର୍ଯ୍ୟୟ ସତ୍ତେ୍ୱ ମଧ୍ୟ ଓଡ଼ିଶା କୃଷି କ୍ଷେତ୍ରରେ ଆଗୁଆ ରାଜ୍ୟ ଭାବେ ଉଭା ହୋଇଛି । ମିଲେଟ ମିଶନ ଆରମ୍ଭ କରି ଓଡ଼ିଶା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ୧୦ ନଭେମ୍ବରକୁ ମିଲେଟ ଦିବସ ଭାବେ ପାଳନ କରୁଥିବା ଦେଶର ପ୍ରଥମ ରାଜ୍ୟ ପାଲଟିଛି ଓଡ଼ିଶା । କୃଷକଙ୍କୁ ଆର୍ଥିକ ସହାୟତା ଦେବାକୁ କାଳିଆ ଯୋଜନା ଜାରି ରଖିଛନ୍ତି ରାଜ୍ୟ ସରକାର ।

ଶାନ୍ତିପୂର୍ଣ୍ଣ ରାଜ୍ୟ ଓଡ଼ିଶାରେ ସାମଗ୍ରିକ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ସ୍ଥିର ଓ ପୂର୍ଣ୍ଣ ରହିଛି । ମୋ ସରକାରଙ୍କ ସକ୍ରିୟ ସାମରିକ ଏବଂ ପ୍ରଶାସନିକ ପ୍ରତିକ୍ରିୟା ଫଳରେ ନକ୍ସଲବାଦ ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଛି । ପୁଲିସ କାର୍ୟ୍ୟାନୁଷ୍ଠାନରେ ୪୨ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ହୋଇଥିବାବେଳେ ୬୩ ଜଣ ଆତ୍ମସମର୍ପଣ କରିଛନ୍ତି । ଏହା ବ୍ୟତୀତ ମାଓ ବିରୋଧି ଅଭିଯାନ ସମୟରେ ୧୬୨ ବନ୍ଧୁକ, ୪୮୦ ବିସ୍ଫୋରକ ସାମଗ୍ରୀ ଓ ମାଓ କାର୍ୟ୍ୟକଳାପରେ ବ୍ୟବହୃତ ବହୁ ପରିମାଣର ସାମଗ୍ରୀ ଜବତ କରାଯାଇଛି । ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ଏବେ ୨୧ରୁ ୧୦କୁ ହ୍ରାସ ପାଇଛି । ଏକଦା ବାମପନ୍ଥୀ ଉଗ୍ରବାଦର ଗଡ଼ କୁହାଯାଉଥୁବା ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଂଚଳରେ ଅପରେସନ ‘ଘର ୱାପସି’ ମାଧ୍ୟମରେ ୩୨୦୦ରୁ ଅଧିକ ସକ୍ରିୟ ମାଓବାଦୀ ଓ ମାଓ ସମର୍ଥକ ପୁଣି ଥରେ ସାମାଜିକ ମୁଖ୍ୟସ୍ରୋତକୁ ଫେରିଛନ୍ତି ।

ମୋ ସରକାରଙ୍କ ରୂପାନ୍ତରଣ ଅଭିମୁଖୀ ଅଭିଯାନ ‘ନୂତନ, ଉନ୍ନତ ଅଭିଳାଷ’ (NUA) ଓଡିଶା ଏକ ସମୃଦ୍ଧ ଓ ପୋଷଣୀୟ ଭବିଷ୍ୟତ ନିର୍ମାଣ ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ପାରମ୍ପରିକ କ୍ଷେତ୍ରର ସମନ୍ୱୟରେ ଦକ୍ଷତା ବିକାଶ ମାଧ୍ୟମରେ ଏକ ସକ୍ରିୟ ତଥା ଚିରସ୍ଥାୟୀ ବିକାଶଶୀଳ ଓଡ଼ିଶା ଗଠନ ପାଇଁ ମୋ ସରକାରଙ୍କ ପ୍ରତିବଦ୍ଧତାକୁ ସୂଚିତ କରୁଅଛି । ଜନସାଧାରଣଙ୍କୁ ଦ୍ରୁତ, ସୁବିଧାଜନକ, ଆଧୁନିକ ଏବଂ ସୁଲଭ ପରିବହନ ସେବା ଯୋଗାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଏବଂ ପୁରୀ ସହରରେ ରେଳଭିଭିକ ଦ୍ରୁତ ସାଧାରଣ ପରିବହନ ବ୍ୟବସ୍ଥା ପ୍ରତିଷ୍ଠା, ପରିଚାଳନା ତଥା ରକ୍ଷଣାବେକ୍ଷଣ ନିମନ୍ତେ ମୋ ସରକାର ପ୍ରତିବଦ୍ଧ । ଏହି ଆକାଂକ୍ଷିତ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହୋଇ ମୋ ସରକାର ‘ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ଲିମିଟେଡ୍’ ଗଠନ କରିଛନ୍ତି ଏବଂ ପ୍ରଥମ ପର୍ୟ୍ୟାୟରେ ଭୁବନେଶ୍ୱର ବିମାନବନ୍ଦର ସହିତ ତ୍ରିଶୂଳିଆ ଛକକୁ ସଂଯୁକ୍ତ କରାଯାଉଛି । ୨୦୨୭ ଶେଷ ସୁଦ୍ଧା ପ୍ରାୟ ୬,୨୫୬ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖଯାଇଛି ।

ମୋ ସରକାର ପ୍ରତି ପରିବାରକୁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କୁ ଅତିରିକ୍ତ ୫ ଲକ୍ଷ ବାର୍ଷିକ ଚିକିତ୍ସା ସହାୟତା ସହିତ ଲୋକଙ୍କ ଜଟିଳ ରୋଗର ଉପଚାର ଓ ଚିକିତ୍ସା ପାଇଁ ୧୫୬ ଟି ଘରୋଇ ହସ୍ପିଟାଲ ସମେତ ୭୯୬ ଟି ହସ୍ପିଟାଲକୁ ଅନୁବାନ୍ଧତ କରିଛନ୍ତି ।  “ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ର ସୁଫଳ ଓଡ଼ିଶାର ୯୬.୫ ଲକ୍ଷ ପରିବାରର ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚିପାରିଛି ।  ୨୦୨୧ ମସିହା ସେପ୍ଟେମ୍ବର ପହିଲାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡର ଶୁଭାରମ୍ଭ ପରଠାରୁ ୧୭.୬୪ ଲକ୍ଷରୁ ଅଧିକ ହିତାଧିକାରୀ ୩୯୫୮ କୋଟି ଟଙ୍କାର ଚିକିତ୍ସା ସହାୟତା ପାଇଛନ୍ତି।

ମୋ ସରକାର ‘ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା’ରେ ପୂର୍ବରୁ ଅନ୍ତର୍ଭୁକ୍ତ ହୋଇନଥିବା ସରକାରୀ କର୍ମଚାରୀ, ସରକାରୀ ପେନସନଭୋଗୀ କିମ୍ବା ଆୟକରଦାତା ନଥିବା ଗ୍ରାମ୍ୟ ପରିବାର ପାଇଁ ନିକଟରେ ‘ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ପ୍ରଚଳନ କରିଛନ୍ତି । ୨୦୨୪ ମଇ ୧ ତାରିଖରୁ ‘ବି.ଏସ୍.କେ.ୱାଇ. ନବୀନ କାର୍ଡ ପାଇଥିବା ପରିବାର ରାଜ୍ୟ ତଥା ରାଜ୍ୟ ବାହାରର ଅନୁବନ୍ଧିତ ଘରୋଇ ଗୁରୁତର ରୋଗର ଚିକିତ୍ସା ପାଇଁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ପରିବାରର ମହିଳା ସଦସ୍ୟଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପାଇପାରିବେ । ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା’, ‘ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା’ ଓ ‘ଦୁର୍ଗମ ଅଞ୍ଚଳରେ ମାଲେରିଆ ନିରାକରଣ’ (ଦମନ) ଭଳି ୩ଟି ଅଭିଯାନ ପାଇଁ ମୁଁ ଭୂୟସୀ ପ୍ରଶଂସା କରୁଛି । ୭୫୦ କୋଟି ଟଙ୍କା ବ୍ୟୟରେ ୧୪୯ ଟି ସ୍ଵାସ୍ଥ୍ୟ ଅନୁଷ୍ଠାନର ଭିରିଭୂମି ରୂପାନ୍ତରଣ ୯ ମାସର ରେକର୍ଡ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟରେ ‘ଆମ ହସ୍ପିଟାଲ’ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଭୁବନେଶ୍ୱରରେ ପ୍ରମୁଖ ଆଇଟି, ଇଲେକ୍‌ଟ୍ରୋନିକ୍ସ କମ୍ପାନି ଏବଂ ବୃତିଗତ ସେବା ସଂସ୍ଥା ସେମାନଙ୍କ କେନ୍ଦ୍ର ଖୋଲିଛନ୍ତି । ଆଇବିଏମ୍, ଡେଲଏଟ୍, ଇଏଣ୍ଡୱାଇ, ସିନୋପସିସ୍, ପିଡବ୍ଲ୍ୟୁସି, ହାପିଏଷ୍ଟ ମାଇଣ୍ଡସ୍, କନସେଣ୍ଡ୍ରିକ୍ସ ଭଳି ନାମୀଦାମୀ କମ୍ପାନି ଅନ୍ତର୍ଭୁକ୍ତ । ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ଆଇଟି ରପ୍ତାନି ୮୭.୫% ବୃଦ୍ଧି ପାଇଛି । ୨୦୧୮-୧୯ ରେ ଏହା ୪୦୦୦ କୋଟି ଟଙ୍କା ରହିଥିରବାବେଳେ ୨୦୨୩-୨୪ ସୁଦ୍ଧା ଏହା ୭୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଆଇଟି କ୍ଷେତ୍ରରେ ନିୟୋଜିତ ଲୋକଙ୍କ ସଂଖ୍ୟା ୨୦୧୮-୧୯ ରେ ୨୦,୦୦୦ ଥିଲାବେଳେ ୨୦୨୨-୨୩ ରେ ୪୦୦୦୦ କୁ ବୃଦ୍ଧି ପାଇଛି । ରାଜ୍ୟରେ ପୁଞ୍ଜିନିବେଶ ପ୍ରବାହକୁ ପ୍ରୋତ୍ସାହିତ କରିବା ପାଇଁ ମୋ ସରକାର ଇଲେକଟ୍ରୋନିକ୍‌ ନୀତି, ଆଇଟି ନୀତି, ବିପିଓ ନୀତି ଏବଂ ଡାଟା ସେଣ୍ଟର ନୀତି ପ୍ରଣୟନ କରିଛନ୍ତି । ନିକଟରେ ମୋ ସରକାର ସେମିକଣ୍ଡକ୍ଟର ଡିଜାଇନ୍ ୟୁନିଟ୍ ଏବଂ ସପ୍ଲାଏ ଚେନ୍ ୟୁନିଟ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବା ସହିତ ଦେଶର ଚତୁର୍ଥ ରାଜ୍ୟ ଭାବେ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ ଉତ୍ସର୍ଗୀକୃତ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ ଏବଂ ଫାବଲେସ୍ ନୀତି, ୨୦୨୩ ପ୍ରଣୟନ କରିଛନ୍ତି । ଏକ ଅନୁକୂଳ ସେମିକଣ୍ଡକ୍ଟର ଇକୋ –ସିଷ୍ଟମର ବିକାଶ ପାଇଁ ମୋ ସରକାର ଖୁବ୍‌ଶୀଘ୍ର ଓ-ଚିପ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବୋଲି କହିଛନ୍ତି ରାଜ୍ୟପାଳ ।

ମାତୃ ମୃତ୍ୟୁ ହାର ହ୍ରାସ କରିବାରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଜନସଂଖ୍ୟା ହାରରେ ସ୍ଥିରତା ଆଣିବା କ୍ଷେତ୍ରରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିଛି ଓଡ଼ିଶା । ମୋ ସରକାରଙ୍କ ଦ୍ଵାରା ବିଭିନ୍ନ ପ୍ରଭାବଶାଳୀ ତଥା ଫଳପ୍ରଦ ନୀତି ପ୍ରଣୟନ ଏବଂ ସୁଦୂରପ୍ରସାରୀ ଯୋଜନା ତଥା ରାଜ୍ୟ ବଜେଟରେ ଅଧିକ ବ୍ୟୟ ବରାଦ ଯୋଗୁଁ ପ୍ରମୁଖ ସ୍ଵାସ୍ଥ୍ୟ ସୂଚକାଙ୍କରେ ସଂଖ୍ୟାଧିକ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି । ଓଡ଼ିଶାରେ ଆନୁଷ୍ଠାନିକ ପ୍ରସବ ୨୦୦୫-୦୬ ରେ ୨୮.୮% ପ୍ରତିଶତ ଥିବାବେଳେ ୨୦୧୯-୨୧ ସୁଦ୍ଧା ୪୯.୯% ପ୍ରତିଶତରୁ ବୃଦ୍ଧି ହୋଇ ଏହା ୭୮.୭% ପ୍ରତିଶତରେ ପହଞ୍ଚିଥିଲା । ସର୍ବଭାରତୀୟ ସ୍ତରରେ ଏହି ସମୟସୀମା ମଧ୍ୟରେ ଆନୁଷ୍ଠାନିକ ପ୍ରସବ ହାର ୬୧.୯% ପ୍ରତିଶତ ଥିଲା । ରାଜ୍ୟର ହାରାହାରି ଆନୁଷ୍ଠାନିକ ପ୍ରସବ ୨୦୦୫-୦୬ ମଧ୍ୟରେ ୩୫.୬% ପ୍ରତିଶତ ରହିଥି ବାବେଳେ ୨୦୧୯-୨୧ ମଧ୍ୟରେ ଏହା ବୃଦ୍ଧି ପାଇ ୯୨.୨% ପ୍ରତିଶତ ଆନୁଷ୍ଠାନିକ ପ୍ରସବରେ ପହଚିଂଥିଲା । ଯାହା ଜାତୀୟସ୍ତରର ୮୮.୬% ପ୍ରତିଶତଠାରୁ ଅଧିକ ଥିଲା ।

ରାଜ୍ୟ ସରକାରଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଓଡ଼ିଶାର ଶିଶୁ ମୃତ୍ୟୁ ହାର ୩୯ ପଏଣ୍ଟ ହ୍ରାସ ପାଇ ୨୦୦୫ ରେ ୭୫ ପଏଣ୍ଟ ଥିବାବେଳେ ୨୦୨୦ ରେ ୩୬ ପଏଣ୍ଟରେ ପହଞ୍ଚିଛି । ମାତୃ ମୃତ୍ୟୁ ହାର ହ୍ରାସ କରିବାରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ୨୦୧୫ ରୁ ୨୦୧୭ ମଧ୍ୟରେ ଏହା ୧୬୮ ପଏଣ୍ଟ ଏବଂ ୨୦୧୮ ରୁ ୨୦୨୦ ମଧ୍ୟରେ ୪୯ ହ୍ରାସ ପାଇ ୧୧୯ ପଏଣ୍ଟରେ ପହଞ୍ଚିଛି । ମୋ ସରକାର ଜନସଂଖ୍ୟା ହାରରେ ସ୍ଥିରତା ଆଣିବା କ୍ଷେତ୍ରରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିଛନ୍ତି । ମୋଟ ପ୍ରଜନନ ହାର ୧.୮ (ଜାତୀୟ ହାର ୨.୦)କୁ ହ୍ରାସ ପାଇଛି, ଯାହାଫଳରେ ଏହା ରାଜ୍ୟର ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ଯଥେଷ୍ଟ ସହାୟକ ହେବ ।

ସେହିଭଳି ୨୦୨୩-୨୪ ପାଇଁ ପୁଞ୍ଜି ନିବେଶ ଏବେ ୫୬.୯୯୨ କୋଟିରେ ପହଞ୍ଚିଛି । ପୁଞ୍ଜି ବ୍ୟୟ ସହିତ ମୋଟ ବଜେଟର ଅନୁପାତ ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧିକ ଏବଂ ମୋଟ ରାଜ୍ୟ ଘରୋଇ ଉତ୍ପାଦର ଏକ ସୁସ୍ଥ ୬% ପ୍ରତିଶତ ସ୍ତରକୁ ଅତିକ୍ରମ କରିଛି । ୨୦୧୮-୧୯ ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟ ସରକାର ୨୧୬ ଟି ସେତୁ ୧୪ ଟି ରେଳ ଓଭରବ୍ରିଜ ଏବଂ ୪୦ଟି ଚେକ ଡ୍ୟାମ ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ କରିଛି । ପ୍ରାୟ ୨୦.୯୯୬ କୋଟି ଟଙ୍କା ବ୍ୟୟରେ ୮.୫୯୩ କିଲୋମିଟର ରାସ୍ତାର ଉନ୍ନତିକରଣ ହୋଇଛି ବୋଲି ରାଜ୍ୟପାଳ କହିଛନ୍ତି ।