ଆଗ ବିଧାନସଭା ନା ପ୍ରତିବାଦ? ରାଜନୈତିକ ରୁଟି ସେକିବା ପାଇଁ ପ୍ରତିବାଦର ପନ୍ଥା ଆପଣାଇଛନ୍ତି କି ନେତା ମନ୍ତ୍ରୀ?

87

କନକ ବ୍ୟୁରୋ : ଆଜି ତୃତୀୟ ଦିନରେ ବି ଚାଲିପାରିଲାନି ବିଧାନସଭା । ଯେଉଁଠି ଲୋକଙ୍କ ସୁବିଧା ଅସୁବିଧାକୁ ନେଇ ଆଲୋଚନା ହେବା କଥା ସେଠାରେ ଉଠୁଛି ପ୍ରତିବାଦର ଶ୍ୱର । ସେ ଶାସକ ଦଳ ହୁଅନ୍ତୁ ବା ବିରୋଧୀ, ନିଜ ନିଜର ରାଜନୈତିକ ରୁଟି ସେକିବା ପାଇଁ ପ୍ରତିବାଦର ପନ୍ଥା ଆପଣାଇଛନ୍ତି ରାଜନୈତିକ ଦଳ ।
ବିଧାନସାଭା ଆରମ୍ଭ ଦିନ ଠାରୁ ଗୃହରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜୀ ଦେଖିବାକୁ ମିଳିଛି । ବିଧାନସଭାର ପ୍ରଥମ ଦିନରେ ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ନ ୫ଟା ଯାଏଁ ଗୃହ ମୁଲତବୀ କରାଯାଇଥିଲା । ଦ୍ୱିତୀୟ ଦିନ ମାତ୍ର ଦୁଇ ମିନିଟ୍ ଚାଲିପାରିଥିଲା ବିଧାନସଭା । ଆଉ ଆଜି ତୃତୀୟ ଦିନରେ ବି ଚାଲିପାରିନି ଗୃହ । ମମିତା ମେହେର ମାମଲାକୁ ନେଇ ଆଜି ବିଧାନସଭାରେ ବିଜେପି ପ୍ରତିବାଦ କରିଛି । ପବିତ୍ର ଗୃହକୁ, ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରବେଶ କରିଥିବାରୁ ଗୃହ ଅପବିତ୍ର ହୋଇଯାଇଥିବା କହିଛି ବିଜେପି । ତେଣୁ ଗୃହକୁ ପବିତ୍ର କରିବା ପାଇଁ ବିଜେପି ବିଧାୟକମାନେ ବିଧାନସଭାରେ ଗଙ୍ଗା ଜଳ ଏବଂ ଗୋବର ପାଣି ପକାଇ ପବିତ୍ର କରିଛନ୍ତି । ସେପଟେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି । ପାୱାର ହାଉସ ଛକରେ ବିଜେଡି ମହିଳା ମୋର୍ଚ୍ଚା ଆନ୍ଦୋଳନ କରୁଛି । ତିନି ଦିନ ଧରି ଗ୍ୟାସ ଓ ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବିକ୍ଷୋଭ କରୁଛି ।
ତେବେ ବିରୋଧୀ ଏବଂ ଶାସକ ଦଳକୁ ନେଇ ପ୍ରଶ୍ନ ଉଠୁଛି, ବିଧାନସଭା ଆଗ ନା ପ୍ରତିବାଦ ଆଗ? ଲୋକଙ୍କ ସମସ୍ୟା ଆଗ, ନା କାଦୁଅ ଫିଙ୍ଗା ରାଜନୀତି ଆଗ?