ଆଜିଠାରୁ ମୌସୁମୀ ଅଧିବେଶନ : ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କଲେ ତିନି ଦଳ

ବିରୋଧୀ କହିଲେ ଗୃହରେ ଉଠିବ ବୋଲଗଡ ଗୁରୁଜୀ ପ୍ରସଙ୍ଗ; ବିଜେଡିର ଜବାବ ଚୁପ ବସି ନାହାନ୍ତି ସରକାର, ଆଇନ ଅନୁସାରେ କାମ କରୁଛି ପୁଲିସ

148

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥର ବି ମୌସୁମୀ ଅଧିବେଶନରେ ରହିବ ଶୁନ୍ୟକାଳ ଓ ପ୍ରଶ୍ନ କାଳ । କୋଭିଡ଼ କଟକଣାରେ ଚାଲିବ ଗୃହକାର୍ଯ୍ୟ । ସାଢେ ୧୦ଟାରୁ ୧ଟା ୩୦ ଓ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ ଗୃହକାର୍ଯ୍ୟ । ମୁଲତବୀ ପ୍ରଶ୍ନ ଉପରେ ଆଲୋଚନା ହେବ । ବିଜେପି ୩ ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ । ଗତଥର ଭଳି ବିଧାୟକ ମାନେ ବସିବେ । ମନ୍ତ୍ରୀ ଠିଆ ହୋଇ ଉତ୍ତର ରଖିପାରିବେ । ଗୃହ ଭିତରେ କୌଣସି କାଗଜ ଦିଆଯିବ ନାହିଁ । ବିରୋଧି ଦଳ ନେତା ମେଡ଼ିକାଲରେ ଥିବାରୁ ସେ ଚାହିଁ ହସ୍ପିଟାଲରୁ ଭିଡ଼ିଓ କନଫରେନ୍ସରେ ରହିପାରିବେ ।

ଏହାପୂର୍ବରୁ ରାଜ୍ୟର ତିନି ପ୍ରମୁଖ ଦଳର ବିଧାୟକ ଦଳ ବୈଠକ କରି ରଣନୀତି ପ୍ରସ୍ତୁତ କରିଛନ୍ତି । ଚଳିତ ଅଧିବେଶନରେ ବୋଲଗଡରେ ମାନବବାଦୀ ସଂଗଠନର ଅତ୍ୟାଚାର ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ବିରୋଧୀ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ସେହିପରି କଂଗ୍ରେସ କହିଛି ଯେ, ଓଏସଏସସି ଦୁର୍ନୀତି ପ୍ରସଙ୍ଗ, ଡବଲ ମର୍ଡର ମାମଲାରେ ମନ୍ତ୍ରୀଙ୍କ ସଂପୃକ୍ତି, କୃଷି, ଜଳ ସେଚନ ଭଳି ପ୍ରସଙ୍ଗ ଉଠାଇବ । ଏପଟେ ବିରୋଧୀଙ୍କୁ ମୁକାବିଲା କରିବାକୁ ବିଜେଡି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ସେପ୍ଟେମ୍ବର ୧ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ରୁରାଲ ହାଉସିଂ ଓ ଏମଏସପି ପ୍ରସଙ୍ଗ ଉଠାଇବ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ।