ରାତି ପାହିଲେ ବିଧାନସଭାର ମୌସୁମୀ ଅଧିବେଶନ । ହେଲେ ବିଧାନସଭାକୁ ଘାରିଲା କରୋନା ଡର । ଆଜି ପୁଣି ୧୨ ବିଧାୟକ ପଜିଟିଭ, ମୋଟ ୪୭ ବିଧାୟକଙ୍କୁ କରୋନା ।

337

କନକ ବ୍ୟୁରୋ : ରାତି ପାହିଲେ ବିଧାନସଭାର ମୌସୁମୀ ଅଧିବେଶନ । ହେଲେ ଏହାପୂର୍ବରୁ ଚିନ୍ତା ବଢାଇଛି ବିଧାୟକଙ୍କୁ କରୋନା ଖବର । ଅଧିବେଶନ ପାଇଁ କରାଯାଇଥିବା ଦୁଇ ଦିନିଆ କୋଭିଡ ପରୀକ୍ଷାରେ ୧୮୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ରହିଛନ୍ତି ୧୪ ଜଣ ବିଧାୟକ ।

କରୋନା କାଳରେ ବିଧାନସଭା ମୌସୁମୀ ଅଧିବେଶନ ପାଇଁ ଚାଲିଛି କୋଭିଡ୍ ପରୀକ୍ଷା । ସମସ୍ତ ବିଧାୟକ, ସୁରକ୍ଷାକର୍ମୀଙ୍କ ଠାରୁ ବିଧାନସଭା କର୍ମଚାରୀ ଏବଂ ରିପୋର୍ଟିଂ କରୁଥିବା ସାମ୍ବାଦିକଙ୍କ କରୋନା ପରୀକ୍ଷା କରାଯାଇଛି । ବିଧାନସଭା ପରିସରକୁ ବିଶୋଧନ କରାଯାଇଛି । ତେବେ ଚିନ୍ତା ବଢ଼ାଇ ଦେଇଛି ଦୁଇ ଦିନର ତଥ୍ୟ ।

ଶନିବାର
୨୦ ବିଧାୟକଙ୍କ ସମେତ ୭୫୬ ନମୁନା ପରୀକ୍ଷା
୨ ବିଧାୟକଙ୍କ ସହ ୧୩୬ ପଜିଟିଭ୍

ରବିବାର
୭୮ ବିଧାୟକଙ୍କ ସମେତ ୨୬୦ ନମୁନା ପରୀକ୍ଷା
୧୨ ବିଧାୟକଙ୍କ ସହ ୪୮ ପଜିଟିଭ୍

ମୋଟ ୯୮ ବିଧାୟକଙ୍କ କରୋନା ପରୀକ୍ଷା ହୋଇଥିବା ବେଳେ ବାକି ବିଧାୟକଙ୍କର ସୋମବାର ଦିନ କୋଭିଡ ପରୀକ୍ଷା କରାଯାଇଛି । ଦୁଇ ଦିନରେ ୧୪ ଜଣ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ ସମୀର ରଂଜନ ଦାଶ ଓ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ସମେତ ୭ ଜଣ ପୂର୍ବରୁ ସଂକ୍ରମିତ ଥିଲେ ଏବଂ ସେମାନଙ୍କର ପୁଣି ଥରେ ପଜିଟିଭ୍ ବାହାରିଛି ।

ଏସବୁକୁ ମିଶାଇଲେ ଏପର୍ଯ୍ୟନ୍ତ ପ୍ରାୟ ୪୭ ଜଣ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ସାମ୍ବାଦିକ, ସୁରକ୍ଷାକର୍ମୀ ଓ ବିଧାନସଭା କର୍ମଚାରୀଙ୍କୁ ମିଶାଇ ୧୭୦ ଜଣ ସଂକ୍ରମିତ ହୋଇଛନ୍ତି । ସୋମବାର ଦିନ ହୋଇଥିବା କରୋନା ପରୀକ୍ଷା ରିପୋର୍ଟ ଆସିବା ପରେ ଜଣାପଡିବ ମୋଟ କେତେ ଜଣ ବିଧାୟକ ଓ କେତେ କର୍ମଚାରୀ ସଂକ୍ରମିତ ହୋଇଛନ୍ତି ।

ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା । ବିଧାନସଭାକୁ ଘାରିଲା କରୋନା ଭୟ । କରୋନା କାଳରେ ବିଧାନସଭାର ରୂପରେଖ ବଦଳି ଯାଇଛି । ସାମାଜିକ ଦୂରତା ରଖି ଗୃହ ମଧ୍ୟରେ ବିଧାୟକମାନେ ବସିବେ । ଗୃହ ମଧ୍ୟରେ ବିଧାୟକଙ୍କ ମଧ୍ୟରେ ୩ ଫୁଟ ଦୂରତା ରହିବ । ଦର୍ଶକ ଗ୍ୟାଲେରୀରେ ମଧ୍ୟ ବସିବେ ବିଧାୟକ । ସଂସଦ ଅଧିବେଶନ ଭଳି ପ୍ରଶ୍ନକାଳ ରହିବ ନାହିଁ ଏବଂ ଶୂନ୍ୟକାଳ ଓ ମୁଲତବୀ ଆଲୋଚନା କରାଯିବ । ବିଧାୟକଠାରୁ କର୍ମଚାରୀଙ୍କ ସମେତ ସମସ୍ତେ ମାସ୍କ ପିନ୍ଧିବେ । ବିଧାୟକଙ୍କ ଆସନ ଆଗରେ କାଚ ସିଲ୍ଡ ରହିବ । କିପରି ସଂକ୍ରମଣ ବ୍ୟାପିବ ନାହିଁ, ସେନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି ।