ସଂସଦ ଢାଂଚାରେ ବସିବ ଓଡିଶା ବିଧାନସଭା । ଦର୍ଶକ ଗ୍ୟାଲେରୀରେ ବସିବେ ବିଧାୟକ, ଭିଡିଓ କନଫରେନ୍ସିରେ ମଧ୍ୟ ଗୃହ କାର୍ଯ୍ୟରେ ସାମିଲ ହୋଇପାରିବେ ବିଧାୟକ, ଦିନକୁ ସାଢେ ୪ ଘଂଟା ଚାଲିବ ଅଧିବେଶନ ।

79

କନକ ବ୍ୟୁରୋ: ଯେମିତି ସ୍ଥିତି ସେମିତି ବ୍ୟବସ୍ଥା । ପରିସ୍ଥିତି ସହ ଖାପଖୁଆଇଲା ଭଳି, କରୋନା କାଳରେ ଭିନ୍ନ ଢ଼ଙ୍ଗରେ ବସିବାକୁ ଯାଉଛି ବିଧାନସଭା ଅଧିବେଶନ । ମହାମାରୀ ସମୟରେ କେମିତି ଚାଲିବ ଗୃହକାର୍ଯ୍ୟ, କ’ଣ ରହିବ ରୁପରେଖ ଏହାକୁ ନେଇ ଅନେକ ଦ୍ୱନ୍ଦ ଲାଗି ରହିଥିଲା । କିନ୍ତୁ ସର୍ବଦଳୀୟ ବୈଠକରେ ବିଧାନସଭା ଅଧିବେଶନ ନେଇ ଚୂଡାନ୍ତ ନିଷ୍ପତି ହୋଇଛି ।

ଏମିତି ବସିବ ବିଧାନସଭା

-ଦୈନିକ ସାଢ଼େ ୪ ଘଂଟା ଚାଲିବ ବିଧାନସଭା ଗୃହକାର୍ଯ୍ୟ

-ପ୍ରଥମ ଦିନ ବ୍ୟତୀତ ଅନ୍ୟ ଦିନରେ ସାଢ଼େ ୧୦ଟାରୁ ଗୋଟିଏ ଯାଏଁ ପ୍ରଥମାର୍ଦ୍ଧ, ୩ଟାରୁ ୫ଟା ଯାଏଁ ଦ୍ୱିତୀୟାର୍ଦ୍ଧରେ ଗୃହ ଚାଲିବ

– ପ୍ରଶ୍ନକାଳକୁ ବାତିଲ କରାଯିବ, ଶୂନ୍ୟକାଳ ଓ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହେବ

-ବିଧାୟକଙ୍କ ବସିବା ପାଇଁ  ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି

-କୋଭିଡ୍ ସତର୍କତା ଯୋଗୁଁ ସିଟ୍ ଆଗରେ କାଚ ଲାଗିବ

-ପ୍ରଥମ ଥର ପାଇଁ କିଛି ବିଧାୟକ ଦର୍ଶକ ଗ୍ୟାଲେରୀରେ ବସିବେ

-ବିଧାୟକ ଓ ତାଙ୍କ ଡ୍ରାଇଭର ଓ ପିଏସ୍ଓଙ୍କ କରୋନା ଟେଷ୍ଟ ହେବ

-୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକ ଭିଡିଓ କନଫରେନ୍ସିରେ ରହିପାରିବେ

ପ୍ରଶ୍ନକାଳ ବ୍ୟତିତ ଅନ୍ୟ ସବୁ ନିଷ୍ପତିକୁ ସର୍ବଦଳୀୟ ବୈଠକରେ ଗ୍ରହଣ କରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-ପ୍ରଶ୍ନକାଳ ବାତିଲ କରିବା ବେଆଇନ ଓ ଅସାମ୍ବିଧାନିକ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି-ବିଧାୟକ ଚାହିଁଲେ ପ୍ରଶ୍ନ କରିପାରିବେ ଏବଂ ମନ୍ତ୍ରୀ ଉତର ରଖିପାରିବେ ।

ଆସନ୍ତା ୨୯ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏ ଚାଲିବ ଅଧିବେଶନ । ଏଥର ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ଗତ ୬ ମାସ ଭିତରେ ସରକାର ଆଣିଥିବା ୧୨ଟି ଅଧ୍ୟାଦେଶକୁ  ବିଲ ଆକାରରେ ବିଧାନସଭାରେ ଉପସ୍ଥାପନ କରିବେ ।