ମଦରୁ ମିଳୁଛି କେତେ ? ୧୦ ବର୍ଷରେ ରାଜ୍ୟ ସରକାର ମଦରୁ କେତେ ରୋଜଗାର କରିଛନ୍ତି, ହିସାବ ଦେଲେ ମନ୍ତ୍ରୀ

ବିଗତ ୧୦ ବର୍ଷରେ ରାଜ୍ୟ ସରକାର ୪ ଗୁଣା ବର୍ଦ୍ଧିତ ରାଜସ୍ୱ ପାଇଛନ୍ତି । ଆଗକୁ ମଧ୍ୟ ପାଇବେ । ତେବେ ମଦରୁ ଭଲ ରାଜସ୍ୱ ମିଳୁଥିବାରୁ ଖାସ ସେଇଥିପାଇଁ ମଦ ଦୋକାନୀଙ୍କୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଥିବା ଚର୍ଚ୍ଚା ହେଉଛି ।

462

କନକ ବ୍ୟୁରୋ: ବିଧାନସଭାରେ ଥମୁନି ମଦ ଝଡ । ଯେବେ ଠାରୁ ସରକାର ମଦ ଦୋକାନୀଙ୍କୁ ପ୍ରୋତ୍ସାହନର ପ୍ରସ୍ତାବ ଦେଇଛନ୍ତି ସେବେ ଠାରୁ ଗୃହରେ ମଦ ଝଡ ଥମିବାର ନାଁ ନେଉନି । ମଦ ପ୍ରୋତ୍ସାହନ ପରେ ପରେ ସରକାରଙ୍କୁ ସାଙ୍ଘାତିକ ଭାବେ ଘାଇଲା କରିଚାଲିଛନ୍ତି ବିରୋଧୀ । ଗୃହରେ ଅବକାରୀ ମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ ସଦସ୍ୟ । ରାଜସ୍ୱ ବୃଦ୍ଧି ପାଇଁ ରାଜ୍ୟ ସରକାର ଲୋକଙ୍କ ଉପରେ ପଡୁଥିବା କୁପ୍ରଭାବକୁ ଅଣଦେଖା କରୁଥିବା ବିରୋଧୀ ସିଧାସଳଖ ଅଭିଯୋଗ କରିଥିବା ବେଳେ ଆଜି ମନ୍ତ୍ରୀ ଦେଇଛନ୍ତି ରିପୋର୍ଟ ।

ତେବେ ରାଜ୍ୟ ସରକାର ମଦରୁ କେତେ ଟଙ୍କା ପାଉଛନ୍ତି, କେତେ ଟଙ୍କା ରୋଜଗାର କରୁଛନ୍ତି ଆଉ ସରକାରଙ୍କୁ କେତେ ରାଜସ୍ୱ ମିଳୁଛି ବୋଲି ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ମୋହନ ମାଝୀ । ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ତେବେ ୨୦୦୯ରୁ ୨୦୧୯ ମଧ୍ୟରେ ରାଜ୍ୟ ସରକାର କେତେ ରାଜସ୍ୱ ପାଇଛନ୍ତି ତାର ହିସାବ ବିଧାୟକ ମାଗିଥିବା ବେଳେ ମନ୍ତ୍ରୀ ଦେଇଛନ୍ତି ସାଙ୍ଘାତିକ ତଥ୍ୟ । ୨୦୦୯ରୁ ୨୦୧୦ ମଧ୍ୟରେ ରାଜ୍ୟ ସରକାର ମଦ ଦୋକାନୀଙ୍କ ଠାରୁ ଯେଉଁ ରାଜସ୍ୱ ପାଇଛନ୍ତି ତାହା ୨୦୧୯ ବେଳକୁ ୪ ଗୁଣା ବୃଦ୍ଧି ପାଇଛି । ଅର୍ଥାତ ମଦ ବାବଦକୁ ସରକାର ମୋଟା ଅଙ୍କରେ ରାଜସ୍ୱ ପାଇଁ ମାଲେମାଲ ହୋଇଛନ୍ତି ।

୨୦୦୯ରୁ ୨୦୧୦ ମଧ୍ୟରେ ରାଜ୍ୟ ସରକାର ମଦରୁ ୮୪୮.୯୬ କୋଟି ଟଙ୍କା ଆୟ କରିଥିଲେ । ବର୍ଷ ଗଡିବା ସଙ୍ଗେ ସଙ୍ଗେ ଆୟ ମଧ୍ୟ ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ୨୦୧୦-୧୧ ମଧ୍ୟରେ ୧୦୯୪.୩୮, ୨୦୧୧-୧୨ ମଧ୍ୟରେ ୧୩୭୯.୯୧, ୨୦୧୨-୧୩ ମଧ୍ୟରେ ୧୪୯୯.୯୦ କୋଟି, ୨୦୧୩-୧୪ ମଧ୍ୟରେ ୧୭୮୦.୨୮ କୋଟି, ୨୦୧୪-୧୫ ମଧ୍ୟରେ ୨୦୩୮.୭୯ କୋଟି ଟଙ୍କା ଆୟ ହୋଇଥିବା ବେଳେ କ୍ରମାଗତ ଆୟର ପରିମାଣ ବୃଦ୍ଧି ପାଇ ୨୦୧୮-୨୦୧୯ ବେଳକୁ ୩୯୨୫. ୪୧ କୋଟି ଟଙ୍କାରେ ପହଞ୍ଚିଛି । ଯାହାକି ୧୦ ବର୍ଷରେ ୪ ଗୁଣା ବୃଦ୍ଧି ପାଇଛି ।

ବିଗତ ୧୦ ବର୍ଷରେ ରାଜ୍ୟ ସରକାର ୪ ଗୁଣା ବର୍ଦ୍ଧିତ ରାଜସ୍ୱ ପାଇଛନ୍ତି । ଆଗକୁ ମଧ୍ୟ ପାଇବେ । ତେବେ ମଦରୁ ଭଲ ରାଜସ୍ୱ ମିଳୁଥିବାରୁ ଖାସ ସେଇଥିପାଇଁ ମଦ ଦୋକାନୀଙ୍କୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଥିବା ଚର୍ଚ୍ଚା ହେଉଛି । ତେବେ ମଦ ଦୋକାନୀଙ୍କୁ ପୁରସ୍କାର କଥା ବିଧାନସଭାରେ ଉଠିବା ପରେ ସରକାରଙ୍କୁ ଘାଟାରେ ପକାଇ ଆସିଛନ୍ତି ବିରୋଧୀ ।

ଆଉ ଗୃହର ଏହି ତମାମ୍ ଆଲୋଚନା ଭିତରେ ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ, ମଦ ଦୋକାନୀଙ୍କୁ ପ୍ରୋତ୍ସାହନ କରିବାର ନିଷ୍ପତ୍ତି ଗୃହ କମିଟିର । ଯେଉଁଥିରେ ସବୁ ଦଳ ବିଧାୟକ ରହିଛନ୍ତିି । ତେବେ ରାଜ୍ୟ ସରକାର ମଦ ବିରୋଧରେ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଥିବାର ସଫେଇ ଦେଇଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଯାହାକୁ ଆଦୌ ଗ୍ରହଣ କରି ପାରିନାହାନ୍ତି କିଛି ବିରୋଧୀ ବିଧାୟକ ।