ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । କୋଟିଆ ଓ ବାଇ-ଲ ପ୍ରସଙ୍ଗରେ ସରଗରମ ହୋଇପାରେ ବିଧାନସଭା । ଚଳିତ ଅଧିବେଶନରେ ଚାଲିବ ପ୍ରଶ୍ନକାଳ ।

199

କନକ ବ୍ୟୁରୋ: ଆଜିଠୁ ବିଧାନସଭା ବଜେଟ ଅଧିବେଶନ । ଫେବୃଆରୀ ୧୮ରୁ ମାର୍ଚ୍ଚ ୩୧ ଯାଏଁ ଦୁଇଟି ପର୍ଯ୍ୟାୟରେ ଚାଲିବ ଚଳିତ ଅଧିବେଶନ । ଫେବୃଆରୀ ୨୨ ତାରିଖରେ ଆଗତ ହେବ ବଜେଟ୍ । ପୂର୍ବ ଅଧିବେଶନରେ କରୋନା କଟକଣା ଯୋଗୁଁ ପ୍ରଶ୍ନକାଳ ନଥିବା ବେଳେ ଏଥର କିନ୍ତୁ ପ୍ରଶ୍ନକାଳ ରହିବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ ଦେଢ ଘଣ୍ଟା ଧରି ମୁଲତବୀ ପ୍ରସ୍ତାବ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ।

ତେବେ ଏଥର ବଜେଟ୍ ଅଧିବେଶନ ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରଥମେ ରାଜ୍ୟପାଳଙ୍କ ଅଭିଭାଷଣ ରହିବ । ଏହା ଉପରେ ୩ ଦିନ ଆଲୋଚନା ଚାଲିବ । ଫେବ୍ରୁଆରୀ ୨୨ ତାରିଖରେ ବଜେଟ୍ ଆଗତ ହେବ । ଏହା ଉପରେ ୩ ଦିନ ଆଲୋଚନା ହେବ । ଏହି ଅବସରରେ ଓଡିଶାକୁ କେନ୍ଦ୍ରୀୟ ଅବହେଳା ନେଇ ଆଲୋଚନା କରାଯିବ । କେନ୍ଦ୍ରୀୟ ଯୋଜନା ଓ ଜିଏସଟି କ୍ଷତି ଯୋଗୁଁ ଓଡିଶା ପ୍ରତିବର୍ଷ ୧୨ ହଜାର କୋଟି ହରାଇବ । ଏହା ସହିତ ରେଳବାଇରେ ଓଡିଶାକୁ ଅଶାନୁରୂପ ଅନୁଦାନ ମିଳିନି । ଏହି ପ୍ରସଙ୍ଗ ବି ରଖିବ ଶାସକ ଦଳ । ସେପଟେ ଚାଷୀ ସମସ୍ୟା, ସୀମା ବିବାଦ, ଜଳ ବିବାଦ, ତୈଳଦର ବୃଦ୍ଧି ଭଳି ପ୍ରସଙ୍ଗରେ କଂଗ୍ରେସ, ସରକାରଙ୍କୁ ଘେରିବାକୁ ଯୋଜନା ରଖିଛି । ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ।