କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଏପ୍ରିଲ ୯ ତାରିଖ ଯାଏ ଚାଲିବ । ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ରାଜ୍ୟପାଳ ଗୃହରେ ଅଭିଭାଷଣ ରଖିବେ । ଫେବୃୟାରୀ ୧୮ରେ ବଜେଟ ଉପସ୍ଥାପିତ ହେବ ଓ ବଜେଟ ଉପରେ ସାଧାରଣ ଆଲୋଚନା ତିନି ଦିନ ଯାଏଁ ଚାଲିବ । ବିଭାଗୀୟ ସ୍ଥାୟୀ କମିଟିମାନଙ୍କର ରିପୋର୍ଟ ଉପସ୍ଥାପନ ପାଇଁ ଗୋଟିଏ ଦିନ ଏବଂ ଅନୁଦାନ ନିମନ୍ତେ ଖର୍ଚ୍ଚ ଦାବି ପାଇଁ ୧୪ ଦିନ କାର୍ଯ୍ୟସୂଚୀ ରହିଛି । ମାର୍ଚ୍ଚ ୩୧ ତାରିଖ ଦିନ ବ୍ୟୟମଂଜୁରୀ ବିଲ୍ ପାରିତ ହେବ ।
ତେବେ ବଜେଟ ଅଧିବେଶନର ଦିନକ ପୂର୍ବରୁ ଅର୍ଥାତ ଗତକାଲି ସର୍ବଦଳୀୟ ବୈଠକ କରିଥିଲେ ବିଧାନସଭା ବାଚସ୍ପତି । ବୈଠକରେ ସବୁ ଦଳର ବିଧାୟକମାନେ ସାମିଲ ହୋଇଥିଲେ । ବଜେଟ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ସବୁ ଦଳର ସହଯୋଗ ଲୋଡିଥିଲେ ବାଚସ୍ପତି । ଆଉ ସବୁ ଦଳ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା କହିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ସେପଟେ କାଲି ବଜେଟ ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ସବୁ ପ୍ରସଙ୍ଗରେ ବିରୋଧୀଙ୍କୁ ମାତ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ । ବଜେଟ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ରଣନୀତିକୁ କେମିତି ଦିଗହରା କରାଯିବ ସେନେଇ ବୈଠକରେ ବିଚାର ବିମର୍ଶ ହୋଇଛି । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ପ୍ରସଙ୍ଗରେ ଆଲୋଚନା ଓ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।