ପୂର୍ବ ନିଷ୍ପତ୍ତି ଅନୁସାରେ ଧାନକିଣା ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଯୋଗାଣମନ୍ତ୍ରୀ : ରଣେନ୍ଦ୍ର ସ୍ୱାଇଁଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ବିଧାୟକଙ୍କ କକ୍ଷତ୍ୟାଗ

ସେପଟେ ଗୃହର ମଧ୍ୟଭାଗରେ କଂଗ୍ରେସ ବିଧାୟକଙ୍କ ଧାରଣା; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

60

କନକ ବ୍ୟୁରୋ : ୬ଦିନର ଅଚଳାବସ୍ଥା ପରେ, ଆଜି ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିଲା ବିଧାନସଭା । ପ୍ରଶ୍ନ କାଳରେ ଏକାଧିକ ପ୍ରସଙ୍ଗରେ ଚର୍ଚ୍ଚା ପରେ, ପୂର୍ବ ନିଷ୍ପତ୍ତି ଅନୁସାରେ ଗୃହରେ ବିବୃତି ରଖିଥିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ ଗୃହକୁ କହିଛନ୍ତି ଗତ ଖରିଫ୍ ରୁତୁ ତୁଳନାରେ ଚଳିତ ଥର ୧୮ ପ୍ରତିଶତ ଅଧିକା ଧାନ କିଣାଯାଇଛି ।

ବର୍ତ୍ତମାନ ସୁଧା ରାଜ୍ୟରେ ୬୧ ଲକ୍ଷ ୨୪ହଜାର ମେଟ୍ରିକ୍ ଟନ ଧାନ କିଣିଛନ୍ତି ସରକାର । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଂଜିକୃତ ଚାଷୀଙ୍କ ଧାନ କିଣାଯିବ । ତେବେ ବିଭିନ୍ନ ଜିଲ୍ଲାରେ ଧାନ କିଣା ନେଇ ଯେଉଁ ସମସ୍ୟା ରହିଛି ତାର ତଦନ୍ତ କରାଯାଉଛି । ପଂଜିକୃତ ଚାଷୀମାନେ ଧାନ କିଣାରୁ ବଂଚିତ ହେବେ ନାହିଁ । କିନ୍ତୁ ମନ୍ତ୍ରୀଙ୍କ ଉତ୍ତର ବିରୋଧୀଙ୍କୁ ସନ୍ତୁଷ୍ଠ କରିପାରିନାହିଁ । ଗୃହରେ ବିରୋଧି ଦଳ ନେତା କହିଛନ୍ତି ଧାନ କିଣା ପ୍ରସଙ୍ଗରେ ନବୀନ ବାବୁ ଆମକୁ ଠକିଦେଲେ । ଗୃହରେ ଆମକୁ ପ୍ରତାରଣା କରାଯାଇଛି କହି ବିଜେପି ବିଧାୟକ ମାନେ କକ୍ଷତ୍ୟାଗ କରିଥିଲେ ।

ସେପଟେ କଂଗ୍ରେସ ସଦସ୍ୟ ମାନେ ଗୃହର ମଧ୍ୟ ଭାଗକୁ ଆସି ଧାରଣା ଦେଇଥିଲେ । ବିଜେପିର ହାଇ ଡ଼୍ରାମାକୁ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଜେପି ବିଜେଡ଼ି ଭାଇ ଭାଇ ବୋଲି ଆଗରୁ କହିଥିଲୁ, ତାହା ଗତକାଲି ପ୍ରମାଣିତ ହୋଇଗଲା ବୋଲି ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । ସେପଟେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।