କନକ ବ୍ୟୁରୋ: ନିର୍ଦ୍ଧାରିତ ସମୟର ୧୭ ଦିନ ଆଗରୁ ବନ୍ଦ ହେଲା ବିଧାନସଭାର ଅଧିବେଶନ । ନଭେମ୍ବର ୧୩ ତାରିଖରେ ଆରମ୍ଭ ହୋଇଥିବା ଚଳିତ ବିଧାନସଭାର ଦ୍ୱିତୀୟ ଅଧିବେଶନ ମାତ୍ର ୧୩ ଦିନ ଚାଲିବା ପରେ ଗୁରୁବାର ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି । ଏନେଇ ଶାସକ ଦଳ ପକ୍ଷରୁ ପ୍ରସ୍ତାବ ଆସିବା ପରେ ଏହାକୁ ତୀବ୍ର ବିରୋଧ କରିଥିଲା ବିଜେପି ଏବଂ କକ୍ଷ ତ୍ୟାଗ କରିଥିଲା । ତେବେ କୌଣସି ସରକାରୀ କାର୍ଯ୍ୟ ଆଉ ନଥିବାରୁ ଗୃହକୁ ମୁଲତବୀ ରଖିବାକୁ ଶାସକ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଗତ କରିଥିଲେ । ଏହା ଧ୍ୱନି ମତରେ ପାରିତ ହେବା ପରେ ଗୃହର ନେତା ମୁଖ୍ୟମନ୍ତ୍ରୀ ଉଦଯାପନୀ ଭାଷଣ ଦେଇଥିଲେ । ଏହି ଅବସରରେ ଗୃହରେ ଆଗାମୀ ହକି ବିଶ୍ୱକପ୍ ପାଇଁ ଯେଉଁ ସଂକଳ୍ପ ପାରିତ ହୋଇଛି, ସେଥିପାଇଁ ସେ ସମସ୍ତଙ୍କୁ ବିଶେଷ ଧନ୍ୟବାଦ ଦେଇଥିଲେ । ତେବେ ଏତେ ଦିନ ପୂର୍ବରୁ ବିଧାନସଭା ବନ୍ଦ କରିଥିବାରୁ ଏହାକୁ ବିରୋଧୀ ସମାଲୋଚନା କରିଛନ୍ତି ।

Advertisment

publive-image

ତେବେ ନଭେମ୍ବର ୧୩ ତାରିଖରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବା କଥା। ତେବେ ମୋଟ ୧୩ଟି କାର୍ଯ୍ୟଦିବସ ହୋଇଥିଲା, ଯେଉଁଥିରେ ୧୨ଟି ସରକାରୀ କାର୍ଯ୍ୟଦିବସ ରହିଥିଲା। ଏହି ଅଧିବେଶନରେ ମୋଟ ୫ଟି ବିଲ୍ ଆଗତ ହୋଇ ଗୃହରେ ଅନୁମୋଦନ ଲାଭ କରିଥିବାବେଳେ ୧୬୩୬ଟି ଅଣତାରକା ପ୍ରଶ୍ନ ଓ ୨୨୬୧ଟି ତାରକା ପ୍ରଶ୍ନର ଉତ୍ତର ସରକାରଙ୍କ ପକ୍ଷରୁ ଗୃହରେ ଉପସ୍ଥାପନ କରାଯାଇଥିଲା। ଅଧିବେଶନରେ ମୋଟ ୧୩ଟି ମୁଲତବୀ ପ୍ରସ୍ତାବ ଦିଆଯାଇଥିବା ବେଳେ ସେଥିରୁ ୫ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ୫ଟି ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇଥିଲା। ୨ଟି ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଥିଲା ଓ ଗୋଟିଏ ସଂକଳ୍ପ ପାରିତ ହୋଇଥିଲା।

publive-image

ଏହି ଅଧିବେଶନରେ ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ହତ୍ୟା, ଧାନକିଣାରେ ଅବ୍ୟବସ୍ଥା, ଜଗତସିଂହପୁରରେ ଦଳିତ ଯୁବତୀଙ୍କ ଆତ୍ମହତ୍ୟା, ସରକାରୀ ଖର୍ଚ୍ଚରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ଦୁଇ ମହିଳା ହାଇଦ୍ରାବାଦ ଯିବା ଆଦି ପ୍ରସଙ୍ଗ ଗୃହକୁ ସରଗରମ କରିଥିଲା। ସ୍ମିତାରାଣୀ ପ୍ରସଙ୍ଗରେ ଆଲୋଚନା ଓ ସିବିଆଇ ତଦନ୍ତ ଦାବିରେ ବିଜେପି ବିଧାୟକମାନେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେବା ସହ କଳାପଟି ପିନ୍ଧି ଗୃହରେ ପ୍ରତିବାଦ କରିଥିଲେ।