କନକ ବ୍ୟୁରୋ: ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟ ଓ ସହୀଦ କନେଷ୍ଟବଳଙ୍କ ସମ୍ମାନାର୍ଥେ ଆସନ୍ତାକାଲି ଶୁକ୍ରବାର ପର୍ଯ୍ୟନ୍ତ ଗୃହକୁ ମୂଲତବୀ ଘୋଷଣା କରିଛନ୍ତିି ବାଚସ୍ପତି ।
ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ । ନିକଟରେ ବିଜେପୁର ବିଧାୟକ ସୁବଳ ସାହୁଙ୍କ ପରଲୋକ ଘଟିଥିବା ବେଳେ ପୂର୍ବତନ ବିଧାୟକ ସୁର ସେଠୀ ଓ ସହୀଦ କନେଷ୍ଟବଳ ଲକ୍ଷ୍ମୀକାନ୍ତ ଜାନୀଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ସ୍ୱର୍ଗତ ସୁବଳ ସାହୁଙ୍କ ସ୍ମୃତିଚାରଣ କରିଥିଲେ । ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯିବା ପରେ ଗୃହକୁ ଆସନ୍ତା କାଲି ପର୍ଯ୍ୟନ୍ତ ମୂଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ତେବେ ୧୬ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ସ୍ୱଳ୍ପକାଳୀନ ଅଧିବେଶନରେ ମୋଟ ୮ଟି କାର୍ୟ୍ୟଦିବସ ରହିଛି । ଏ ମଧ୍ୟରେ ୬ଟି ସରକାରୀ ଓ ୨ଟି ବେସରକାରୀ କାର୍ୟ୍ୟଦିବସ । ଏହି ଅଧିବେଶନର ୬ଟି ସରକାରୀ ଦିବସରେ ପାଖାପାଖି ୯ଟି ବିଲ୍ ବିଚାର ବା ପାରିତ ହେବାର କାର୍ୟ୍ୟକ୍ରମ ରହିଛି ।
ଏ ମଧ୍ୟରେ ଓଡ଼ିଶା ପୌର ନିଗମ ସଂଶୋଧନ (ଅଧ୍ୟାଦେଶ ପ୍ରତିସ୍ଥାପନ) ବିଲ୍, ଓଡ଼ିଶା ବସ୍ତିବାସିନ୍ଦାଙ୍କୁ ଜମି ଦେବା ଅଧିକାର (ଅଧ୍ୟାଦେଶ ପ୍ରତିସ୍ଥାପନ) ବିଲ୍, ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ (ଅଧ୍ୟାଦେଶ ପ୍ରତିସ୍ଥାପନ) ବିଲ୍, ଓଡ଼ିଶା ମୋଟର ଯାନ ଧାର୍ୟ୍ୟକରଣ ବିଲ୍, ଓଡ଼ିଶା କୃଷିଜାତ ଦ୍ରବ୍ୟ ବଜାର (ସଂଶୋଧନ) ବିଲ୍ ,ଓଡ଼ିଶା ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ବିଲ୍, ଓଡ଼ିଶା ବିକ୍ରିକର (ବକେୟା ଧାର୍ୟ୍ୟକରଣ) ସଂଶୋଧନ ବିଲ୍, ଓଡ଼ିଶା ଯନ୍ତ୍ରୀ ସେବା (ନିଯୁକ୍ତିର ବିଧିମାନ୍ୟକରଣ) ସଂଶୋଧନ ବିଲ୍, ଓଡ଼ିଶା ଯନ୍ତ୍ରୀ ସେବା (ନିଯୁକ୍ତିର ବିଧିମାନ୍ୟ କରଣ) ବିଲ୍ ରହିଛି । ଅବଶିଷ୍ଟ ୨ଟି ବେସରକାରୀ ବୈଠକ ଦିବସରେ ବେସରକାରୀ ବିଲ୍ ଓ ସଂକଳ୍ପ କାର୍ୟ୍ୟ ସଂପାଦିତ ହେବ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/3-12.jpg)