ବିଧାନସଭା ଭିତରେ ଓ ବାହାରେ ୟୁପି ହାଥରସ ପୀଡିତାଙ୍କୁ ନେଇ ତାତି: ବିଜେଡି କହିଲା, ଦଳିତ ମହିଳାଙ୍କୁ ନ୍ୟାୟ ନମିଳିଲେ ଦିଲ୍ଲୀ ଯାଏଁ ଯିବ ଆନ୍ଦୋଳନ; ସେପଟେ ରାହୁଲ ଗାନ୍ଧୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ କଂଗ୍ରେସ ସଦସ୍ୟଙ୍କ ହଙ୍ଗାମା

ଗୃହ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି

564

କନକ ବ୍ୟୁରୋ: ଉତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଆଜି ଉଠିଛି ପଡିଛି ବିଧାନସଭା । କଂଗ୍ରେସ ସଦସ୍ୟମାନେ ଗୃହ ଭିତରେ ହଙ୍ଗାମା କରିଥିବା ବେଳେ ବିଧାନସଭା ବାହାରେ ପ୍ରତିକ୍ରିୟା ରଖିଛି ବିଜେଡି । ସବୁଠାର ବଡ କଥା ହେଉଛି ଦଳିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଦିଲ୍ଲୀ ଯାଏଁ ଆନ୍ଦୋଳନ ଯିବ ବୋଲି କହିଛନ୍ତି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।  କହିଛନ୍ତି ୟୁପି ପୋଲିସ ଓ ପ୍ରଶାସନ, ଯୋଗୀ ସରକାରଙ୍କ ହାତବାରିସି ସାଜିଛି । ଦୁଷ୍କର୍ମ ପରି ସମ୍ବେଦନଶୀଳ ପ୍ରସଙ୍ଗରେ ବାରମ୍ବାର ବିବୃତି ବଦଳାଉଛନ୍ତି ଜିଲ୍ଲାପାଳ । ତେଣୁ ଦଳିତ ମହିଳାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଛି ବିଜେଡି । ନ୍ୟାୟ ନମିଳିଲେ ଦଳ ରାଜରାସ୍ତାକୁ ଓହ୍ଳାଇବ ଏପରିକି ଦିଲ୍ଲୀ ଯାଏ ଆନ୍ଦୋଳନ ଯିବ ବୋଲି କହିଛନ୍ତି ସ୍ନେହାଙ୍ଗିନି ଛୁରିଆ ।

ଏପଟେ ବିଧାନସଭା ଗୃହ ଭିତରେ ହଙ୍ଗାମା କରିଛନ୍ତି କଂଗ୍ରେସ ସଦସ୍ୟ । ମୋଦି ଓ ଯୋଗୀଙ୍କ ବିରୋଧରେ ନାରାବାଜି କରିଛନ୍ତି । ହାଥରସ ଗଲାବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୋଲିସ ଯେଭଳି ଦୁର୍ବ୍ୟବହାର ପ୍ରଦର୍ଶନ କଲା, ତା ବିରୋଧରେ ନାରାବାଜି କରିଛନ୍ତି କଂଗ୍ରେସ ସଦସ୍ୟ । ଗୃହର ମଧ୍ୟଭାଗକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ହଙ୍ଗାମା କରିଛନ୍ତି ।  ଯୋଗୀଙ୍କ ଇସ୍ତଫା ଦାବି କରିବା ସହ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନାଁରେ ଜିନ୍ଦାବାଦ ପକାଇଛନ୍ତି କଂଗ୍ରେସ ବିଧାୟକ । ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାହୁଲ ଗାନ୍ଧୀଙ୍କୁ ପୋଲିସ ମାଡ ମାରିବା ଓ ଠେଲିଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ ।  ତେବେ କଂଗ୍ରେସ ସଦସ୍ୟଙ୍କ ହଙ୍ଗାମା ଫଳରେ ଗୃହକୁ ବାରମ୍ବାର ମୁଲତବି ରଖିବା ପରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ।