ଅଧା ରହିଗଲା ଅନେକ କଥା… ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଚାହୁଁନାହାନ୍ତି ନା ହାତରେ ପ୍ରସଙ୍ଗ ନାହିଁ?

ପ୍ରସଙ୍ଗ ଉଠାଇବା ଛଳରେ ବିଧାନସଭା ଭିତରେ ହୋହଲ୍ଲା କରି ନିଜ ଦାୟିତ୍ୱ ସାରିଦେବାକୁ ଯଦି ପ୍ରାଥମିକତା ଦେବେ ବିରୋଧୀ ଦଳ ତେବେ ଏଥିରେ କାହାର କିଛି କହିବାର ନାହିଁ, କିନ୍ତୁ ଗଣତନ୍ତ୍ରରେ ବିରୋଧୀ ଦଳ ଯେତେବେଳେ ସ୍ୱର ଶାଣିତ କରିବାକୁ ଚାହିଁବ ନାହିଁ, ତେବେ ସ୍ୱାର୍ଥକୈନ୍ଦ୍ରିକ ରାଜନୀତିର ବଡ ଉଦାହରଣ ସୃଷ୍ଟି ହେବ ।

102

ଗୋଟିଏ ଅବସରକୁ ସୁଯୋଗରେ ପରିଣତ କରିବା ବଦଳରେ ଯେତେବେଳେ ଏହାକୁ ଛାଡିଦିଆଯାଏ, ସେଥିରେ ସନ୍ଦେହ ଉପୁଜିବା ସ୍ୱାଭାବିକ କଥା, ଠିକ ଯେମିତି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ସମୟରେ ଘଟିଲା । ଶାସକ ଦଳକୁ ଘେରିବା ପାଇଁ ଅସ୍ତ୍ରର କୈାଣସି ଅଭାବ ନଥିଲା, ପୁଂଜା ପୁଂଜା ପ୍ରସଙ୍ଗ ବିରୋଧୀ ଦଳଙ୍କ ଦୁଇ ହାତରେ ଥିଲା । ହେଲେ ଏହାକୁ ପ୍ରୟୋଗ କରିବା ବଦଳରେ ପାଣି ପକାଇ ଫୁସକେଇ ଦେଲାଭଳି ଧାରଣା ଏବେ ରାଜ୍ୟସ୍ତରରେ ସୃଷ୍ଟି ହୋଇଛି ।

ଗୃହ ଆରମ୍ଭରୁ ସ୍ମିତାରାଣୀ ପ୍ରସଙ୍ଗ ଆଉ ଶେଷ ବେଳକୁ ଉଠିଥିଲା ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗ । ଚାଷୀ ଆଉ ରାଜ୍ୟ ବିକାଶ ପ୍ରସଙ୍ଗ ମଧ୍ୟ ବିରୋଧୀ ଦଳ ଉଠାଇଥିଲେ । ହେଲେ କୈାଣସି ବି ପ୍ରସଙ୍ଗରେ ଶାଣିତ ଆକ୍ରମଣ ଦେଖିବାକୁ ମିଳିଲା ନାହିଁ । ସରକାରଙ୍କୁ ଅଡୁଆରେ ପକାଇବା କଥା ଛାଡନ୍ତୁ, ଲାଗିଲା ଯେମିତି ବିରୋଧୀ ଦଳ ପରୋକ୍ଷରେ ସରକାରଙ୍କୁ ସୁହାଇଲା ଭଳି ବିଧାନସଭାରେ କାମ କରୁଛି ।

ପ୍ରସଙ୍ଗ ଉଠାଇବା ଛଳରେ ବିଧାନସଭା ଭିତରେ ହୋହଲ୍ଲା କରି ନିଜ ଦାୟିତ୍ୱ ସାରିଦେବାକୁ ଯଦି ପ୍ରାଥମିକତା ଦେବେ ବିରୋଧୀ ଦଳ ତେବେ ଏଥିରେ କାହାର କିଛି କହିବାର ନାହିଁ, କିନ୍ତୁ ଗଣତନ୍ତ୍ରରେ ବିରୋଧୀ ଦଳ ଯେତେବେଳେ ସ୍ୱର ଶାଣିତ କରିବାକୁ ଚାହିଁବ ନାହିଁ, ତେବେ ସ୍ୱାର୍ଥକୈନ୍ଦ୍ରିକ ରାଜନୀତିର ବଡ ଉଦାହରଣ ସୃଷ୍ଟି ହେବ ।

କିଛି ଦିନ ପୂର୍ବରୁ ରାଜ୍ୟବାସୀଙ୍କ ଆଖି ଖୋଲିଲା ଭଳି ଏକ ଚହଳ ସୃଷ୍ଟିକାରୀ ରିପୋର୍ଟ କନକ ନ୍ୟୁଜରେ ପ୍ରସାରିତ ହେଲା । କିଭଳି କିଛି ଟଙ୍କାର ଲୋଭରେ ସରକାରୀ କର୍ମଚାରୀ ନିଜ ଦାୟିତ୍ୱକୁ ପଛରେ ପକାଇ, ପକେଟ ଗରମ କରିବାକୁ ଛାହୁଁଛନ୍ତି, ତାର ରିପୋର୍ଟ ଦେଖାଇଥିଲୁ ଅପରେସନ ବ୍ଲାକଆଉଟ ଜରିଆରେ । ଯାହାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହେଲା । ବିରୋଧୀ ଦଳ ଗର୍ଜିଲେ । ବିଧାନସଭାରେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଉତ୍ତରଦାୟୀ କରିବାକୁ ମାଳମାଳ ନେତା ପ୍ରତିକ୍ରିୟା ରଖିଲେ ।

ହେଲେ ଠିକ ଯେତେବେଳେ ବିଧାନସଭା ଆରମ୍ଭ ହେଲା, ସେତେବେଳେ ନେତା ସତେ ଯେମିତି ସବୁ କିଛି ଭୁଲିଯାଇଥିଲେ । ପ୍ରସଙ୍ଗ ଉଠାଇବା ତ ଦୂରରେ ଥାଉ, ଯେଉଁ କଡା ଭାଷାରେ ସରକାରଙ୍କ ସ୍ୱଛତାକୁ ନେଇ କଡା ଟିପ୍ପଣୀମାନ ଦେଉଥିଲେ, ତାହା ଶୂନ୍ୟରେ ମିଳାଇ ଯାଇଥିଲା । ସାରା ରାଜ୍ୟକୁ ପ୍ରଭାବିତ କରୁଥିବା ଏହି ପ୍ରସଙ୍ଗ ଯଦି ଉଠାଇବାକୁ ବିରୋଧୀ ଦଳ ଚିନ୍ତା କଲେନାହିଁ, ତେବେ କେଉଁ ପ୍ରସଙ୍ଗ ସେମାନଙ୍କ ନଜରରେ ବଡ, ତାର ମଧ୍ୟ ଏକ ବିଶ୍ଳେଷଣ ହେବାର ନିହାତି ଆବଶ୍ୟକତା ରହୁଛି ।

ଖାଲି ବିରୋଧୀଦଳ କାହିଁକି, ସରକାରୀ ଦଳର ସଭ୍ୟ ଚାହିଁଥିଲେ ଏହି ପ୍ରସଙ୍ଗ ମଧ୍ୟ ଉଠାଇ ପାରିଥାନ୍ତେ । ୨୦୦୯ ବେଳର କଥା ଯେତେବେଳେ ଶାସକ ଦଳର ସଭ୍ୟ ହିଁ ପ୍ରଥମେ ବିଧାନସଭାରେ ଖଣି ଦୁର୍ନୀତିର କଥା ଉଠାଇଥିଲେ, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସବୁଠାରୁ ବଡ ପ୍ରସଙ୍ଗ ହୋଇ ଉଭା ହୋଇଥିଲା । ସରକାର ଅସୁବିଧାରେ ପଡିଲେ, ଅନେକ ନେତା ଅଫିସର ବଦନାମ ହେଲେ । ଖଣିଚୋରୀର ସିଣ୍ଡିକେଟ ସାମ୍ନାକୁ ଆସିଥିଲା । ହେଲେ ଏହାର ୧୦ ବର୍ଷ ପରେ କଣ ସରକାରୀ ଦଳର ସଭ୍ୟଙ୍କ ପାଖରେ ସେହି ଜୁ ନାହିଁ, ଜନସାଧାରଣଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଜବାବଦେହୀ କରିବା ।

ଜନପ୍ରତିନିଧି ହୋଇଯିବା ପରେ ଜନତାଙ୍କ କଥା ଭୁଲିଯିବା ଏବଂ ନିର୍ବାଚନକୁ କିଛି ମାସ ବାକିଥିବ , ସେତେବେଳେ ଭୋଟରଙ୍କୁ ପ୍ରଭାବିତ କରିବାର ଧାରା ଭିତରୁ ରାଜନେତା ବାହାରିବାକୁ ଚାହୁଁନାହାନ୍ତି ନା ଏହାକୁ ଏକ ସହଜ ମାଧ୍ୟମ ଭାବେ ଗ୍ରହଣ କରିନେଉଛନ୍ତି । ଶୀତକାଳୀନ ଅଧିବେଶନ ସମୟରେ ଏହି ତମାମ ଦିଗକୁ ନେଇ ଯଥେଷ୍ଟ ଚର୍ଚ୍ଚା କରାଯାଉଛି । ଯଦି ଗଣମାଧ୍ୟମ ଉଠାଉଥିବା ପ୍ରସଙ୍ଗକୁ ସରକାର ଆଉ ବିରୋଧୀଦଳ ଗୁରୁତ୍ୱ ଦେବେନାହିଁ, ତାହେଲେ ଗଣତନ୍ତ୍ରର ଗତି କୁଆଡେ, ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା ।

ଗୃହ ଆରମ୍ଭ ହେବା ବେଳର ସବୁଠାରୁ ସାଂଘାତିକ ପ୍ରସଙ୍ଗ ଉପରେ ନଜର ପକାଇବା । ସ୍ମିତାରାଣୀ ମାମଲାରେ ଯେତେବେଳେ ସରକାର ଅକଳରେ ପଡିବେ ବୋଲି ଅନୁମାନ କରାଯାଉଥିଲା, ସେତେବେଳେ ହଟ୍ଟଗୋଳ, ନାରାବାଜି କରି ପ୍ରଥମେ କିଛିଦିନ ଗୃହକୁ ମୁଲତବୀ କରି ଦିଆଗଲା, ବିଜେପି ବିଧାୟକ ମାନେ ଗୃହରେ ଆଲୋଚନାରେ ଭାଗନନେଇ ବାହାରେ ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିବା, ଆଉ ଶେଷରେ ଗୃହକାର୍ଯ୍ୟରେ ସାମିଲ ନହେବା ଭଳି ଚିତ୍ର ଦେଖିବାକୁ ମିଳିଥିଲା । ଆଉ ଏହାରି ଭିତରେ ସରକାର ଗୃହରେ ଉତ୍ତର ରଖିଦେବା ସହ ମାମଲା ଥଣ୍ଡା ପଡିଗଲା ।

ସ୍ମିତାରାଣୀ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପୁଲିସ ଠାରୁ ଆରମ୍ଭ କରି, ଜନପ୍ରତିନିଧି, କଂପାନୀ ଅଧିକାରୀ ସମସ୍ତଙ୍କ ଉପରେ ଏକ ସନ୍ଦେହର କଳାବାଦଲ ସୃଷ୍ଟି ହୋଇଥିଲା । ଯାହା ସେମାନଙ୍କ ପାଇଁ ଅଡୁଆ ରାସ୍ତା ତିଆରି କରିବ ବୋଲି ଚର୍ଚ୍ଚା କରାଯାଉଥିଲା । ନା ବିରୋଧୀଦଳ ଏହି ମହିଳାଙ୍କୁ ନ୍ୟାୟ ଦେବା କଥା ଚିନ୍ତା କଲେ, ନା ସରକାରୀ ଦଳର ସଭ୍ୟ । କିନ୍ତୁ ନାରା ଦେବାରେ କିଛି ପଛଘୁଂଚା ଦେବେନାହିଁ – ଗାଁକୁ କାମ, ମାକୁ ସମ୍ମାନ ।

ଯେଉଁଠି ସରକାରୀ କଳର ଆଭିମୁଖ୍ୟ ଆଉ ସେମାନଙ୍କ କାର୍ଯ୍ୟଶୈଳୀ ବିରୁଦ୍ଧରେ ବିରୋଧୀ ବର୍ଷୁଥିଲେ, ଠିକ ସେତିକିବେଳେ ମାମଲା କିପରି ଥଣ୍ଡା ପଡିଗଲା, ତାହା ଅନେକଙ୍କ ମନରେ ଏବେବି ସନ୍ଦେହ ସୃଷ୍ଟି କରୁଛି । ଯାହା ସ୍ୱାଭାବିକ ମଧ୍ୟ । ପଛକୁ ପଛ ଯୋଡି ହୋଇଥିଲା ଚାଷୀଙ୍କ ଧାନ ବିକ୍ରି ପ୍ରସଙ୍ଗ । ତାହା ମଧ୍ୟ ଆଲୋଚନା କମ ନାରାବାଜି ଅଧିକ ଭିତରେ ଉଭେଇଗଲା । ତେଣୁ ବୁଝିବା ଆବଶ୍ୟକ, ବିଧାନସଭାର ଲକ୍ଷ୍ୟ ହାସଲ ହୋଇ ପାରୁଛି କି?

ବିରୋଧୀ ପ୍ରଶ୍ନ କରିବେ, ସରକାର ଜବାବ ଦେବେ । ସରକାରଙ୍କ ଦୋଷ ଦୁର୍ବଳତାକୁ ରାଜ୍ୟବାସୀଙ୍କ ସାମ୍ନାରେ ପ୍ରତିପକ୍ଷ ରଖିବେ । କିନ୍ତୁ ଏହା ଠାରୁ ଢେର ଦୂରରେ ଏବେ ସବୁ କିଛି ଚାଲିଲା ଭଳି ଅନୁଭବ ହେଉଛି । କାରଣ, ମଧ୍ୟ ବେଶ ସ୍ପଷ୍ଟ । ଯେତେବେଳେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି କିଛି ଅନ୍ତର୍ନିହିତ ସ୍ୱାର୍ଥ ପାଇଁ ଚୁପ ରହିବାକୁ ଶ୍ରେୟ ମଣିବ, ସେତେବେଳେ ଆଉ କଣ ଆଶା କରାଯିବ ।

ରାଜନୀତିରେ ଏହା କିଛି ନୂଆ କଥା ନୁହେଁ । ବିରୋଧୀଙ୍କୁ ମ୍ୟାନେଜ କରାଯିବା ଭଳି ଶଦ୍ଦ ଏବେ ନୂଆ ନୂଆ ଓଡିଶା ବିଧାନସଭାରେ ଶୁଣିବାକୁ ମିଳୁଛି । ଯଦି ସବୁକିଛି ମ୍ୟାନେଜ ହୋଇପାରୁଛି, ତେବେ ପ୍ରସଙ୍ଗ ମ୍ୟାନେଜ ହେବାରେ ଅସୁବିଧା କଣ । ବୋଧହୁଏ ଏହି ରଣନୀତି ଏବେ ରାଜ୍ୟରେ କାମରେ ଲାଗୁଛି । ହେଲେ ନିର୍ବାଚିତ ହେଉଥିବା ନେତା ମାନେ ଚିନ୍ତା କରିବା ଦରକାର, ସେମାନେ ଜନତାଙ୍କ ନିକଟରେ ଜବାବଦେହୀ ହୋଇପାରିବେ ତ?

Comments are closed.