ବିଧାନସଭାରେ ଶିଶୁ ଦୁଷ୍କର୍ମ ତାତି : କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହଙ୍ଗାମା । ବିରୋଧୀ କହିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଉତ୍ତର ରଖନ୍ତୁ ମୁଖ୍ୟମନ୍ତ୍ରୀ

22

କନକ ବ୍ୟୁରୋ : ରାଜ୍ୟରେ ବଢୁଥିବା ଦୁଷ୍କର୍ମ ମାମଲା ଆଜି ବିଧାସଭାରେ ଉଠିଛି । ଏ ନେଇ ବିରୋଧୀ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ସବୁ ବ୍ୟବସ୍ଥା ସତ୍ୱେ କିଭଳି ଧର୍ଷଣ ହେଉଛି । ଥାନାରେ ମହିଳା ଡେସ୍କ ଖୋଲିଦେଲେ କଣ ଧର୍ଷଣ କମିଯିବ କି ବୋଲି ସେ ପ୍ରଶ୍ନ କରିଥିଲେ । ଦୋଷୀ ଆଇନକୁ ଭୟ କରୁନାହାନ୍ତି । ଆଇନ ଉପରେ କାହାର ଭରସା ନାହିଁ । ମୁଖ୍ୟମନ୍ତ୍ରୀ ଏହା ଉପରେ ଉତ୍ତର ରଖିବାକୁ ସେ ଦାବି କରିଥିଲେ । ଏହା ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଛନ୍ତି, ଦୁଷ୍କର୍ମ ଅତ୍ୟନ୍ତ ଦୁଃଖଦ ଘଟଣା, ସମସ୍ତଙ୍କୁ ବାଧୁଛି । ପୋଲିସ ଦୋଷୀକୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେଉଛି ।

ସେପଟେ କାଠୁଆ ଓ ଉନ୍ନାଓ ଦୁଷ୍କର୍ମ ଘଟଣାରେ ସାରାଦେଶ ଉଦବେଗ ପ୍ରକାଶ କରୁଥିବାବେଳେ ପୁଣି ଆସିଛି ଜଣେ ନାବାଳିକାଙ୍କ ପ୍ରତି ପାଶବିକ ଅତ୍ୟାଚାରର ଅଭିଯୋଗ । ସାଲେପୁରରେ ୬ବର୍ଷର ଶିଶୁକନ୍ୟାକୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଅନୁଧ୍ୟାନ କରୁଛନ୍ତି ୧୩ ଜଣିଆ ଡାକ୍ତରୀ ଦଳ । ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏହି କୁନି ଝିଅଟିର କାହଣୀ ପୁଣି ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଇଛି ।