ଖୁବଶୀଘ୍ର ଆସିବ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ୍ । ଚଳିତ ଅଧିବେଶନରେ ବିଲ୍ ଆଗତ ପାଇଁ ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ

297

କନକ ବ୍ୟୁରୋ: ଆପାର୍ଟମେଣ୍ଟ କିଣୁଛନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର । କାରଣ ଖୁବଶୀଘ୍ର ଆସିବାକୁ ଯାଉଛି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ବିଲ୍-୨୦୨୩ । ଏହାକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ । ଏହି ବିଲ୍ ଅନୁସାରେ ପ୍ରଥମ ସେଲ୍ ଡିଡ୍ ପୂର୍ବରୁ ଆଲଟିଜ୍ ଆସୋସିଏସନ୍ ବା ଆପାର୍ଟମେଣ୍ଟ ଆବଣ୍ଟନଗ୍ରାହୀଙ୍କ ସଂଘ ଗଠନ କରାଯିବ । ଏହି ସଂଘ ନାଁରେ ଆପାର୍ଟମେଣ୍ଟର କମନ୍ ଏରିଆ ବା ସାଧାରଣ ସ୍ଥାନ, ଷ୍ଟେୟାର୍ କେସ୍, ଖେଳ ପଡିଆ ଆଦି ପଞ୍ଜୀକୃତ ହେବ ।

ଚଳିତ ଅଧିବେଶନରେ ଏହି ବିଲ୍ ବିଧାନସଭାରେ ଆଗତ ହେବା ନେଇ ଅଧିକ ସମ୍ଭାବନା ରହିଛି । ଚଳିତ ଅଧିବେଶନରେ ରେରା-କମ୍ପ୍ଲିଆଣ୍ଟ ଆପାର୍ଟମେଣ୍ଟ ବିଲ୍ ଆଣିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ହାଇକୋର୍ଟ । ବିମଳେନ୍ଦୁ ପ୍ରଧାନ ନାମକ ଭୁବନେଶ୍ୱରର ଜଣେ ଆପାର୍ଟମେଣ୍ଟ ମାଲିକ, ୨୦୨୧ ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆମେଣ୍ଡମେଣ୍ଟ ରୁଲ୍ସ କୁ ଚ୍ୟାଲେଞ୍ଜ କରିିଥିଲେ । ଏହା ରିଅଲ୍ ଇଷ୍ଟେଟ୍ ରେଗୁଲେସନ୍ ଓ ଡେଭେଲୋପ୍ମେଣ୍ଟ ଆକ୍ଟ-୨୦୧୬ ବା ରେରାର ବିରୋଧାଚରଣ କରୁଥିବା ଅଭିଯୋଗ କରି ହାଇକୋର୍ଟରେ ପିଟିସନ୍ ଦାୟର କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ଗତ ବର୍ଷ ମେ’ ମାସରେ ସାଧାରଣ ସ୍ଥାନଗୁଡ଼ିକୁ ଆପାର୍ଟମେଂଟ ମାଲିକ ସଂଘକୁ ହସ୍ତାନ୍ତର କରା ନଗଲେ ସେଲ୍ ଡିଡ୍ ପଞ୍ଜୀକରଣକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।